ପ୍ରୋତ୍ସାହନର ଅଭାବ: ହଜି ହଜି ଯାଉଛି ଫକୀରପୁରର ଟସର ସୂତା କାମ, କୌଳିକ ବୃତ୍ତି ଛାଡି ବାହାରକୁ ଯାଉଛନ୍ତି ବୁଣାକାର

ଆନନ୍ଦପୁର: ଆଧୁନିକ ଯୁଗରେ ବିଭିନ୍ନ ପ୍ରକାରର ପୋଷାକ ଏବେ ଲୋକମାନଙ୍କ ଦ୍ୱାରା ଆଦୃତ ହେଉଛି । ବିଭିନ୍ନ ନାମୀଦାମୀ କମ୍ପାନୀର ପୋଷାକ ଓ କପଡା ଚାହିଦା ବଜାରରେ କାହିଁରେ କ’ଣ । ଏହାସତ୍ତ୍ୱେ ସମ୍ପୂର୍ଣ୍ଣ ଦେଶୀ ପ୍ରଣାଳୀରେ ପ୍ରସ୍ତୁତ ହେଉଥିବା ସୂତା କପଡାର ମଧ୍ୟ ଚାହିଦା କମିନାହିଁ । ମାତ୍ର ପ୍ରୋତ୍ସାହନ ଓ ବଜାର ସୁବିଧାର ଅଭାବରୁ ଏହା ଲୋକମାନଙ୍କ ପାଖରେ ଠିକରେ ପହଞ୍ଚି ପାରୁନାହିଁ ଓ ଏହାର ଶିକାର ହେଉଛନ୍ତି ବୁଣାକାରମାନେ । ଏହି ସୂତା କପଡା ପ୍ରସ୍ତୁତ କରୁଥିବା ବୁଣାକାର ପରିବାରମାନେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ବଜାର ସୁବିଧା ନ ଥିବାରୁ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁନାହିଁ । ଫଳରେ ପରିବାର ପ୍ରତିପୋଷଣ ଲାଗି ବୁଣାକାରମାନେ ସେମାନଙ୍କ କୌଳିକ ବୃତ୍ତି ଛାଡି କାମ ଅନ୍ୱେଷଣରେ ଚାଲିଯାଉଛନ୍ତି ବାହାରକୁ । ଏପରି ସମସ୍ୟା ଦେଖିବାକୁ ମିଳୁଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁରେ । ଏକଦା ସୂତା କପଡା ପ୍ରସ୍ତୁତିରେ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଗାଁ ଏବେ ପୁରୁଷ ଶୂନ୍ୟ । ରୋଜଗାର ଆଶାରେ ବୁଣାକାର ପରିବାରର ପୁରୁଷମାନେ  ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ।tasar

ଫକୀରପୁର ଗାଁରେ ବସବାସ କରନ୍ତି ୪୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର । ଏମାନେ ସମସ୍ତେ ଜାତିରେ ବଙ୍ଗାଳି ତନ୍ତୀ । ଦେଶୀ ପ୍ରଣାଳୀରେ ଟସର ପୋକରୁ ସୂତା ବାହାର କରି ସେଥିରୁ ତନ୍ତ ସାହାଯ୍ୟରେ ଚାଦର, ଶାଢୀ, ଧୋତି ଯୋଡ, କପଡା ଆଦି ପ୍ରସ୍ତୁତ କରିଥାନ୍ତି । ରାଜ୍ୟ ସରକାରଙ୍କ ସେରିଫେଡ ବିଭାଗ ଏହି ବୁଣାକାରମାନଙ୍କୁ କଞ୍ଚାମାଲ (ଟସର) ଯୋଗାଇ ଦେଇଥାନ୍ତି । ଉକ୍ତ ଟସରକୁ ବୁଣାକାରମାନେ ପ୍ରଥମେ ସିଜାଇ ସାଥିରୁ ସୂତା ବାହାର କରିଥାନ୍ତି । ପରେ ତନ୍ତ ସାହାଯ୍ୟରେ ବିଭିନ୍ନ ପ୍ରକାର କପଡା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଗ୍ରାମର ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସୂତା କପଡାର ଚାହିଦା ରାଜ୍ୟ ସମେତ ଦେଶ ବିଦେଶରେ ମଧ୍ୟ ଥିଲା । ଦିନ ଥିଲା ଏହି ଗ୍ରାମରେ ୨୦୦ରୁ ୩୦୦ ତନ୍ତ ଚାଲୁଥିଲା । ମାତ୍ର ବର୍ତ୍ତମାନ ଗ୍ରାମରେ ମାତ୍ର ୨୫ଟି ତନ୍ତ ଚାଲିଥିବା ଦେଖିବାକୁ ମିଳୁଛି ।tasar

ଏଠାରେ ପ୍ରସ୍ତୁତ ହେଉଥିବା କପଡାର ବିକ୍ରି ଲାଗି ରାଜ୍ୟରେ ବଜାର ନ ଥିବାରୁ ବୁଣାକାରମାନେ କଲିକତା ଓ ଭଗଲପୁର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି । ଦିନସାରା ତନ୍ତ ବୁଣିଲେ ବି ଜଣେ ବୁଣାକାର ଦିନକୁ ମାତ୍ର ୧୦୦ରୁ ୧୫୦ ଟଙ୍କାର ରୋଜଗାର କରିଥାନ୍ତି ବୋଲି କହିଛନ୍ତି କୂଶଳୀ ବୁଣାକାର ଭିକାରୀ ଦାସ । ଏହାବାଦ କୂଶଳୀ ଶ୍ରମିକଙ୍କ ପାଖରେ ଗ୍ରାଚୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ କି ବୀମା କିଛି ନାହିଁ । ମାନ୍ଦା ବ୍ୟବସାୟ ସାଙ୍ଗକୁ ଭବିଷ୍ୟତ ସୁରକ୍ଷା କିଛି ନ ଥିବାରୁ ଗାଁରୁ ୩୦୦ରୁ ଊର୍ଦ୍ଧ୍ୱ ବୁଣାକାର ସେମାନଙ୍କ କୌଳିକ ବୃତ୍ତି ଛାଡି କଲିକତା, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ନେପାଳକୁ କାମ ଆଶାରେ ଚାଲିଯାଇଛନ୍ତି । ନିକଟରେ ନେପାଳରେ ହୋଇଥିବା ଭୂମିକମ୍ପରେ ଫକୀରପୁର ଗାଁର ପ୍ରାୟ ୫୦ଜଣ ବୁଣାକାର ଫସିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଇଥିଲା । ଏହାସତ୍ତ୍ୱେ ସେମାନଙ୍କ ଥଇଥାନ ଲାଗି କୌଣସି ପଦକ୍ଷେପ ନିଆ ନ ଯିବାରୁ ଏବେ ସେମାନେ ପେଟ ଚାଖଣ୍ଡଙ୍କ ପାଇଁ ପୁଣି ନେପାଳ ଚାଲିଯାଇଛନ୍ତି । ଏହି ବୁଣାକାରମାନେ ଓଡିଆ ଛଡା ଅନ୍ୟ କିଛି ଭାଷା ପ୍ରାୟତଃ ଜାଣି ନ ଥିବାରୁ ବହୁ ସମୟରେ ଦଲାଲମାନଙ୍କ ଶୋଷଣର ଶିକାର ହେଉଛନ୍ତି । ଏହି ଗାଁରୁ କେତେ ଶ୍ରମିକ ବାହାରକୁ କାମ ଆଶାରେ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଫେରୁଛନ୍ତି, କେତେ ନିଖୋଜ ହେଉଛନ୍ତି ତାହାର ସୂଚନା ଶ୍ରମ ବିଭାଗ ପାଖରେ ନ ଥିବା ଅଭିଯୋଗ ହେଉଛି ।tasar

ବଜାର ସୁବିଧା ସୃଷ୍ଟି କରିବା ସହ ବୁଣାକାରମାନଙ୍କୁ ସହଯୋଗର ହାତ ବଢାଇବାକୁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏପରି ସ୍ଥିତିରେ ଗାଁର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସୌମ୍ୟରଞ୍ଜନ ଶେଷ୍ଢ ଏହି ବୁଣାକାରମାନଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି । ନିଜ ଘରେ ୧୦ଟି ତନ୍ତ ପକାଇ ସେ ୨୦ ବୁଣାକାର ପରିବାରକୁ ରୋଜଗାର ଦେଇ ପାରିଛନ୍ତି । ଏହାସହ ସେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ଲାଗି ବଜାର ସୁବିଧା ମଧ୍ୟ ସୃଷ୍ଟି କରିପାରିଛନ୍ତି । ଅନ୍ୟପକ୍ଷେ ଟସର କରିଗରମାନଙ୍କ ପ୍ରୋତ୍ସାହନ ଲାଗି ଗଠିତ ହୋଇଛି ମା’ ତାରିଣୀ, ମଦନ ମୋହନ ଓ ଜୟଦୁର୍ଗା ସମବାୟ ସମିତି । ମାତ୍ର ଏହି ସମିତି ଗୁଡିକ ନାମକୁ ମାତ୍ର ଚାଲିଥିବା ଓ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଥିବା ଅଭିଯୋଗ ହେଉଛି । କେନ୍ଦୁଝରଠାରେ ଅବସ୍ଥିତ ସେରିଫିଡ୍ କାର୍ଯ୍ୟାଳୟରେ କାଗଜ କଲମରେ ଦାୟିତ୍ୱ ସାରି ଦିଆଯାଉଥିବା ବେଳେ ବୁଣାକାରମାନଙ୍କ ଉନ୍ନତୀ ପ୍ରତି କୌଣସି ପଦକ୍ଷେପ ନିଆଯାଉ ନ ଥିବା ବୁଣାକାରମାନେ ଅଭିଯୋଗ କରିଛନ୍ତି । ଏ ନେଇ ସେରଫେଡ ଶାଖା ପରିଚାଳକ ଜତିନ କୁମାର ମିଶ୍ରଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଯାହା ସାହାଯ୍ୟ କରାଯିବା କଥା କରାଯାଉଛି । ସରକାରଙ୍କ ପକ୍ଷରୁ ସବସିଡରେ ଲକ୍ଷାଧିକ ଟଙ୍କାର ଟସର ମଞ୍ଜି ଯୋଗାଇ ଦିଆଯାଉଛି । ହେଲେ ବୁଣାକାରମାନେ ତାହାକୁ କଳାବଜାରରେ ଚଢା ଦରରେ ବିକ୍ରି କରିଦେଉଛନ୍ତି । ଅଧିକ ରୋଜଗାର ଲୋଭରେ ସେମାନେ ବାହାରକୁ ଚାଲିଯାଉଛନ୍ତି ବୋଲି ସେ କହିଛନ୍ତି ।