/odisha-reporter/media/post_attachments/uploads/2015/09/DEULAJHARI-7.png)
DEULAJHARI-7
(ଜୟନ୍ତ ସେଠ୍): ଅନୁଗୋଳ ଜିଲ୍ଲାର ଦେଉଳଝରି ହେଉଛି ଏକ ଉଷ୍ମପ୍ରସବଣ ଏବଂ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏହାର ଗୁରୁତ୍ୱ ଖୁବ ବେଶୀ। ଦେଉଳଝରି ଅନୁଗୋଳଠାରୁ ପ୍ରାୟ ୮୬ କିଲୋମିଟର ଦୂର। ଦେଉଳଝରିରେ ପହଞ୍ଚିବାକୁ ହେଲେ ଆଠମଲ୍ଲିକ ଦେଇ ଯିବାକୁ ପଡିବ। ଆଠମଲ୍ଲିକ ଯିବା ରାସ୍ତାରେ ପଡିବ ଝରଝରି ଘାଟି। ପ୍ରାୟ ୪ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ଘାଟି ରାସ୍ତାରେ ଯିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ମିଳିବ।
ଦେଉଳଝରି ଏକ ପ୍ରସିଦ୍ଧ ଶୈବପୀଠ। ଏଠାରେ କେଦାରଶ୍ୱର, ମହେଶ୍ୱର, ଖମ୍ବେଶ୍ୱରୀ ପ୍ରଭୃତି ପାର୍ଶ୍ୱ ଦେବତା ଓ ଦେବୀଙ୍କ ମନ୍ଦିର ସହିତ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ଅଛି। ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ସ୍ୱୟଂଭୁ ଶିବଲିଙ୍ଗ ସିଦ୍ଧେଶ୍ୱର। ଏହି ମନ୍ଦିରକୁ କଦମ୍ବ ବଂଶର ମହାରାଜ କିଶୋର ଚନ୍ଦ୍ରଦେବ ନିର୍ମାଣ କରାଇଥିଲେ ୧୯୩୬ ମସିହାରେ। ଏହାର ମୁଖ୍ୟ ଆକର୍ଷଣ ରହିଛି ମନ୍ଦିର ବେଢା ବାହାରେ। ଅଳ୍ପ ଦୂରରେ ଘଞ୍ଚ କିଆବଣ ଭିତରେ ଦେଖିବାକୁ ମିଳିବ ପ୍ରାୟ ୩୦ଟି ଭିନ୍ନ ଭିନ୍ନ କୁଣ୍ଡରେ ଉଭୟ ଗରମ ଓ ଥଣ୍ଡା ପାଣିର ଝରଣା। ସବୁ କୁଣ୍ଡରେ ତାପମାତ୍ରା ଭିନ୍ନ ଭିନ୍ନ। କେଉଁଠି ୪୦ ଡିଗ୍ରୀ ସେଲସିୟସ ତ ଆଉ କେଉଁଠି ୬୨ ଡିଗ୍ରୀ ସେଲସିୟସ। ପୁଣି କେଉଁଠି ୪୮ଡିଗ୍ରୀ ସେଲସିୟସ ତ ଆଉ କେଉଁଠି ୫୫ ଡିଗ୍ରୀ ସେଲସିୟସ। ଆଉ ଗୋଟିଏ ବିଚିତ୍ରକଥା ହେଉଛି ପ୍ରତ୍ୟେକ ଗରମ ପାଣି କୁଣ୍ଡ ନିକଟରେ ରହିଛି ଥଣ୍ଡାପାଣିର କୁଣ୍ଡ। ଏହିସବୁ କୁଣ୍ଡକୁ ଅଗ୍ନୀକୁଣ୍ଡ, ତପ୍ତକୁଣ୍ଡ, ଶନିକୁଣ୍ଡ, ଅମୃତକୁଣ୍ଡ ଏବଂ ଲବ-କୁଶ କୁଣ୍ଡ ନାମରେ ନାମିତ କରାଯାଇଛି। ଏହା ସହିତ କିଆବଣ ଭିତରେ ମିଳିବ ଏକ ବିଚିତ୍ର ଅନୁଭୂତି। ଚାରିଆଡେ କିଆଫୁଲର ବାସ୍ନା। କେହି କେହି ପର୍ଯ୍ୟଟକ ଏଠାକୁ ଆସିଲେ କିଆଫୁଲ ଘରକୁ ନେବା ପାଇଁ ଭୁଲନ୍ତି ନାହିଁ।
ଅଧିକାଂଶ କୁଣ୍ଡରୁ ବାହାରୁଥାଏ ଗରମ ପାଣିର ବାମ୍ଫ। ଏହିସବୁ କାରଣରୁ ଦେଉଳଝରିର ଉଷ୍ମପ୍ରସବଣ ସ୍ୱତନ୍ତ୍ର ଏବଂ ଅନ୍ୟନ୍ୟ। ଓଡ଼ିଶା ଅନ୍ୟାନ୍ୟ ସ୍ଥାନରେ ଉଷ୍ମ ପ୍ରସବଣ ଦେଖିବାକୁ ମିଳେ। କିନ୍ତୁ ଦେଉଳଘରି ଟିକେ ନିଆରା। ସ୍ଥାନୀୟ ଲୋକଙ୍କ ମତରେ ବହୁ ପୂର୍ବରୁ ଏଠାରେ ଥିଲା ପ୍ରାୟ ୮୪ଟି କୁଣ୍ଡ। କିନ୍ତୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏବେ କୁଣ୍ଡସଂଖ୍ୟା ହ୍ରାସ ପାଇ ପହଞ୍ଚିଛି ପାଖାପାଖି ୩୦ରେ। ତେବେ ଏହି ଗରମ ପାଣିରେ ଅଛି ପ୍ରଚୁର ଔଷଧୀୟ ଗୁଣ। ଏହାକୁ ପିଇଲେ ବା ଗାଧେଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।/odisha-reporter/media/post_attachments/wp-content/uploads/2015/09/anugul-nature-2-1024x576.jpg)
ଅନୁଗୋଳର ଆଉ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ହେଉଛି ଖୁଲିଡି ଜଳପ୍ରପାତ। ଏଠାରେ ପହଞ୍ଚିବାକୁ ହେଲେ ପାଲଲହଡା ଦେଇ ଯିବାକୁ ପଡିବ। ଅନୁଗୋଳ ସହରଠାରୁ ‘ଖୁଲୁଡି’ ଜଳପ୍ରପାତର ଦୂରତା ପ୍ରାୟ ୧୨୦ କିଲୋମିଟର। ଏହି ଜଳପ୍ରପାତଟି ମାଲ୍ୟଗିରି ପାହାଡର ପାଦଦେଶରେ ଅବସ୍ଥିତି। ଏଠାରେ ଅଛି ଗିରିଶ୍ୱର ଓ ଯୋଗେଶ୍ୱର ମହାଦେବଙ୍କ ମନ୍ଦିର। ଏଇ ଦୁଇ ଶିବଲିଙ୍ଗଙ୍କୁ ସ୍ଥାନୀୟ ଲୋକେ ପ୍ରତ୍ୟେକ୍ଷ ଦେବତା ଭାବରେ ମାନନ୍ତି। ମନ୍ଦିର ପାଖରେ ଠିଆହେଲେ ଦେଖିବାକୁ ଚାରିଆଡେ କେବଳ ଘଞ୍ଚ ଜଂଗଲ ଆଉ ଶୀତଳ ପରିବେଶ। ମନ୍ଦିରର ଠିକ ପଛ ପଟେ ଦେଖିବାକୁ ମିଳିବ ‘ଖୁଲୁଡି’ ଜଳପ୍ରପାତର ଅପୂର୍ବ ଦୃଶ୍ୟ।ଏଠାରେ ମାତ୍ର ୧୫ରୁ୨୦ ଫୁଟ ଉଚ୍ଚତାରୁ ପଡୁଛି ପାହାଡ ଉପରୁ ପ୍ରବାହିତ ହେଉଥିବା ଝରଣାର ପାଣି। ପାଣିଧାର ଏଠାରେ ଦୁଇ ଭାଗରେ ବିଭକ୍ତ। ଏହି ସ୍ଥାନରୁ ସୌନ୍ଦର୍ଯ୍ୟକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ।/odisha-reporter/media/post_attachments/wp-content/uploads/2015/09/anugul-nature-1024x576.jpg)
ମାଲ୍ୟଗିରି ପାହାଡ ଉପରକୁ ତ ଯିବା ସମ୍ଭବପର ହେଲା ନାହିଁ। ପାହାଡ ଉପରେ ରହିଛି ଔଷଧୀୟ ଗୁଣଯୁକ୍ତ ନାଗେଶ୍ୱର ଗଛର ଏକ ବଣ। ବର୍ଷକୁ ଥରେ ମାତ୍ର ଏଇ ଗଛରେ ଫୁଲ ଫୁଟେ। ପାହାଡିଆ ଝରଣାର ପାଣି ନାଗେଶ୍ୱର ଗଛର ଗଣ୍ଡି ଏବଂ ପତ୍ର ଘଷି ହୋଇ ଜଳପ୍ରପାତରେ ପ୍ରପାତରେ ପଡୁଥିବାରୁ ଏହି ପାଣିରେ ମଧ୍ୟ ଔଷଧୀୟ ଗୁଣ ରହିଛି।ଇତିହାସରୁ ଜଣାଯାଏ ମାଲ୍ୟଗିରି ଥିଲା ପାଲଲହଡା ରାଜଙ୍କ ଶୈଳନିବାସ। ‘ଖୁଲୁଡି’ ଜଳପ୍ରପାତକୁ କୁହାଯାଏ ମାଲ୍ୟଗିରି ନାଭି। ଏଠାକୁ ପାହାଡର ଉଚ୍ଚତା ପ୍ରାୟ ୩୮୯୫ ଫୁଟ। ବଣ-ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନୁଗୋଳ ଜିଲ୍ଲା। ଏହାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ବେଶ ଆକର୍ଷଣୀୟ। ବ୍ୟସ୍ତବହୁଳ ଜୀବନରୁ ଟିକେ ଫୁରସତ ପାଇଲେ ଟିକେ ବୁଲି ଆସନ୍ତୁ। ଦେଖିବେ କେତେ ସୁନ୍ଦର ଆମ ଓଡ଼ିଶା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
