ପର୍ଯ୍ୟଟନ ବିକାଶ ଭେଳିକି!

ଗତ ୮ ବର୍ଷ ହେଲା ପର୍ଯ୍ୟଟନ ନୀତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଏପରକି କୌଣସି ଗୋଟିଏ ବି ନୂଆ ପର୍ଯ୍ୟଟନସ୍ଥଳି ଚିହ୍ନଟ କରି ନାହାଁନ୍ତି ସରକାର।

  • ସ୍ୱାତୀ ଜେନା

ରାଜ୍ୟରେ କେମିତି ରହିଛି ପର୍ଯ୍ୟଟନର ସ୍ଥିତି? କେତେ ବଢ଼ୁଛନ୍ତି ପର୍ଯ୍ୟଟକ? କେଉଁ ନୂଆ ପର୍ଯ୍ୟଟନସ୍ଥଳି ଚିହ୍ନଟ କରିଛନ୍ତି ସରକାର? ପର୍ଯ୍ୟଟନ ବିକାଶ ନାଁରେ ମଞ୍ଜୁର ହୋଇଥିବା ଅର୍ଥ କୁଆଡ଼େ ଯାଉଛି? ବିଧାନସଭା ପ୍ରଶ୍ନକାଳ ଖୋଲି ଦେଇଛି ପର୍ଯ୍ୟଟନକୁ ନେଇ ରାଜ୍ୟ ସରକାରଙ୍କ ଅସଲ ମୁଖା। ନିଜ ଦଳର ବିଧାୟକ ଧୃବ ଚରଣ ସାହୁଙ୍କ ମୂଳ ପ୍ରଶ୍ନର ଉତ୍ତର ପରେ ରାଜ୍ୟରେ ପର୍ଯ୍ୟଟନର ବାସ୍ତବ ସ୍ଥିତି ଓ ୨୦୧୬ ପର୍ଯ୍ୟଟନ ନୀତି ରାଜ୍ୟରେ କେତେ କାର୍ଯ୍ୟକ୍ଷମ ହୋଇ ପାରିଛି, ତାକୁ ନେଇ ଉଠିଛି ପ୍ରଶ୍ନ।

ଗତ ୮ ବର୍ଷ ହେଲା ପର୍ଯ୍ୟଟନ ନୀତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଏପରକି କୌଣସି ଗୋଟିଏ ବି ନୂଆ ପର୍ଯ୍ୟଟନସ୍ଥଳି ଚିହ୍ନଟ କରି ନାହାଁନ୍ତି ସରକାର। ୨୦୧୬ ପର୍ଯ୍ୟଟନ ନୀତି ଅନୁଯାୟୀ ସରକାର ମୁଖ୍ୟତଃ ଇକୋ ଟୁରିଜିମ୍‌ ଓ ଐତିହାସିକ ସ୍ଥଳିଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ବିଧାନସଭାରେ ବିଭିନ୍ନ ବିଧାୟକଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଜଣାଇ ଦେଇଛି, ଗୋଟିଏ ବି ହେଲେ ପ୍ରାକୃତିକ ସ୍ଥଳିର ବିକାଶ ଇତି ମଧ୍ୟରେ କରାଯାଇ ନାହିଁ। ଏପରିକି ସ୍ୱାଧୀନତା ସଂଗ୍ରାମକୁ ନେଇ ଓଡ଼ିଶାରେ ଯେଉଁ ଗୌରବମୟ ଐତିହାସିକ ସ୍ଥଳି ରହିଛି, ତାର ମଧ୍ୟ କୌଣସି ବିକାଶ କରାଯାଇ ନାହିଁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାର ଭୀମପାହାଡ଼ କଥା ଉଠାଇ ସରକାରଙ୍କୁ ସିଧାସଳଖ କାଠଗଡ଼ାକୁ ଟାଣିଥିଲେ। ୬୩ଟି ଗୁପ୍ତ ଗୁମ୍ପା ଥିବା ଏହି ପାହାଡ଼ର ବିକାଶ ପାଇଁ ଜଙ୍ଗଲ ବିଭାଗ ୭ କୋଟି ଟଙ୍କା ଓ ରାସ୍ତା ସଂଯୋଗୀକରଣ ପାଇଁ ଗ୍ରାମୀଣ ବିକାଶ ବିଭାଗ ୩ କୋଟି ମଞ୍ଜୁର କରିଥିଲା। ହେଲେ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି କାମ ପାଦେ ବି ଆଗେଇ ପାରନି। ବିଳମ୍ବିତ କାମ ପାଇଁ ଏବେ ବଜେଟ୍ ବଢ଼ିଯିବା ନେଇ ଆଶଙ୍କା କଲେଣି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।

ସେହିପରି ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପର୍ବତ, ପାଇକ ବିଦ୍ରୋହର ମୂକସାକ୍ଷୀ। ହେଲେ ଏହାର ବିକାଶ ପାଇଁ ଯେଉଁ ଅର୍ଥ ଆସିଥିଲା ତାହା ସଂପୂର୍ଣ୍ଣ ଉଠା ସରିଥିବା ବେଳେ କାମ କିନ୍ତୁ ଅଧପନ୍ତରା ରହି ଯାଇଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁ।

ଭଦ୍ରକ ଜିଲ୍ଲା ରକ୍ତ ତୀର୍ଥ ଭାବେ ପରିଚିତ ଇରମ। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନରେ ରକ୍ତାକ୍ତ ହୋଇଥିଲା ଏହି ପବିତ୍ର ମାଟି। ଏହି ସ୍ଥାନର ବିକାଶ ପାଇଁ ଯଦିଓ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ କାମ ସେମିତି କିଛି ଆଖି ଦୃଶିଆ ହୋଇ ପାରିନଥିବା କହିଥିଲେ ବିଧାୟକ ବିଷ୍ଣବ୍ରତ ରାଉତରାୟ। ଚାରିବାଟିଆକୁ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀ ୩ ତିନି ଥର ଆସିଥିଲେ। ହେଲେ କେବଳ ଛକରେ ଗାନ୍ଧୀଜୀଙ୍କ ଏକ ପ୍ରତିମୂର୍ତ୍ତିକୁ ଛାଡ଼ି ଦେଲେ ସେଠାରେ ସେପରି କୌଣସି ସ୍ମାରକୀ କରଯାଇନଥିବା କ୍ଷୋଭର ସହ କହିଥିଲେ ବିଷ୍ଣୁବ୍ରତ।

କେବଳ ସେତିକି ନୁହେଁ, ନନ୍ଦନକାନନଠାରୁ ନେଇ ଭିତରକନିକା ଅଭୟାରଣ୍ୟ ଏପରିକି ଦେଓମାଳି, ମାଛକୁଣ୍ଡଠାରୁ ନେଇ ବୌଦ୍ଧ ମାଲକାନଗିରିରେ ପର୍ଯ୍ୟଟନର ବିକାଶ ନେଇ ସ୍ଥାନୀୟ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି। ହେଲେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି ସବୁ ଅଂଚଳରେ ଜଙ୍ଗଲ ବିଭାଗର ଜମି ଥିବାରୁ ପର୍ଯ୍ୟଟନ ବିଭାଗ କୌଣସି ବିକାଶ କାର୍ଯ୍ୟ କରି ପାରିବ ନାହିଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ।

୨୦୧୬ ପର୍ଯ୍ୟଟନ ନୀତିରେ ଇକୋ ଟୁରିଜିମ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର। କିନ୍ତୁ ପର୍ଯ୍ୟଟନ ବିକାଶ କଥା ଉଠିଲା ବେଳକୁ ଜଙ୍ଗଲ ବିଭାଗ ସ୍ଥାନରେ ପର୍ଯ୍ୟଟନ ବିଭାଗ ହସ୍ତକ୍ଷେପ କରି ପାରିବ ନାହିଁ କହି ଆଡ଼େଇ ଯାଇଛନ୍ତି ମନ୍ତ୍ରୀ। ଏପଟେ କିନ୍ତୁ ପର୍ଯ୍ୟଟକଙ୍କୁ ଆକୃଷ୍ଣ କରିବା ପାଇଁ ରାଜ୍ୟ ସରକାର ଇକୋ ରିଟ୍ରିଟ୍ ଭଳି ଅସ୍ଥାୟୀ ରହଣି ବ୍ୟବସ୍ଥା କରି କୋଟି କୋଟି ଟଙ୍କା ନଷ୍ଟ କରିବାରେ ବ୍ୟସ୍ତ। କାରଣ ଗତ ଦୁଇ ବର୍ଷ ହେଲା ପର୍ଯ୍ୟଟକଙ୍କ ତାଲିକା ଓ ବୁକିଂରୁ ହିଁ ଜଣା ପଡ଼ିଯାଉଛି ଇକୋଟିଟ୍ରିଟ୍ କେତେ ସଫଳ?

୧୯୮୦ ମସିହାରୁ ହୋଟେଲକୁ ରାଜ୍ୟରେ ଶିଳ୍ପର ମାନ୍ୟତା ମିଳିଲାଣି। କିନ୍ତୁ ଏବେବି ରାଜ୍ୟରେ ପ୍ରାୟ ୨୦୦ ବ୍ଲକରେ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟକ ରହିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଭୁବନେଶ୍ୱର ଓ ପୁରୀକୁ ଛାଡ଼ିଲେ କୌଣସି ସ୍ଥାନରେ ତାରକା ହୋଟେଲ ନାହିଁ। ହୋଟେଲ ଶିଳ୍ପ ପାଇଁ ୨୦ ପ୍ରତିଶତ ସବସିଡି ଦେଉଛନ୍ତି ସରକାର। ଏହା ପରେ ବି ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥାନରେ କାହିଁକି ହୋଟେଲ ନିର୍ମାଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ ନର୍ଲା ବିଧାୟକ ଭୁପିନ୍ଦର ସିଂହ।

ରାଜ୍ୟରେ ବିଗତ ୩ ବର୍ଷର ରିପୋର୍ଟକୁ ଯଦି ଅନୁଧ୍ୟାନ କରିବା ତାହାଲେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଜଣାପଡ଼ିବ। ୨୦୧୯ରେ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧ କୋଟି ୫୪ ଲକ୍ଷ ୨୨ ହଜାର। ୨୦୨୦ କୋଭିଡ ପରେ ଏହି ସଂଖ୍ୟା ୪୬ ଲକ୍ଷ ୩୨ ହଜାରକୁ ଖସି ଆସିଲା। ଏପରିକି ୨୦୨୧ରେ ଏହା କମି ୩୭ ଲକ୍ଷ ୪୦ ହଜାରରେ ପହଁଚିଗଲା। ଏବେ ୨୦୨୨ରେ କେତେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ରାଜ୍ୟ ସରକାର ସଫଳ ହେଉଛନ୍ତି ତାହା ପର୍ଯ୍ୟଟନ ଋତୁ ଆସିଲେ ହିଁ ଜଣା ପଡ଼ିବ।

କେରଳ, ମେଘାଳୟ, ଛତିଶଗଡ଼ ଭଳି ରାଜ୍ୟ ନିଜର ପ୍ରାକୃତିକ ସମ୍ପତ୍ତିର ବିକାଶ କରି ପର୍ଯ୍ୟଟନକୁ ହିଁ ରାଜ୍ୟର ଅର୍ଥନୀତି ସହ ଯୋଡ଼ି ପାରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରି ପାରିଛନ୍ତି। ହେଲେ ଆମ ରାଜ୍ୟ ଓଡ଼ିଶା ସୁଦୀର୍ଘ ସମୁଦ୍ର ତଟ, ପର୍ବତ, ଝରଣା ଓ ପ୍ରପାତରେ ଭରପୂର ଥିବା ସତ୍ତ୍ୱେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ବେଶ ପଛରେ ରହିଛି। ଗୌତମ ବୁଦ୍ଧଙ୍କଠାରୁ ନେଇ ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ, ଶିଶୁପାଳଗଡ଼ଠାରୁ ଚୁଡ଼ଙ୍ଗ ଗଡ଼, ପାଇକ ବିଦ୍ରୋହଠାରୁ ନେଇ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ବଳିଦାନକୁ ନେଇ ଗୌରବମୟ ଇତିହାସ ରହିଛି। କିନ୍ତୁ ଐତିହାତିକ ସ୍ଥଳି ଗୁଡ଼ିକର ବିକାଶ ଓ ସଂରକ୍ଷଣ ଅଭାବରୁ ଅନେକ କିମ୍ବଦନ୍ତୀ ଆଜି ମାଟିରେ ମିଶିବାକୁ ବସିଲାଣି। ତଥାପି ରାଜ୍ୟ ସରକାର ପର୍ଯ୍ୟଟନର ବିକାଶରେ କେବଳ ଫମ୍ପା ଡିମ୍‌ଡିମ ପିଟିବାରେ ବ୍ୟସ୍ତ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।