ଖୋର୍ଦ୍ଧା ଜିଲ୍ଲାର ଗାଁ- ରାସ୍ତା ନାହିଁ, ଲାଇନ୍‌ ନାହିଁ, ଅନ୍ୟ ସୁବିଧା ବି ସାତସପନ

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଠାରୁ ୪୦ କିମି ଦୂରରେ ରହିଛି ବଣପାହାଡ଼ ଘେରା ମହୁଲିଆ, ଶିବିଡ଼ା ଓ ନାଣ୍ଡଡୁରୁ ଗାଁ। ଏହି ତିନୋଟି ଗାଁରେ ପ୍ରାୟ ୭୫ଟି ଆଦିବାସୀ ପରିବାର ବସବାସ କରନ୍ତି। ତେବେ ସେମାନେ ମାଳ ମାଳ ସମସ୍ୟା ଭିତରେ ରୁନ୍ଧି ହୋଇ ରହିଛନ୍ତି। ଏହି ଗାଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି। […]

Balugaon

Balugaon

Tapaswini Nayak
  • Published: Thursday, 20 January 2022
  • Updated: 20 January 2022, 02:54 PM IST

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଠାରୁ ୪୦ କିମି ଦୂରରେ ରହିଛି ବଣପାହାଡ଼ ଘେରା ମହୁଲିଆ, ଶିବିଡ଼ା ଓ ନାଣ୍ଡଡୁରୁ ଗାଁ। ଏହି ତିନୋଟି ଗାଁରେ ପ୍ରାୟ ୭୫ଟି ଆଦିବାସୀ ପରିବାର ବସବାସ କରନ୍ତି। ତେବେ ସେମାନେ ମାଳ ମାଳ ସମସ୍ୟା ଭିତରେ ରୁନ୍ଧି ହୋଇ ରହିଛନ୍ତି। ଏହି ଗାଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।

ଏହି ତିନୋଟି ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଜଙ୍ଗଲ ଓ ଖାଲଖମା ରାସ୍ତା ଦେଇ ଗ୍ରାମବାସୀ ଯିବା ଆସିବା କରିଥା’ନ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗର୍ଭବତୀ ଓ ରୋଗୀମାନଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼େ।

ଏହି ତିନୋଟି ଗାଁରେ ସ୍କୁଲଟିଏ ନାହିଁ। ମହୁଲିଆ ଗାଁରେ ଗୋଟିଏ ପ୍ରାଥମିକ ସ୍କୁଲ ଥିଲା। ତେବେ ପିଲା ହେଉ ନାହାନ୍ତି କହି ତାକୁ ଦୁଇ ବର୍ଷ ହେବ ସରକାର ବନ୍ଦ କରି ଦେଇଛନ୍ତି। ଅବଶ୍ୟ ଏହି ତିନୋଟି ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଅଛି।

ଛାତ୍ର ରଥ ଜାନୀ କହିଛନ୍ତି, ମୁଁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଛି। ମୋ ବାପାଙ୍କ ପାଖରେ ପଇସା ନାହିଁ। ମୁଁ ଆଉ ପାଠ ପଢ଼ି ପାରିଲି ନାହିଁ।  ଏବେ ମୁଁ ଗାଈ ଚରାଉଛି।

ଏହି ତିନୋଟି ଗାଁରେ ପିଇବା ପାଣିର ସମସ୍ୟା ରହିଛି। ମହୁଲିଆ ଓ ଶିବିଡ଼ା ଗାଁରେ ଗୋଟିଏ ନଳକୂପ ରହିଥିବା ବେଳେ ନାଣ୍ଡଡୁରୁ ଗାଁରେ  ଗୋଟିଏ ନଳକୂପ ରହିଛି।  ଖରା ଦିନେ ଏହି  ନୂଳକୂପ ଗୁଡ଼ିରୁ ପାଣି ବାହାରେ ନାହିଁ। ତେଣୁ ଲୋକେମାନେ ଝରଣା ପାଣି ପିଇଥାନ୍ତି। ଅନ୍ୟ ଦିନ ମାନଙ୍କରେ ମଧ୍ୟ ଝରଣାରୁ ପାଣି ଆଣି ବ୍ୟବହାର କରନ୍ତି।

[caption id="attachment_707295" align="aligncenter" width="650"]balugaon ଗ୍ରାମବାସୀ ପାଇଁ ସାହା ଭରସା ଡବିରି ଆଲୁଅ[/caption]

ମହୁଲିଆ ଓ ଶିବିଡ଼ା ଗାଁରେ ବିଦ୍ୟୁତ୍‌ ସଂଯୋଗ ହୋଇ ନାହିଁ। ରାତି ହେଲେ ଗ୍ରାମବାସୀଙ୍କ ସାହା ଭରସା ହୋଇଥାଏ ଡିବିରି ଆଲୁଅ। ଦୁଇ ବର୍ଷ ତଳେ ଏହି ଦୁଇଟି ଗାଁରେ ସୋଲାର ସିଷ୍ଟମ୍‌ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ତାହା ମଧ୍ୟ ଅଚଳ ହୋଇଗଲାଣି। ନାଣ୍ଡଡୁରୁ ଗାଁରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି।

ଏହି ତିନୋଟି ଗାଁରେ ଡାକ୍ତରଖାନାଟିଏ ନାହିଁ। ଗାଁର କାହାର ଦେହ ଖରାପ ହେଲେ  ଗ୍ରାମବାସୀ ଗାଁଠାରୁ ୨୦ କିଲୋ ମିଟର ଦୂରରେ ଥିବା ନିଳାଦ୍ରୀ ପ୍ରସାଦ ଗୋଷ୍ଠୀ କେନ୍ଦ୍ରକୁ ଯାଇଥା’ନ୍ତି  ନ ହେଲେ ୪୦ କି.ମି. ଦୂରରେ ଥିବା ବାଣପୁର ଡାକ୍ତରଖାନାକୁ ଯାଇଥା’ନ୍ତି।

ଏହି ତିନୋଟି ଗାଁରେ କିଛି ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। କିନ୍ତୁ ଆହୁରି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନଥିବା ଅଭିଯୋଗ ହୋଇଛି। ଲୋକେ ଭଙ୍ଗା ଘରେ ଓ ଚାଳଛପର ଘରେ ରହୁଛନ୍ତି। ଏହାସହ ଏହି ତିନୋଟି ଗାଁର ଲୋକଙ୍କୁ ପାଇଖାନା ମଧ୍ୟ ମିଳିନାହିଁ।

[caption id="attachment_707294" align="aligncenter" width="650"]balugaon ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନାହିଁ[/caption]

ଏହି ତିନୋଟି ଗାଁରେ ମୋବାଇଲା ଫୋନ୍ ଚଲାଇବା ପାଇଁ ଭଲ ନେଟୱର୍କ ଆସେ ନାହିଁ। ଯାହାଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି।

ଗାଁର ସମସ୍ୟା ନେଇ ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ସ୍ଥାନୀୟ ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରୀ କରିଛନ୍ତି। କିନ୍ତୁ କେହି ସେମାନଙ୍କ କଥା ଶୁଣି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ପ୍ରକାଶ ଜାନୀ କହିଛନ୍ତି, ନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ଆମ ଗାଁକୁ ଆସି ବୁଲି ଯାଇଛନ୍ତି। ଗାଁରେ ଥିବା ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଯାଇଛନ୍ତି, ହେଲେ କିଛି ଫଳପ୍ରଦ ହୋଇନି।

ବାଣପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି, କିଛି ଗାଁ ରେଭୁନ୍ୟୁରେ ଓ ଆଉ କିଛି ଜଙ୍ଗଲ ବିଭାଗ ଅଧୀନରେ ରହିଛି। ସୋମାନଙ୍କ ସହ କଥା ହୋଇ ଗାଁରେ ଥିବା ସମସ୍ୟା ଗୁଡ଼ିକ ସମାଧାନ କରାଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos