ମନରେ ଯେତେ ଦୁଃଖ ଥିଲେ ବି ସଞ୍ଜ ନଇଁ ଆସିଲେ ସବୁ ଭୁଲିବାକୁ ପଡ଼େ: ଗୌର ଦାସ

gouraଅଭିନୟକୁ ସେ ଜୀବନଠାରୁ ଅଧିକ ଭଲ ପାଆନ୍ତି। ଏପରିକି ବାପାମା’ଙ୍କ ମୃତ୍ୟୁ ଖବର ପାଇଲା ପରେ ବି କୋହକୁ ଚାପିରଖି ଓହ୍ଲାଇଥିଲେ ମଞ୍ଚକୁ। ସାରା ଜୀବନ ସେ ବଞ୍ଚି ଆସିଛନ୍ତି ଯାତ୍ରାର ନିଶାରେ। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିଜାମପୁର ଗାଁରେ ଜନ୍ମ ଗ୍ରହଣ କରିଥିବା ଯାତ୍ରା କଳାକାର ଗୌର ଦାସ। ୧୯୯୫ରେ ଯାତ୍ରା ଜୀବନ ଆରମ୍ଭ କରିଥିବା ଗୌର ନିଜର ସ୍ପଷ୍ଟ ସଂଳାପ ଉଚ୍ଚାରଣ ଓ ଉଚ୍ଚକୋଟୀର ଅଭିନୟ ପାଇଁ ବେଶ୍ ଜଣାଶୁଣା। ତାଙ୍କ ସହିତ ମନୋରଞ୍ଜନଙ୍କର ସ୍ୱତନ୍ତ୍ର ଆଳାପ।

ପ୍ରଶ୍ନ: ଅଭିନୟ ପ୍ରତି କେବେଠାରୁ ରୁଚି ରଖିଥିଲେ ଓ କାହାଠାରୁ ପ୍ରେରଣା ପାଇଥିଲେ?

ଉତ୍ତର: ପିଲା ବେଳୁ ଅଭିନୟ ପ୍ରତି ମୋର ରୁଚି ଥିଲା। ସ୍କୁଲ ଓ କଲେଜରେ ପଢ଼ୁଥିବା ବେଳେ ଡ୍ରାମା କରୁଥିଲି। ଲୋକେ ମୋ ଡ୍ରାମା ଦେଖି ବହୁ ପ୍ରଶଂସା କରୁଥିଲେ। ଡ୍ରାମାରେ ଅଭିନୟ କରୁ କରୁ ଉଠା ଜଳ ସେଚନ ବିଭାଗରେ ଚାକିରି କଲି। ୩ ବର୍ଷ ଚାକିରି କଲା ପରେ ଛଟେଇ ହୋଇଗଲି। ତା’ପରେ ଫଟୋ ଷ୍ଟୁଡ଼ିଅ କଲି। ସେହି ସମୟରେ ‘ବାଘାଜତିନ୍‌’ ଲୋକନାଟ୍ୟର ଏକ ଏନ୍‌ଜିଓ ପାଇଁ ଦୁଇଟି ବୃତ୍ତଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଲି। ଉକ୍ତ ବୃତ୍ତଚ୍ଚିତ୍ର ସୁଟିଂ ବେଳେ ବାଲେଶ୍ୱରର “ଜଗଦ୍ଧାତ୍ରୀ ଗଣନାଟ୍ୟ”ରେ ଅଭିନୟ କରିବାକୁ ସୁଯୋଗ ପାଇଲି। ସେଥିରେ ମୋର ପ୍ରଥମ ନାଟକ ଥିଲା “ମାଣିକ”। ଏହି ନାଟକରେ ମୁଁ ମୋତି ଭୂମିକାରେ ଅଭିନୟ କରିଥିଲି। ଏଥିପାଇଁ ମୋ ବାପା ସ୍ୱର୍ଗତ ଶ୍ରୀହରୀ ଚରଣ ଦାସଙ୍କଠାରୁ ପ୍ରେରଣା ପାଇଥିଲି।

ପ୍ରଶ୍ନ: ପ୍ରତିଯୋଗିତାମୂଳକ ବଜାରରେ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନ ନିଜର ପ୍ରମୁଖ କଳାକାରଙ୍କ ନାଁରେ ନାଟକ ଲେଖୁଛନ୍ତି। ଆପଣଙ୍କ ନାଁରେ କେବେ ଯାତ୍ରା ଲେଖାଯିବ?

ଉତ୍ତର: ଏବେ ଅନେକ ଯାତ୍ରାପାର୍ଟି ସେମାନଙ୍କ ପ୍ରତିଷ୍ଠିତ କଳାକାରଙ୍କ ନାଁରେ ନାଟକ ଲେଖୁଛନ୍ତି। କିନ୍ତୁ ଏହାର ବହୁ ପୂର୍ବରୁ ମୁଁ ମୋ ନାଁରେ ନାଟକରେ ଅଭିନୟ କରିଛି। ଧଉଳି ଗଣନାଟ୍ୟରେ ଥିବା ବେଳେ “ହେ ଗୌରା କାହିଁ କାନ୍ଦୁଛୁ” ନାଟକ ମୋତେ ମଞ୍ଚ ଦୁନିଆରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ପ୍ରଶ୍ନ: ଆପଣଙ୍କ ଚର୍ଚ୍ଚିତ ନାଟକ ସଂପର୍କରେ କିଛି କୁହନ୍ତୁ?

ଉତ୍ତର: “ହେ ଗୌରା କାହିଁ କାନ୍ଦୁଛୁ” ବ୍ୟତୀତ ଧଉଳି ଗଣନାଟ୍ୟରେ ଅଭିନୀତ ନାଟକ “କଥା ରହିଲା କାଳକାଳକୁ”, “କିଏ କାଚ କିଏ କାଞ୍ଚନ”, “କନିଆ ସାଜିଛି କଣ୍ଢେଇ ରାଣୀ”, ଶିବାନୀ ଗଣନାଟ୍ୟର “ରାଜଧାନୀ ଝିଅ ରାଜନନ୍ଦିନୀ”, “ହେ ଈଶ୍ୱର ନମସ୍କାର” ପ୍ରମୁଖ ମୋର ଚର୍ଚ୍ଚିତ ନାଟକ। ଏବେ ରଙ୍ଗମହଲରେ “କିଣି ନେଲା ମନ କଳା ନାଗର”, “ଖରାପ ଝିଅର ଗପ”, “ଲୁହରେ ଲେଖୁଛି ପ୍ରେମ କାହାଣୀ” ପ୍ରମୁଖ ନାଟକରେ ଅଭିନୟ କରୁଛି। ଦର୍ଶକ ମଧ୍ୟ ଏହି ନାଟକ ଗୁଡ଼ିକୁ ବେଶ୍‌ ପସନ୍ଦ କରିଛନ୍ତି।

ପ୍ରଶ୍ନ: ବାସ୍ତବ ଜୀବନ ଓ ଯାତ୍ରା ଜୀବନ ମଧ୍ୟରେ ଫରକ କ’ଣ?

ଉତ୍ତର: ମଣିଷ ଜୀବନର ଅର୍ଥ ଅଭିନୟ। ବାସ୍ତବ ଜୀବନରେ ସତସତିକା ଅଭିନୟ କରୁଛୁ। ମଞ୍ଚରେ ମିଛିମିଛିକା ଅଭିନୟ କରିବାକୁ ପଡ଼େ। ମନରେ ଯେତେ ଦୁଃଖ ଥିଲେ ବି ସଞ୍ଜ ନଇଁ ଆସିଲେ ସବୁ ଭୁଲିବାକୁ ପଡେ। ତା’ ନ ହେଲେ ରାତିରେ ନାଟ କରିବା କଷ୍ଟକର। ମୋ ଜୀବନରେ ଦୁଇଟି ଘଟଣା ଆଜି ବି ଭୁଲି ପାରିନି। ଯେତେ ଚାହିଁଲେ ବି ତାକୁ ଭୁଲି ପାରିବିନି। ବ୍ରହ୍ମପୁରରେ ମଞ୍ଚରେ ଅଭିନୟ କରୁଥିବାବେଳେ ମା’ ଚାଲି ଗଲେ। କିନ୍ତୁ ଘରକୁ ଆସି ପାରିଲିନି। ପୁରୀରେ ଶୁଦ୍ଧି ହେଲି। ଆଉ ଦିନେ ରାତି ୧୧ଟାରେ ଶୁଣିବାକୁ ପାଇଲି ମୋ ବାପାଙ୍କ ପରଲୋକ ହୋଇଗଲା। ରାତି ସାଢ଼େ ୧୧ଟାରେ ମୁହଁରେ ରଙ୍ଗ, ପାଉଡର ମାରି କଷ୍ଟ୍ୟୁମ୍‌ ପିନ୍ଧି କୋହଭରା ଦୁଃଖକୁ ମନରେ ଚାପିରଖି ରାତି ତମାମ ଅଭିନୟ କଲି। ତା’ପର ଦିନ ସକାଳେ ଘରକୁ ଫେରିଲି। ଏହାଠାରୁ ଦୁଃଖ ଜୀବନରେ ଆଉ କ’ଣ ଥାଇପାରେ?

ପ୍ରଶ୍ନ: ମଞ୍ଚରୁ ରିଲ୍‌ ଦୁନିଆକୁ ଯିବାକୁ କେବେ ସୁଯୋଗ ମିଳିଛି?

ଉତ୍ତର: ରିଲ ଦୁନିଆକୁ ଯିବା ପାଇଁ ବହୁବାର ସୁଯୋଗ ମିଳିଛି। ସମୟ ଅଭାବରୁ ଯିବାକୁ ମନା କରିଛି। ପ୍ରଥମ ଥର ସ୍ୱର୍ଗତ ହର ପଟ୍ଟନାୟକ ମୋତେ “ପୁଅ ମୋର ଭୋଳାଶଙ୍କର” ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ। ମାତ୍ର ମନା କରିଥିଲି। କାରଣ ବର୍ଷ ସାରା ଆମେ ମଞ୍ଚରେ ଅଭିନୟ କଲେ ଭଲ ପାରିଶ୍ରମିକ ମିଳେ। ସେଥିରେ ଆମ ପରିବାର ଚଳେ। ଯଦି ଆମେ ଚଳଚ୍ଚିତ୍ର ବା ଧାରାବାହିକରେ ଅଭିନୟ କରିବୁ ମଞ୍ଚକୁ ଛାଡ଼ିବାକୁ ପଡ଼ିବ। ଏବେ ପରିସ୍ଥିତି ଯାହା ହୋଇଛି ମଞ୍ଚକୁ ଛାଡ଼ି ଆମେ ରହିପାରିବୁ ନାହିଁ। କାରଣ ମଞ୍ଚରେ ଦର୍ଶକଙ୍କଠାରୁ ସିଧାସଳଖ ମତାମତ ପାଇଥାଉ, ଯାହା ଫିଲ୍ମରେ ଦେଖିବାକୁ ମିଳେନି।

ପ୍ରଶ୍ନ: ଆପଣଙ୍କ ବିବାହ ପ୍ରେମ୍‌ ନା ଆରେଞ୍ଜ? ୮ ମାସ ବାହାରେ ରହୁଛନ୍ତି କେବେ କିଛି ଅସୁବିଧା ହୋଇନି?

ଉତ୍ତର: ମୋର ଲଭ୍‌ କମ୍ ଆରେଞ୍ଜ ମ୍ୟାରେଜ୍।  ଭଗବାନଙ୍କ ଆଶୀର୍ବାଦରୁ ପାରିବାରିକ ଜୀବନରେ କେବେ କିଛି ଅସୁବିଧା ହୋଇନି। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବାକୁ ସବୁବେଳେ ଚେଷ୍ଟା କରେ। ସେଥିପାଇଁ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଳାରେ ଯାତ୍ରା ପଡ଼ିଲେ ନିଜ ଗାଡ଼ିରେ ଘରକୁ ଚାଲି ଆସେ। ସନ୍ଧ୍ୟା ହେଲେ ପୁଣି ଫେରିଯାଏ। ଏହାଛଡ଼ା ଦୁଇ ଦିନ ଛୁଟି ଦେବାକୁ ଯାତ୍ରା ପାର୍ଟି ମାଲିକଙ୍କ ସହିତ କଥା ହୋଇଥାଏ। ଯେଉଁଠି ଯାତ୍ରା ହେଉଥାଏ ଶେଷ ଦିନ ନାଟକ ନ କରି ଘରକୁ ଚାଲିଯାଏ।

ପ୍ରଶ୍ନ: ଆପଣ ଭଲ ଗୀତ ଗାଆନ୍ତି, ଏବେ ଗାଉଛନ୍ତି କି?

ଉତ୍ତର: ଭଲ ଗୀତ ଗାଉଥିଲି। ମଞ୍ଚରେ ଅଭିନୟ କଲା ପରେ ଗଳା ବସିଯିବାରୁ ଆଗପରି ଆଉ ବେଶି ଗୀତ ଗାଉନି। ବେଳେବେଳେ ଭଜନ ଗାଏ।