/odisha-reporter/media/post_attachments/uploads/2022/06/Bahaghara-1.jpg)
Bahaghara-1
କାମାକ୍ଷାନଗର(ବିଦ୍ୟାଧର ବରାଳ): ଡିଜେ ବାଜିଛି। ଡିଜେର ତାଳେତାଳେ ବରଯାତ୍ରୀ ବି ମନପୂରେଇ ନାଚିଛନ୍ତି। ବାଜା, ବାଣ, ରୋଷଣୀରେ ଗାଁ ଦାଣ୍ଡ ଦୁଲିକିଛି। ଶେଷରେ ହାତଗଣ୍ଠି ମଧ୍ୟ ପଡ଼ିଛି। ସମସ୍ତେ ଖାଇ ପିଇ ଯେ ଯାହାଘରକୁ ଯିବାପରେ ଜଣାପଡ଼ିଛି ଏମାନେ ଥିଲେ ସତସତିକା ବରଯାତ୍ରୀ, ହେଲେ ହୋଇଛି ମିଛିମିଛିକା ବାହାଘର।
ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଝିଲ୍ଲୀ ପଞ୍ଚାୟତର ଟମ୍ପେଇ ଗାଁରେ ଘଟିଛି ଏହି ଘଟଣା। ରଜ ପର୍ବ ଅବସରେ ପାଳନ ହେଇଛି ଏହି ପାରମ୍ପରିକ ଉତ୍ସବ। ପରମ୍ପରା ମୁତାବକ, ବାଜାବାଣ ସହ ବର ଆସି ପହଞ୍ଚିବା ପରେ କନିଆଁ ସହ ହାତଗଣ୍ଠି ପଡ଼ି ବାହାଘର ହୋଇଥିଲା। କନ୍ୟା ପିତା ଝିଅ ବିଦା ମଧ୍ୟ କରିଥିଲେ। ହୁଳହୁଳି, ହସଖୁସି, ଭୋଜିଭାତରେ ଝିଅ ବିଦା ହୋଇଥିଲା। ରଜରେ ଏଭଳି ସତସତିକା ଉତ୍ସବ ପାଳନ ହୋଇଥିଲା, କିନ୍ତୁ ବିଧି ଥିଲା ସମ୍ପୂର୍ଣ୍ଣ ମିଛ। କାରଣ ରଜ ମଉଜ ପାଳନ ନିମନ୍ତେ ଦୀର୍ଘବର୍ଷ ଧରି ଏଠାରେ ଏଭଳି ପରମ୍ପରା ପାଳନ କରାଯାଇଛି।
[caption id="attachment_741962" align="aligncenter" width="650"]
ଡିଜେ ଓ ରୋଷଣୀ ଭିତରେ ବରଯାତ୍ରୀ ଯାଉଛନ୍ତି।[/caption]
ସ୍ଥାନୀୟ ଲୋକଙ୍କ କହିବା କଥା, ରଜ ପର୍ବ ଆମ ଓଡ଼ିଆ ମାନଙ୍କର ଏକ ବଡ଼ ଗଣପର୍ବ। ରଜ ଉତ୍ସବ ପାଳନକୁ ନେଇ ସମସ୍ତଙ୍କ ମନ ଭିତରେ ଭରି ରହିଥାଏ ଅନେକ ଉତ୍କଣ୍ଠା। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ମଧ୍ୟ ରଜ ପର୍ବକୁ ଲୋକମାନେ ବେଶ ଆନନ୍ଦ ଓ ଉଦ୍ଦୀପନାର ସହିତ ପାଳନ କରିଥାନ୍ତି। ପରମ୍ପରା ମୁତାବକ, ଦୁଇ ଶିଶୁକନ୍ୟାଙ୍କୁ ବର ଓ କନ୍ୟା କରାଯାଇଥାଏ। ଏଭଳି ନିଆରା ବିହାଘରରେ ପୂରା ଗାଁ ଲୋକେ ସାମିଲ ହୋଇଥାନ୍ତି। ଯାହା ଗାଁରେ ଭାଇଚାରା ଓ ଏକତାକୁ ଦୃଢ଼ୀଭୂତ କରିବା ସହ ସମସ୍ତଙ୍କ ମନରେ ଖୁସି ଭରି ଦେଇଥାଏ।
ରଜ ପର୍ବକୁ ଲୋକମାନେ ନିଆରା ଢଙ୍ଗରେ ୩ଦିନ ଧରି ପାଳନ କରିଥାନ୍ତି। ଗାଁର ଛୋଟ ବୟସର କିଶୋରୀମାନଙ୍କୁ ବର ଓ କନିଆ କରାଯାଇଥାଏ। ବାରଘର ଭଳି ସମସ୍ତ ବନ୍ଦୋବସ୍ତ ହୋଇଥାଏ। ତେବେ ମିଛି ମିଛିକା ବାହାଘର ହୋଇଥାଏ। ବିବାହ ଉତ୍ସବରେ ଗାଁର ସମସ୍ତ ଯୁବତୀ ଓ ମହିଳାମାନେ ବିଶେଷ ଭୂମିକା ନେଇଥାନ୍ତି।
ସେମାନେ ଉଭୟ କିଶୋରୀଙ୍କୁ ବରକନ୍ୟା ବେଶରେ ସଜେଇ ଦେଇଥାନ୍ତି । ବିଧି ମୁତାବକ ହରିବୋଲ, ହୁଳହୁଳି ଦେଇ ବାଟବରଣୀ କରିବା ସହ ଗାଡ଼ିରେ ବସେଇ ଦେଇଥାନ୍ତି। ପରେ ଡିଜେ ଗୀତ ଓ ବ୍ୟାଣ୍ଡ ପାର୍ଟି ସହ ଗାଁରେ ଶୋଭାଯାତ୍ରାରେ ବରଯାତ୍ରୀ କନ୍ୟାଘର ଅଭିମୁଖେ ଯାଇଥିଲେ। ଏଥିରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନୃତ୍ୟ ଗୀତରେ ମସଗୁଲ ହୋଇଥିଲେ। ପ୍ରସ୍ତୁତ ହୋଇଥିବା ଦେବୀରେ କଣ୍ଢେଇ ମୂର୍ତ୍ତି ସହ ବରକନ୍ୟାମାନଙ୍କୁ ବିବାହ କରାଯାଇଥିଲା। ହାତଗଣ୍ଠି ମଧ୍ୟ ପଡ଼ିଥିଲା। ଏଥିପାଇଁ ବର କନ୍ୟା ପକ୍ଷରୁ ବର ଓ କନ୍ୟା ପିତା ବଛା ଯିବା ସହ ବିବାହ କାର୍ଯ୍ୟ ସେମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା। ବାହାଘର ସରିବା ପରେ ସମସ୍ତେ ଭୋଜିରେ ସାମିଲ ହୋଇଥିଲେ। ମିଛିମିଛିକା ବାହାଘର ହୋଇଥିଲେ ହେଁ ସମସ୍ତେ ଏକ ସଙ୍ଗେ ଏକାଠି ହୋଇ ପରସ୍ପରକୁ ଖୁସି ବାଣ୍ଟିଥିଲେ।
[caption id="attachment_741963" align="aligncenter" width="650"]
ବରକନିଆ ବେଶରେ ସଜେଇ ହୋଇଥିବା ଦୁଇ କିଶୋରୀ।[/caption]
ଏହି ଅବସରରେ ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଓ ଖେଳ ଜରିଆରେ ଗାଁରେ ଏହି ରଜ ମହୋତ୍ସବ ପାଳନ କରାଯିବ। ମୁଖ୍ୟତଃ ଗାଁର ଯୁବତୀ ଓ ମହିଳାମାନେ ଏହି ମହୋତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଏହି ଗଣପର୍ବ ରଜ ମହୋତ୍ସବ ଭାଇଚାରାକୁ ଦୃଢ଼ିଭୂତ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
