ସେଇ ଫଟୋ ପାଇଁ…ପ୍ରଶ୍ନ ପଚାରୁଥିଲା ବିବେକ, ଆଉ ପଶ୍ଚାତାପ ନିଆଁରେ ଜଳିଗଲେ କେଭିନ୍‌

ଦକ୍ଷିଣ ସୁଦାନରେ ଖାଦ୍ୟ ଅଭାବରୁ କୁପୋଷଣର ଶିକାର ହୋଇଥିବା ଏକ ଛୋଟ ଶିଶୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଛି। ଆଉ ତା’ର ଠିକ୍‌ ପଛକୁ କିଛି ହାତ ଛାଡ଼ି ଏକ ଶାଗୁଣା ବସିଛି। ଏହି ଦୃଶ୍ୟକୁ ଦେଖି ଆପଣ ଶାଗୁଣାର ଉଦ୍ଦେଶ୍ୟ ବୁଝିସାରିଥିବେ।

କିଛି ବର୍ଷ ପୂର୍ବେ ଏଭଳି ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ବି ସମୟ ସମୟରେ ମରୁଡ଼ି ସ୍ଥିତି ଦେଖା ଦେଲେ ଏହି ଫଟୋଟି ସୋଶାଲ୍‌ ମିଡିଆରେ ଭାଇରାଲ୍ ହୁଏ। ଏହି ବିରଳ ଫଟୋକୁ ଏବେ ବି କୋଟି କୋଟି ଲୋକ ସେୟାର ଓ ଟ୍ୟାଗ୍ କରୁଛନ୍ତି।

ଏହି ଫଟୋ ପାଇଁ ଫଟୋଗ୍ରାଫରଙ୍କୁ ଦିନେ ବହୁତ ଅନୁତାପ କରିବାକୁ ପଡ଼ିଥିଲା। ଆଉ ଫଟୋ ଉଠାଇବା ୩ ମାସ ପରେ ଅନୁତାପର ଅନଳରେ ଛଟ୍‌ପଟ୍‌ ହୋଇ ଫଟୋଗ୍ରାଫର ଜଣକ ଆତ୍ମହତ୍ୟା କରିଥିଲେ।

ତେବେ କିଏ ଏହି ଫଟୋଗ୍ରାଫର ? କାହିଁକି ତାଙ୍କର ଏହି ଫଟୋଟି ଏତେ ଚର୍ଚ୍ଚିତ ହୋଇଥିଲା? କଣ ରହିଛି ଏହି ଫଟୋ ପଛରେ କରୁଣ କାହାଣୀ ? ଏସବୁ ବିଷୟରେ ଆପଣ ଉଣା ଅଧିକ ଜାଣିଥିବେ ନିଶ୍ଚୟ। କିନ୍ତୁ ସମୟ ଗଡ଼ିବା ସହିତ କଥାଟି ମଧ୍ୟ ସମୟ ସହିତ ବହୁତ ପଛକୁ ପଳେଇଗଲାଣି । ଫଟୋ ପଛରେ ଥିବା ସେହି କରୁଣ କାହାଣୀକୁ ଆଜି ଆଉ ଥରେ ଆପଣଙ୍କ ସାମ୍ନାରେ ଉଦ୍‌ଜୀବିତ କରିବାକୁ ଚାହୁଁଛୁ।

ଏହି ଫଟୋଟି ୧୯୯୩ ମସିହାରେ ପ୍ରଖ୍ୟାତ ଫଟୋଗ୍ରଫର କେଭିନ୍‌ କାର୍ଟର ଉଠାଇଥିଲେ। ଅନାହାର ସହ ଯୁଝୁଥିବା ଦେଶ ଦକ୍ଷିଣ ସୁଦାନରେ କେଭିନ୍‌ ଏହି ଫଟୋଟିକୁ ଉଠାଇଥିଲେ।

ଏହି ଫଟୋରେ ଅନାହାରରେ ଥିବା ଏକ ଶିଶୁଟି ଅତି କ୍ଷୀଣ ଗତିରେ ମାଟିରେ ଘୁସୁରି ଘୁସୁରି ତା’ ଝୁମ୍ପୁଡ଼ିକୁ ଫେରିବାକୁ ଚେଷ୍ଟା କରୁଛି। ଆଉ ତା ବାପା,ମା’ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲକୁ ଯାଇଛନ୍ତି। କିଛିଦିନ ହେବ ପିଲାଟି କିଛି ଖାଇ ନ ଥିବାରୁ ପେଟର ଭୋକ ତାକୁ ନାକେଦମ କରିପକାଉଛି। କେଇ ଖଣ୍ଡ ହାଡ଼ ଧରି ଧରି ପିଲାଟି ମାଟିରେ ଘୁସୁରୁଛି। ଆଉ ଏହି ସମୟରେ ତା’ର ମୃତ୍ୟୁକୁ ଅପେକ୍ଷା କରି ପଛରେ ଜଗି ବସିଛି ମାଂସଲୋଭି ଶାଗୁଣା। ପିଲାଟି ମୃତ୍ୟୁ କବଳରେ ପଡ଼ିଲା ମାତ୍ରେ ତା’ର ନରମ ମାଂସକୁ ଝୁଣି ଖାଇବ ସେ। ଏହି ଦୃଶ୍ୟଟିକୁ ନିଜ କ୍ୟାମେରାରେ ତୋଳି ଧରିବା ପାଇଁ କେଭିନ୍‌ ଅନେକ ସମୟ ଧରି ସେଠାରେ ଅପେକ୍ଷା କରି ରହିଥିଲେ। ଆଉ ଶେଷରେ ଫଟୋଟିକୁ ସଫଳତାର ସହ ଉଠାଇ ସାରିଲା ପରେ ଶାଗୁଣାଟିକୁ ଉଡ଼ାଇ ଦେଇଥିଲେ।

ଏହାପରେ ସେ ଫେରିଆସି ଫଟୋଟିକୁ ନ୍ୟୁୟର୍କ ଟାଇମ୍ସକୁ ବିକ୍ରି କରିଦେଇଥିଲେ। ଫଳରେ ପ୍ରଥମଥର ପାଇଁ ମାର୍ଚ୍ଚ ୨୬ ତାରିଖ ୧୯୯୩ରେ ଫଟୋଟି ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ହୋଇଥିଲା। ଏହାର କ୍ୟାପ୍‌ସନ ଥିଲା ‘metaphor for Africa’s despair’। ଅର୍ଥାତ୍ ଆଫ୍ରିକାର ନିରାଶ ରୂପ। ଏହି ଫଟୋ ପାଇଁ କେଭିନଙ୍କୁ ବହୁ ପ୍ରତିଷ୍ଠିତ ପୁଲିତ୍‌ଜର ପୁରସ୍କାର ମିଳିଥିଲା। ଫଟୋ ପ୍ରକାଶିତ ହେବା ପରେ ହଜାର ହଜାର ଲୋକ କେଭିନଙ୍କୁ ଏହି ଶିଶୁଟି ବିଷୟରେ ପଚାରିଥିଲେ। ଅନେକ ଲୋକ ତାଙ୍କୁ ସାମାଲୋଚନା ମଧ୍ୟ କରିଥିଲେ। ଫଟୋଟି ଉଠାଇବା ଆଗ ନା ପିଲାଟିକୁ ବଞ୍ଚାଇବା ଆଗ ବୋଲି ପ୍ରଶ୍ନ ଉଠିଥିଲା।

କିନ୍ତୁ ସେତେବେଳେ ଦକ୍ଷିଣ ସୁଦାନରେ ବ୍ୟାପିଥିଲା ଭୟଙ୍କର ସଂକ୍ରାମକ ରୋଗ। ସେଥିପାଇଁ ଫଟୋଗ୍ରାଫର କିମ୍ବା ସାମ୍ବାଦିକମାନଙ୍କୁ ଦକ୍ଷିଣ ସୁଦାନରେ ଅଧିବାସୀଙ୍କଠାରୁ ଦୂରେଇ ରହିବାକୁ ଜାତିସଙ୍ଘ ନିର୍ଦ୍ଦେଶ ଦେଇଥିଲା। ଏହି କାରଣରୁ କେଭିନ ସେହି ମୃତପ୍ରାୟ ଶିଶୁଟିକୁ ଉଠାଇ ପାରି ନ ଥିଲେ। କିନ୍ତୁ ଲୋକମାନେ ଏହା ଜାଣି ନ ଥିବାରୁ କେଭିନଙ୍କୁ ନିର୍ଦ୍ଦୟୀର ଆଖ୍ୟା ଦେଇ ସମାଲୋଚନା କରିଥିଲେ।

ଏସବୁ ସମାଲୋଚନା ଶୁଣିବା ପରେ ଭାଙ୍ଗି ପଡ଼ିଥିଲେ କେଭିନ୍‌। ଏପରିକି ପ୍ରତିଷ୍ଠିତ ପୁଲିତ୍‌ଜର ପୁରଷ୍କାର ଜିତି ମଧ୍ୟ ଖୁସି ନ ଥିଲେ ସେ। ତାଙ୍କୁ ଲାଗୁଥିଲା ସେ ଯେମିତି ନିଜ ବିବେକ ଆଗରେ ହାରି ଯାଇଛନ୍ତି। ବାରମ୍ବାର ସେହି ଅସହାୟ ଶିଶୁର ଦୟନୀୟ ଚେହେରା ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଶିଶୁ ବିଷୟରେ ଲୋକମାନଙ୍କର ନାନା ପ୍ରଶ୍ନ  ତାଙ୍କ ନିଦ ହଜେଇ ଦେଉଥିଲା। ଲୋକମାନଙ୍କ କଟାକ୍ଷ ଓ ସାମାଲୋଚନା ମନେ ମନେ ଗୁଣି ହେଉଥିଲେ ସେ।

କ’ଣ ହେଲା ସେହି ଘଟଣାର ଶେଷ ଦୃଶ୍ୟ ? ଶିଶୁଟି ବଞ୍ଚିଲା ନା ମରିଗଲା ? ଏହିସବୁ ପ୍ରଶ୍ନ ତାଙ୍କ ମନକୁ ବ୍ୟଥିତ କରୁଥିଲା। ସେ ପିଲାଟିକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ ନାହିଁ ବୋଲି ନିଜକୁ ସବୁବେଳେ ଦୋଷୀ ମନେକଲେ। ଏହି ଦୁଃଖର ଚାପରେ ଧୀରେ ଧୀରେ ଏକା ହେଇ ଯାଉଥିଲେ କେଭିନ୍‌। ଆଉ ନ୍ୟୁୟର୍କ ଟାଇମ୍‌ସରେ ଫଟୋ ପ୍ରକାଶିତ ହେବାର ୩ ମାସ ପରେ ଯୁବା ଅବସ୍ଥାରେ ସେ ଆତ୍ମହତ୍ୟା କରିଥିଲେ।

ଏହି ଫଟୋ ହିଁ କେଭିନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା। ଆଉ ଏହି ଫଟୋ ହିଁ ତାଙ୍କ ମୃତ୍ୟୁର କାରଣ ହେଲା। ଯେଉଁ ସଫଳତା ପାଇଁ ମଣିଷ ଦିନରାତି ଏକ କରିଦିଏ ଶେଷରେ ସେଇ ସଫଳତା ଯେ ତା’ର ମୃତ୍ୟୁର କାରଣ ହୁଏ ଏଭଳି ଭିନ୍ନ ଗୋଟିଏ କଥା କେଭିନଙ୍କ କାହାଣୀ ବୟାନ କଲା।