ମୃତ୍ୟୁ ତାଙ୍କୁ ଛୁଇଁ ବି ଛୁଇଁ ପାରିନି, କୋଟି ହୃଦୟରେ ଚିର ଅମର ଅଟଳ

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା):୧୩ ଦିନର ପ୍ରଧାନମନ୍ତ୍ରୀ। ୧୩ ମାସର ପ୍ରଧାନମନ୍ତ୍ରୀ। ଆଉ ପୁଣି ୬୩ ବର୍ଷ ଧରି ଭାରତୀୟ ରାଜନୀତିର ଶିଖର ପୁରୁଷ। କ’ଣ ଇତିହାସ ଅଟଳ ବିହାରୀ ବାଜପେୟୀଙ୍କୁ ଏହି ପରିଚୟରେ ମନେ ରଖିବ? ବୋଧହୁଏ ନୁହେଁ। କାରଣ ଏହି ଜନନାୟକ ଲୋକଙ୍କ ଭୋଟ ନୁହେଁ, ଦିଲ୍‌ ଜିତିଛନ୍ତି। ଛାତ୍ରଜୀବନରୁ ରାଜନୀତିର ‘ର’ ଅକ୍ଷର ଶିଖିଥିବା ବାଜପେୟୀ ପରବର୍ତ୍ତୀ ସମୟରେ ରାଜନୀତିକ ଦିଗବଳୟରେ ଏକ ଉଜ୍ଜ୍ୱଳମୟ ତାରକା ପାଲଟି ଯାଇଛନ୍ତି।

ସ୍ୱାଧୀନ ଭାରତର ରାଜନୀତିକ ଆକାଶରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚମକିଥିବା ତାରକା ହେଉଛନ୍ତି ବାଜପେୟୀ। କବିତା ଅଟଳବିହାରୀ ବାଜପେୟୀଙ୍କ ରକ୍ତରେ ଥିଲା। କାରଣ ତାଙ୍କ ପିତା ଜଣେ କବି ଥିଲେ। ଯାହାଙ୍କଠାରୁ ସେ ପ୍ରେରଣା ପାଇଥିଲେ। ହଁ, ଆଜି ଆମେ ସେହି ଅମର ଆତ୍ମାଙ୍କ ବିଷୟରେ ଆଲୋଚନା କରୁଛେ। ଯିଏ ଆଜିର ଦିନରେ ବର୍ଷକ ପୂର୍ବରୁ ସବୁ ଭାରତୀୟଙ୍କୁ ଲୁହରେ ଭିଜାଇ ଆରିପାରିକୁ ଚାଲିଯାଇଥିଲେ।

ଆଜି ସେହି ମହାନ ଜନନାୟକଙ୍କର ହେଉଛି ପୁଣ୍ୟତିଥି। ଆଜି ସବୁଠି ତାଙ୍କର ପାଳନ ହେବ ଶ୍ରାଦ୍ଧ ଦିବସ।

ଜଣେ ତୁଙ୍ଗ ଜାତୀୟ ନେତା, ବିଚକ୍ଷଣ ରାଜନୀତିଜ୍ଞ, ନିଃସ୍ୱାର୍ଥପର ସାମାଜିକ କର୍ମୀ, ବଳିଷ୍ଠ ବକ୍ତା, କବି ଓ ସାହିତ୍ୟିକ, ସାମ୍ବାଦିକ ଏବଂ ନିର୍ବିବାଦରେ ଜଣେ ବିବିଧ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଥିଲେ ଅଟଳ। ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଜାତୀୟତାବାଦର ଝଲକ ବାରି ହୁଏ।

ମଧ୍ୟପ୍ରଦେଶର ଗ୍ୱାଲିୟରରେ ୧୯୨୪ ଡିସେମ୍ବର ୨୫ତାରିଖରେ ଜନ୍ମଗ୍ରହଣ କରିଥିଲେ ବାଜପେୟୀ। ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ବିହାରୀ ବାଜପେୟୀ ଓ ମାତା ଥିଲେ କୃଷ୍ଣା ଦେବୀ। କିନ୍ତୁ ତାଙ୍କ ବାପା ଉତ୍ତରପ୍ରଦେଶ ଆଗ୍ରା ଜିଲା ବଟେଶ୍ୱର ଗ୍ରାମବର ମୂଳ ବାସିନ୍ଦା ଥିଲେ। ପିତା ଥିଲେ ଜଣେ କବି ଓ ସ୍କୁଲ୍ ଶିକ୍ଷକ। ଅଟଳ ବିହାରୀ ବାଜପେୟୀ ଗ୍ୱାଲିୟରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ଭିକ୍ଟୋରିଆ କଲେଜରେ ସ୍ନାତକ ପଢ଼ିଥିଲେ।

ତା’ପରେ କାନପୁରସ୍ଥିତ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ୍ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। କିଶୋର ବୟସରୁ ଅର୍ଥାତ ୧୬ ବର୍ଷରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଜଣେ ପ୍ରଚାରକଭାବେ ଯୋଗ ଦେଇଥିଲେ। ଛାତ୍ର ଜୀବନରୁ ହିଁ ସ୍ୱତନ୍ତ୍ରତା ସଂଗ୍ରାମରେ ନିଜକୁ ହଜେଇ ଦେଇଥିଲେ ବାଜପେୟୀ। ୧୯୪୨ ମସିହାର ଗାନ୍ଧିଜୀଙ୍କ ‘ଭାରତ ଛାଡ଼’ ଆନ୍ଦୋଳନ ନାରାକୁ ଆହୁରି ଶାଣିତ କରି ବାଜପେୟୀ ପୁଲିସର ହିଟ୍‌ଲିଷ୍ଟରେ ସର୍ବାଗ୍ରେ ରହିଥିଲେ।

ତେବେ ତାଙ୍କୁ ଗିରଫଦାରିରୁ ବଞ୍ଚାଇବା ପାଇଁ ତାଙ୍କୁ ତାଙ୍କ ବାପା ବଟେଶ୍ୱରକୁ ପଠାଇଦେଇଥିଲେ। ହେଲେ ଯାହାର ପ୍ରତ୍ୟେକ ରକ୍ତବିନ୍ଦୁରେ ଜାତୀୟତାର ଜୁଆର ଖେଳୁଥିଲା, ତାକୁ କ’ଣ କୌଣସି ଆକଟ ଅଟକାଇପାରିବ। ବଟେଶ୍ୱରରେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଦେଲେ ବାଜପେୟୀ। ଆଉ ପୁଲିସ ତାଙ୍କୁ ୨୩ ଦିନ ପାଇଁ ଗିରଫ କରିଥିଲା। ପରେ ସେ ସାମ୍ବାଦିକତା ପେସାକୁ ଆଦରି ନେଇଥିଲେ।

ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘରେ ଯୋଗଦେବା ପରେ ତାଙ୍କ ସାମ୍ବାଦିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ରାଷ୍ଟ୍ରଧର୍ମ, ବୀର ଅର୍ଜୁନ ଆଦି ଦେଶପ୍ରେମ ସମ୍ବଳିତ ଏକାଧିକ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ସେ ତୁଲାଇ ଥିଲେ। ସେ ନିଜ କ୍ୟାରିଅରର ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ି ହାରିଯାଇଥିଲେ। ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲେ।

ସେବେଠାରୁ ୨୦୦୯ ପର୍ଯ୍ୟନ୍ତ ସେ ଲଗାତାର ସଂସଦୀୟ ରାଜନୀତିରେ ରହି ଆସିଥିଲେ। ସଂସଦରେ ଥରେ ତାଙ୍କୁ ପଣ୍ଡିତ ନେହରୁ କହିଥିଲେ, “ଇଏ ଲାଲକିଲ୍ଲାର ମଇଦାନ ନୁହେଁ। ଇଏ ହେଉଛି ସଂସଦ। ଭାଷଣ ପାଇଁ ଟିକେ ପ୍ରସ୍ତୁତ ହୋଇ ଆସ।” କିନ୍ତୁ ପରବର୍ତ୍ତୀ ସମୟରେ ସେ ଏମିତି ଓଜସ୍ୱିନୀ ଭାଷଣ ଦେଇଥିଲେ ଯେ, ତାହା ପଣ୍ଡିତ ନେହରୁଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଏମିତିକି ବାଜପେୟୀ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ନେହରୁ ମଧ୍ୟ ଭବିଷ୍ୟବାଣୀ କରିଥିଲେ। କେବଳ ତାଙ୍କ ଭାଷଣ ନୁହେଁ, ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ଦଳମତ ନିର୍ବିଶେଷରେ ସଭିଙ୍କୁ ଆକର୍ଷିତ କରୁଥିଲା। ଖାସ ସେଇଥିପାଇଁ ତାଙ୍କୁ ରାଜନୀତିରେ ଅଜାତଶତ୍ରୁ ବୋଲି କୁହାଯାଉଥିଲା।

୧୯୬୮ ମସିହାରେ ସେ ଦୀନଦୟାଲ ଉପାଧ୍ୟାୟଙ୍କ ପରେ ଜନସଂଘର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବାଜପେୟୀ। ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଦେଶରେ ଜରୁରୀ କାଳୀନ ପରିସ୍ଥିତି ବେଳେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଜେଲ୍ ଯାଇଥିଲେ ବାଜପେୟୀ। ୧୯୯୬ରେ ସ୍ୱଳ୍ପ କାଳ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ୧୯୯୮ ମାର୍ଚ୍ଚ ୧୯ ଓ ପୁଣି ୧୯୯୯ ଅକ୍ଟୋବର ୧୩ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଲେ। ବାଜପେୟୀ ହେଉଛନ୍ତି ଏକମାତ୍ର ଭାରତୀୟ ନେତା ଯିଏ ୪ଟି ଭିନ୍ନ ଭିନ୍ନ ରାଜ୍ୟ, ଯଥା ଉତ୍ତର ପ୍ରଦେଶ, ଗୁଜରାଟ, ଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହି ୪ଟି ଆସନରେ ସେ ବିଜୟୀ ହୋଇ ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିଥିଲେ।

ଜଣେ ମହାନ ବାଗ୍ମୀ ଭାବେ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ନିରବଚ୍ଛିନ୍ନ ଭାବେ ଯେ କୌଣସି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଉଦ୍‌ବୋଧନ ଦେଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ। ପୋଖରାନ୍ ପରମାଣୁ ପରୀକ୍ଷଣ, ଯୋଗାଯୋଗ କ୍ଷେତ୍ରରେ ସ୍ୱର୍ଣ୍ଣ ଚତୁର୍ଭୁଜ, ସର୍ବଶିକ୍ଷା ଅଭିଯାନ ସଫଳ ଏବଂ ନଦୀ ସଂଯୋଗୀକରଣ ପ୍ରସ୍ତାବ ଆଦି ବାଜପେୟୀଙ୍କ ଦେଶପ୍ରତି ବଳିଷ୍ଠ ଅବଦାନ ଥିଲା। ୧୯୯୯ରେ ପାକିସ୍ତାନ ବିପକ୍ଷରେ ଭାରତର କାରଗିଲ ବିଜୟ ତାଙ୍କ ଦୃଢ଼ ନେତୃତ୍ୱର ଆଉ ଏକ ପ୍ରମାଣ।

ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ତାଙ୍କର ଆଦର୍ଶଗତ ପାର୍ଥକ୍ୟ ଥିଲା ସତ, ମାତ୍ର କାହା ସହିତ ବ୍ୟକ୍ତିଗତ ସ୍ତରରେ ବିଦ୍ୱେଷ ନ ଥିଲା। ଆଉ ସେଇଥିପାଇଁ ତ’ ସେ ରାଜନୀତି, କବିତା ଏବଂ ପ୍ରେରଣାର ଉତ୍ସ, ସବୁଥିରେ ଅଟଳ ଥିଲେ। କୋଟି କୋଟି ଜନତାଙ୍କ ହୃଦୟରେ ଅଟଳ ଆଜିବି ବିରାଜମାନ। ମୃତ୍ୟୁ ତାଙ୍କୁ ଛୁଇଁ ବି ଛୁଇଁ ପାରନି। କାରଣ ସେ ମୃତ୍ୟୁ କୁ ବି ଭୟ କରୁନଥିଲେ। ଏମିତି ଏକ ଦୁଃସାହସିକ ଆହ୍ୱାନକୁ ସେ ନିଜର କବିତାରେ ମଧ୍ୟ ବ୍ୟକ୍ତ କରିଥିଲେ। ଯାହାର କୀୟଦଂଶ ଥିଲା ମୌତ୍‌ କୀ ଉମର କ୍ୟା ହୈ, ଦୋ ପଲ୍‌ ଭି ନେହିଁ…। ତାଙ୍କର କେବଳ ପାର୍ଥିବ ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଯାଇଛି ସିନା ସେ କାଳ କାଳ ପାଇଁ ଚିର ଅମର ଓ ଅଟଳ।