/odisha-reporter/media/post_attachments/uploads/2021/09/sidhu-3.jpg)
sidhu
ନୂଆଦିଲ୍ଲୀ: କ୍ରିକେଟ୍ ପିଚରୁ ନେଇ ଟିଭି ସ୍କ୍ରିନ ଓ ପରେ ରାଜନୀତି ଦୁନିଆରେ ପ୍ରତିଦିନ ଚର୍ଚ୍ଚାରେ ରହୁଥିବା ନବଜୋତ୍ ସିଂହ ସିଦ୍ଧୁ ଏବେ ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତାବର୍ଷ ପଞ୍ଜାବରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ କରାଗଲା। ଆଉ ତାଙ୍କର ଅଧ୍ୟକ୍ଷ ହେବା ପରେ ବଳି ପଡ଼ିଲେ କ୍ୟାପଟେନ୍ ଅମରିନ୍ଦର ସିଂହ। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର ସିଂହ।
ଅମରିନ୍ଦରଙ୍କ ସ୍ଥାନରେ ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଏହାର ସପ୍ତାହକ ଭିତରେ ସିଦ୍ଧୁ ମଧ୍ୟ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଇସ୍ତଫା ଦେଇ ରାଜନୀତିକ ସଂକଟ ସୃଷ୍ଟି କରିଛନ୍ତି। ଆଉ ଏହି ପୂରା ଘଟଣାକ୍ରମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସିଦ୍ଧୁଙ୍କୁ ଟାର୍ଗେଟ୍ କରିଛନ୍ତି। କ୍ୟାପଟେନ୍ କହିଛନ୍ତି ଯେ ଏହାହିଁ ସିଦ୍ଧୁଙ୍କର ଅସଲ ଚରିତ୍ର ଏବଂ ସେ କେବେବି ଗୋଟିଏ ଟିମର ପ୍ଲେୟର୍ ହୋଇ ରହିପାରିବେ ନାହିଁ। କ୍ୟାପଟେନ୍ ଏଠାରେ ୧୯୯୬ର ଇଂଲଣ୍ଡ ଟୁର୍ କଥା କହିଛନ୍ତି, ଯେତେବେଳେ ସିଦ୍ଧୁ ଅଧାରୁ ସ୍ୱଦେଶ ଫେରିଆସିଥିଲେ।
୧୯୯୬ରେ ଭାରତୀୟ କ୍ରିକେଟ୍ ଟିମ୍ ଇଂଲଣ୍ଡ ଗସ୍ତରେ ଥିଲା। ଟିମ୍ ସେଠାରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାର ଥିଲା ଏବଂ ବାକି କିଛି ମ୍ୟାଚ୍ ବୋର୍ଡ ଟିମ୍ ସହ ଖେଳାଯିବାର ଥିଲା। ସେତେବେଳେ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ଭାରତର କ୍ୟାପଟେନ୍ ଥିଲେ। ସିଦ୍ଧୁ ମଧ୍ୟ ଭାରତୀୟ ଟିମ୍ ସହ ଇଂଲଣ୍ଡ ଗସ୍ତରେ ଯାଇଥିଲେ ଏବଂ ଓପ୍ନର ଭାବେ ଟିମର ସଦସ୍ୟ ଥିଲେ।
/odisha-reporter/media/post_attachments/h-upload/2021/09/29/1229097-navjot-singh-sidhu.webp)
ପ୍ରଥମ ଟେଷ୍ଟ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଇଥିଲା। ଏହି ମ୍ୟାଚରେ ସିଦ୍ଧୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା। ଟିମର କମ୍ବିନେଶନ୍ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏହି ମ୍ୟାଚ୍ ପରେ ସିଦ୍ଧୁ କାହାକୁ କିଛି ନକହି ଇଂଲଣ୍ଡରୁ ସ୍ୱଦେଶ ଫେରିଆସିଥିଲେ। ସିଦ୍ଧୁ କାହିଁକି ଏମିତି କାମ କଲେ, ତାହା ସମସ୍ତଙ୍କୁ ଚକିତ କରିଥିଲା। ଏଥିପାଇଁ ବିସିସିଆଇ ଏକ ତଦନ୍ତ କମିଟି ଗଠନ କରିଥିଲା, ଯେଉଁଥିରେ କିଛି କଥା ସାମ୍ନାକୁ ଆସିଥିଲା। କମିଟିରେ ରାଜସିଂହ ଡୁଙ୍ଗରପୁର, ଆଇଏସ୍ ବିନ୍ଦ୍ରା, ସୁନୀଲ ଗାଭାସ୍କର ଓ ଖୋଦ୍ ଜୟୱନ୍ତ ଲେଲେ ସାମିଲ୍ ଥିଲେ। ତେବେ ଏହି କମିଟି ଆଗରେ ସିଦ୍ଧୁ କିଛି କହିନଥିଲେ।
ତତ୍କାଳୀନ ବିସିସିଆଇ ସମ୍ପାଦକ ଜୟୱନ୍ତ ଲେଲେ ତାଙ୍କର ପୁସ୍ତକ 'I was There - Memoirs of a Cricket Administrator' ରେ ଏହି ପୂରା ଘଟଣା କଥା ପ୍ରକାଶ କରିଥିଲେ, ଯେଉଁଥିରୁ ଜଣାପଡ଼ିଥିଲା ଯେ ସିଦ୍ଧୁ କ୍ୟାପଟେନ୍ ଆଝାରୁଦ୍ଦିନଙ୍କ ଉପରେ ଖପ୍ପା ହୋଇ ଇଂଲଣ୍ଡ ଗସ୍ତ ଅଧାରୁ ଛାଡ଼ି ଚାଲିଆସିଥିଲେ।
/odisha-reporter/media/post_attachments/2020/09/sidhu-12.jpg)
ଏହି ପୁସ୍ତକ ମୁତାବକ, ଆଝାରୁଦ୍ଦିନ ସେତେବେଳେ ସିଦ୍ଧୁଙ୍କ ସହ ଭଲଭାବେ କଥା ହୋଇନଥିଲେ ଏବଂ ତାଙ୍କ ପ୍ରତି ଖରାପ ଶବ୍ଦର ପ୍ରୟୋଗ ମଧ୍ୟ କରିଥିଲେ। ଯାହାକୁ ନେଇ ସିଦ୍ଧୁ ଅସନ୍ତୋଷ ଥିଲେ। ଯେତେବେଳେ କଥା ଅଧିକ ଘନେଇଲା, ସିଦ୍ଧୁ କାହାକୁ କିଛି ନଜଣାଇ ଗସ୍ତରୁ ଫେରିଆସିଥିଲେ। ଖୋଦ ସିଦ୍ଧୁଙ୍କ ମୁହଁରୁ ଏକଥା ଶୁଣିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। କିନ୍ତୁ ସିଦ୍ଧୁ କିଛି ବି କହିନଥିଲେ।
ପରବର୍ତ୍ତୀ ସମୟରେ ବୋର୍ଡ ପୂର୍ବତନ କ୍ରିକେଟର୍ ମହିନ୍ଦର ଅମରନାଥ ସିଦ୍ଧୁଙ୍କ ସହ କଥା ହୋଇଥିଲା। ଯେହେତୁ ଅମରନାଥ ପଞ୍ଜାବୀ ଥିଲେ, ତେଣୁ ସେ ସିଦ୍ଧୁଙ୍କ ସହ ସେହି ଭାଷାରେ କଥା ହୋଇଥିଲେ। ଆଉ ଶେଷରେ ସିଦ୍ଧୁ ସବୁ କଥା ଖୋଲିକି କହିଥିଲେ। ସିଦ୍ଧୁ କହିଥିଲେ ଯେ ଟିମରେ ତାଙ୍କୁ 'ଗାଳିଗୁଲଜ' କରାଯାଉଥିଲା, ଯାହାକୁ ସେ ବରଦାସ୍ତ କରିପାରୁନଥିଲେ। ଯେତେବେଳେ ଅମରନାଥ ପଚାରିଲେ ଆଝାରୁଦ୍ଦିନଙ୍କ କେଉଁ ଗାଳିରେ ସେ ଅସନ୍ତୋଷ ହୋଇଥିଲେ। ଏହାର ଜବାବ ଶୁଣି ଅମରନାଥ ଖୁବ୍ ହସିଥିଲେ।
/odisha-reporter/media/post_attachments/ibnlive/uploads/2021/09/sidhu-3-16328916554x3.jpg)
ଅମରନାଥ ସିଦ୍ଧୁଙ୍କୁ ବୁଝାଇଥିଲେ ଯେ ଯଦିଓ ଉତ୍ତର ଭାରତରେ ଏହାକୁ ଗାଳି କୁହାଯାଏ, କିନ୍ତୁ ହାଇଦ୍ରାବାଦର ସ୍ଥାନୀୟ ଭାଷାରେ ଏହାକୁ ସେତେଟା ଖରାପ କୁହାଯାଏ ନାହିଁ। ଅମରନାଥ ପୂରା କଥା କମିଟି ଆଗରେ କହିଥିଲେ ଏବଂ ପୂରା ମାମଲାକୁ ଭୁଲିଯିବାକୁ କହିଥିଲେ। ଇଂଲଣ୍ଡ ଗସ୍ତ ପରେ ସିଦ୍ଧୁ କିଛି ଟେଷ୍ଟରୁ ବାଦ୍ ପଡ଼ିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ଦ୍ୱିଶତକ ମାରିଥିଲେ।
ଏବେ ୧୯୯୬ର ସେହି ଘଟଣା ଭଳି ୨୦୨୧ରେ କିଛି ଏଭଳି ଘଟିଛି। କ୍ରିକେଟରୁ ନେତା ହୋଇଥିବା ସିଦ୍ଧୁ ପଞ୍ଜାବରେ ପ୍ରଥମେ କ୍ୟାପଟେନ୍ ଅମରିନ୍ଦରଙ୍କ ଉପରେ ଅସନ୍ତୋଷ ରହିଥିଲେ ଏବଂ ତାଙ୍କ ବିରୋଧରେ ଖୁବ୍ ବିଷ ଓଗାଳିଥିଲେ। କଂଗ୍ରେସ ହାଇକମାଣ୍ଡ ମଧ୍ୟ ସିଦ୍ଧୁଙ୍କ କଥା ମାନି କ୍ୟାପଟେନଙ୍କୁ ହଟାଇଲା। କିନ୍ତୁ ପରେ ଯେତେବେଳେ ନୂଆ ସରକାର ଗଠନ ହେଲା, ସିଦ୍ଧୁଙ୍କ କଥା ଚାଲିଲା ନାହିଁ। ଏଭଳି ପରିସ୍ଥିତିରେ ସିଦ୍ଧୁ ପୁନର୍ବାର ବିଦ୍ରୋହୀ ମନୋଭାବ ପ୍ରଦର୍ଶନ କରି ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
