ମନ୍ଦିର ବଡ଼ ନା ମଣିଷ?

ବୃତ୍ତି ଓ ବେଉସାର ଉଚ୍ଛେଦ ନେଇ ବିଜ୍ଞପ୍ତି ଓ ବିବୃତ୍ତି ଲୋଡ଼ା

ଠ ସବୁ ଆଇନ ତିଆରି ହେବା ପୂର୍ବରୁ ନିର୍ମିତ ହୋଇଥିଲା ନା ପରେ ? ଗତ ୫୦୦ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ଉପରେ କେତେଥର ଆକ୍ରମଣ ହୋଇଛି ? ଦେଶୀ ବା ବିଦେଶୀ ଆତଙ୍କବାଦୀ ତାଙ୍କ ଟାର୍ଗେଟରେ ମନ୍ଦିରକୁ ରଖିଛନ୍ତି ବୋଲି ଖବର କାହାକୁ ଦେଉଛନ୍ତି ? ଐତିହ୍ୟସ୍ଥଳିମାନଙ୍କ ସଂରକ୍ଷଣ ନା ବିଲୋପ ସାଧନ- କେଉଁ ପଦକ୍ଷେପ ଏ ତୀର୍ଥକ୍ଷେତ୍ରକୁ ଅଧିକ ମର୍ଯ୍ୟାଦାବନ୍ତ କରିବ ? ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଅବସ୍ଥା କ’ଣ? ଏମାର ମଠରୁ ବାହାରିଥିବା ରୁପାଇଟା ପାହାଡ଼ର ଭବିଷ୍ୟତ କ’ଣ ? ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଚାଲୁଥିବା କୁମ୍ଭମେଳା ମଧ୍ୟରେ ଗୋଟିଏ ଗୋଟିଏ ସ୍ନାନ ଦିନରେ ୨ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କର ସମାଗମ ସଂପୃକ୍ତ ଅନ୍ୟ ସହରମାନଙ୍କରେ ହୋଇଥାଏ। ପୁରୀରେ ସୁନାବେଶ ଦିନ ଅତିବେଶିରେ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ସେ ସହର ସମେତ ବାରାଣସୀ, ବୃନ୍ଦାବନ ଓ ଗୟା ଆଦିରେ କେତେ ସଂଖ୍ୟକ ଐତିହ୍ୟସ୍ଥଳି ସ୍ୱାଧୀନ ଭାରତରେ ଗଣତାନ୍ତ୍ରିକ ସରକାରଙ୍କ ଦ୍ୱାରା ଭଙ୍ଗା ଯାଇଛି ? ଗଜପତି ଓ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ କେଉଁ ସ୍ୱାର୍ଥ ବା ଭୟ କାରଣରୁ ନିରବ ? ସରକାରୀ କ୍ୱାର୍ଟରକୁ ଭଡ଼ା ଲଗାଯିବା ଭଳି ଶ୍ରୀନଅର ପରିସରରେ ଦୋକାନ, ଆପାର୍ଟମେଂଟ ଓ ହୋଟେଲ ଚାଲିଛି। ସରକାର ନିରବ କାହିଁକି ? ଦେବୋତ୍ତର ବିଭାଗ ପକ୍ଷରୁ ମିଳିଥିବା ଅନୁମତି ବଳରେ ମଠମାନଙ୍କଠାରୁ ଭୂମି କିଣି ପୁରୁଷାନୁକ୍ରମେ ଵସବାସ କରୁଥିବା ନାଗରିକମାନଙ୍କର ଭବିଷ୍ୟତ କ’ଣ ? ସ୍ୱର୍ଗଦ୍ୱାର ଓ ସମୁଦ୍ର କୂଳକୁ ଜବରଦଖଲ ଓ ପ୍ରଦୂଷିତ କରୁଥିବା ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ପ୍ରତି ସରକାର ସଦୟ କାହିଁକି ? ବେଳାଭୂମିକୁ ସଫା କରିବା ନାମରେ ରାଜ୍ୟ ପର୍ଯ୍ୟଟନ ବିଭାଗଠାରୁ ଏବଂ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ସଫା କରିବା ପାଇଁ ପୌରସଂସ୍ଥାଠାରୁ ଗୋଟିଏ ଘରୋଇ ସଂସ୍ଥା ମାସିକ ଲକ୍ଷ ଲକ୍ଷ ଟଙ୍କା ନେଇ ଚାଲିଛି। ସମସ୍ତେ ଜାଣି ବି ଅଜଣା କାହିଁକି ? ବିକାଶ ହେଉ, ମାତ୍ର ଇତିହାସ, ପରଂପରା, ଚଳଣି ଓ ସ୍ଥାନୀୟ ବାସିନ୍ଦାଙ୍କ ଛାତି ଉପରେ ନୁହେଁ। ସମୟର ଚକ୍ର ବହୁ ପ୍ରତାପଶାଳୀ ସାମ୍ରାଜ୍ୟଙ୍କ ନାମ ଗନ୍ଧ ମଧ୍ୟ ରଖି ନାହିଁ। ପବିତ୍ର ପୁରୀ ସହରର ସଂଖ୍ୟାଧିକ ଜନସାଧାରଣ ନୀରିହ, ଧର୍ମରେ ବିଶ୍ୱାସୀ ଓ ସହଯୋଗୀ। ଆଇନ, ପ୍ରଶାସନ ଓ ସରକାର ସମସ୍ତେ ସମ୍ବେଦନଶୀଳ ହୁଅନ୍ତୁ ଓ ମହାପ୍ରଭୁ ସମସ୍ତଙ୍କୁ କରୁଣା କରନ୍ତୁ। ଜୟ ଜଗନ୍ନାଥ।’

ନାରାୟଣ ଦାଶ ନାମକ ଜଣେ ଭଦ୍ରବ୍ୟକ୍ତି ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ଏଭଳି ଏକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏହି ପୋଷ୍ଟରୁ ନାରାୟଣବାବୁଙ୍କ ମନର ଆବେଗ ଓ ସନ୍ଦେହର ଆଭାସ ମିଳୁଛି। ସଂପ୍ରତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଆଳରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟୋଗରେ ଚାଲିଥିବା ଉଚ୍ଛେଦ ଅଭିଯାନ ସଂପର୍କରେ ନାରାୟଣବାବୁ ମତ ପ୍ରକାଶ କରିବାକୁ ଯାଇଁ ଏତେ କଥା ଲେଖିଛନ୍ତି। ବିଚାରପତି ବିପି ଦାସ କମିଶନ ମନ୍ଦିର ପ୍ରତି କି ପ୍ରକାର ବିପଦ ଆଶଙ୍କା କରିଥିଲେ ଓ ମନ୍ଦିରର ସୁରକ୍ଷା ଏବଂ ନିରାପତ୍ତା ନେଇ ପ୍ରକୃତରେ କି ସୁପାରିଶ କରିଥିଲେ ତାହା ନାରାୟଣବାବୁଙ୍କ ପରି ଅନେକ ଲୋକ ହୁଏତ ଜାଣି ନଥିବେ। ତେଣୁ ଏ ଆବେଗଭରା ପ୍ରଶ୍ନ। ଜଷ୍ଟିସ ଦାସ ବି ୭୫ ମିଟର କଥା ଉଲ୍ଲେଖ କରିଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନୁହେଁ।

ପ୍ରଶ୍ନ ଓ ସନ୍ଦେହ ଭରା ଏହି ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରଶାସନର ଉଚ୍ଛେଦ ଅଭିଯାନ କେବଳ ମନ୍ଦିର ଚାରି କଡ଼େ ସୀମୀତ ରହିବ ନା ସମଗ୍ର ସହରକୁ ବ୍ୟାପିବ? ପୁରୀ ସହରର ଅନ୍ୟତ୍ର ଅନେକ ମଠମନ୍ଦିର ଜମି ଜବରଦଖଲରେ ଅଛି। ଏଭଳି ଅନେକ ଜବରଦଖଲ ଜମିରେ ଅନେକ କୋଠାବାଡ଼ି ଓ ହୋଟେଲ ଆଦି ଗଢ଼ି ଉଠିଛି। ସେଥିରୁ ଜବରଦଖଲକାରୀମାନେ ପ୍ରଚୁର ମୁନାଫା ଅର୍ଜନ କରୁଛନ୍ତି। ଅନେକ ହୋଟେଲ ଓ ଅନ୍ୟସ୍ଥାନରେ ନିଶା କାରବାର ହେଉଛି। ସହରରେ ଗୁଳି ଓ ବୋମା ଫୁଟିବା, ଟିକେ ଟିକେ କଥାରେ ହିଂସା ଓ ହତ୍ୟା ଘଟିବା ବି କିଛି ନୂଆ କଥା ନୁହେଁ। ସମୁଦ୍ର ବେଳାକୁ ଅନେକ ପ୍ରଭାବଶାଳୀ ଜବରଦଖଲରେ ରଖିଛନ୍ତି। ସେଭଳି ଅନେକ ସ୍ଥାନରେ ଅନେକ ବେଆଇନ ନିର୍ମାଣ ସମେତ ଅନେକ ଅସାମାଜିକ କାର୍ଯ୍ୟ ହେଉଥିବା ଅନେକ ସମୟରେ ପୁଲିସ ନଜରକୁ ଆସୁଛି। ମେଘନାଦ ପାଚେରୀ କଡ଼େ ୭୫ ମିଟର ପ୍ରସ୍ଥର ନିର୍ମାଣ ଓ ଢାଞ୍ଚା ଭାଙ୍ଗି ସଫା କଲା ପରେ ପ୍ରଶାସନ ପୁରୀ ସହରର ଅନ୍ୟାନ୍ୟ ଜବଦରଖଲ ଜମି ଉଦ୍ଧାର କରିବ କି? ବିଶେଷକରି ସ୍ୱର୍ଗଦ୍ୱାର ଓ ଗୋବର୍ଦ୍ଧନ ପୀଠର ଜବରଦଖଲ ଜମି ଉଦ୍ଧାର ହେବ କି? କେବେ ହେବ?
ଯଦି କେବଳ ମନ୍ଦିର ସୁରକ୍ଷା ଆଳରେ ସରକାର ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି ତେବେ ଶ୍ରୀଜଗନ୍ନାଥ ମନ୍ଦିରର ନିରାପତ୍ତା ପ୍ରତି ବିପଦ ରହିଥିବା ନେଇ କେତେ ରିପୋର୍ଟ ସରକାରଙ୍କ ପାଖରେ ଅଛି? କେବେଠୁଁ ଅଛି? କିଏ ସେହି ରିପୋର୍ଟ ଦେଇଛି? ଏସବୁ ବିଷୟ କାହିଁକି ପଦାକୁ ଆସୁନାହିଁ? ନାରାୟଣବାବୁ ଯେଉଁ ପ୍ରଶ୍ନ କରିଛନ୍ତି ତାହା ଅମୂଳକ କି ଅଯୌକ୍ତିକ ନୁହେଁ। ସତରେ କଳାପାହାଡ଼ର ଆକ୍ରମଣ ପରେ କେବେ ମନ୍ଦିର ପ୍ରତି ଏଭଳି ବିପଦ ଦେଖାଦେଇଛି କି? ଗଲା ୧୦୦ ବର୍ଷ ଭିତରେ କେବେ ଶ୍ରୀମନ୍ଦିର ଉପରେ ବୈଦେଶିକ, ଯାବନିକ ଓ ଆତଙ୍କବାଦୀ ଆକ୍ରମଣ ହୋଇଥିବାର କିଛି ପ୍ରମାଣ ଅଛି କି? ଯଦି ନାହିଁ, ଏବେ ହଠାତ ଏଭଳି ଆଶଙ୍କା କରିବାର କାରଣ ଓ ଭିତ୍ତି କ’ଣ? ଭାରତ ସରକାର ଏଭଳି ରିପୋର୍ଟ ଦେଇଛନ୍ତି କି? କାଶ୍ମୀର ପରିସ୍ଥିତି ଦୃଷ୍ଟିରୁ ପାକିସ୍ତାନୀ ଆତଙ୍କବାଦୀଙ୍କଠାରୁ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା କରୁଛନ୍ତି କି ଓଡ଼ିଶା ସରକାର? କେଉଁ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ଏଭଳି ଆଶଙ୍କା ପ୍ରକଟ କରିଛନ୍ତି? ରାଜ୍ୟର ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ରିପୋର୍ଟ କିଛି ଦେଖିଛନ୍ତି କି? ସଂପୃକ୍ତ ଫାଇଲ୍‌ରେ ସେ କିଛି ମନ୍ତବ୍ୟ ଓ ଆଦେଶ ଉଲ୍ଲେଖ କରିଛନ୍ତି କି? ଯଦି ନୁହେଁ, ତେବେ କାହିଁକି ଏ କଳାପାହାଡ଼ର ଅଭିଯାନ? କେବଳ ବିପି ଦାସ କମିଶନଙ୍କ ସୁପାରିଶ ହିଁ ଆଧାର? ସେ ଯେଉଁ ସୁରକ୍ଷା ଓ ନିରାପତ୍ତା କଥା ଉଠେଇଛନ୍ତି ତାହା କ’ଣ ଏଇ ୭୫ ମିଟର ଉଚ୍ଛେଦ ପରେ ସଂପୂର୍ଣ୍ଣ ନିଶ୍ଚିତ ହୋଇଯିବ?

ପୁରୀ ମନ୍ଦିର ଚାରିକଡ଼େ ବା ମେଘନାଦ ପାଚେରୀଠାରୁ ୭୫ ମିଟର ଦୂର ଯାଏଁ ଯେତେବେଳେ କୋଠା ଓ ଦୋକାନ ଘର ଆଦି ତିଆରି ହେଲା, ସେତେବେଳେ ମନ୍ଦିର ପ୍ରଶାସନ ଥିଲା ନା ନାହିଁ? ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଥିଲେ ନା ନାହିଁ? ସେମାନେ ସେତେବେଳେ କାହିଁକି ଏସବୁ କୋଠା ଓ ଦୋକାନ ଘର ଯେ ଦିନେ ମନ୍ଦିର ପ୍ରତି ବିପଦ ହେବ ବୋଲି ଆଶଙ୍କା କଲେ ନାହିଁ? ଏବେ ଯେଉଁମାନଙ୍କର ବେଉସା ବୁଡ଼ିବ ସେମାନଙ୍କୁ କିପରି ଥଇଥାନ କରାଯିବ? ସେ ବାବଦରେ ସରକାରୀ ସ୍ତରରେ କିଛି ନିଷ୍ପତ୍ତି ହୋଇଛି କି? ସେ ନିଷ୍ପତ୍ତି ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି କି? ପୁରୀ ସହରର ଲୋକମାନଙ୍କୁ ସେ ସଂପର୍କରେ ଅବହିତ କରାଯାଇଛି କି? ଯଦି ନା ତେବେ ଶହଶହ ବର୍ଷ ଧରି ଯେଉଁମାନେ ମନ୍ଦିରକୁ ଲାଗି ଚଳୁଥିଲେ ସେମାନଙ୍କୁ ହଠାତ ଏକ ତୋଗଲକୀ ନିଷ୍ପତ୍ତିରେ ବେରୋଜଗାର ଓ ବୃତ୍ତିହୀନ କରିବାର ଅଭିପ୍ରାୟ କ’ଣ?

ଯଦି ବି ସରକାର ସେମାନଙ୍କୁ ଅନ୍ୟତ୍ର ଥଇଥାନ କରନ୍ତି ତେବେ ସେଠାରେ ସେମାନଙ୍କ ବୃତ୍ତି ଓ ବେଉସା ଚଳିବ ତ? ଯେଉଁମାନେ ମନ୍ଦିର କଡ଼ରେ ବସି ଠାକୁର ମୂର୍ତ୍ତି, ଫଟୋ, ଶଙ୍ଖା, ସୂତା, ଚୁଡ଼ି, କଂସା ଓ ପିତ୍ତଳର ହସ୍ତଶିଳ୍ପ ଆଦି ବିକ୍ରି କରୁଥିଲେ ସେମାନେ ଚନ୍ଦନପୁରରେ ଯାଇଁ କାହାକୁ କ’ଣ ବିକିବେ? ଯେଉଁମାନେ ପୁରୀର ପ୍ରସିଦ୍ଧ ଖଜା ବିକି ପରିବାର ଚଳଉଥିଲେ ସେମାନ କେଉଁଠି ଯାଇଁ କାହାକୁ ଖଜା ବିକିବେ? ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତମାନେ କ’ଣ ଖଜା ପାଇଁ ଚନ୍ଦନପୁରରେ ଅଟକିବେ?

ସରକାରଙ୍କ ନିଷ୍ପତ୍ତି ଅନୁସାରେ ୭୫ ମିଟର ଭିତରେ ଯଦି କାହାର ସ୍ଥିତିବାନ ଜମି ପଡ଼ିଲା ତେବେ କ’ଣ ହେବ? ସେ ସହଜରେ ଛାଡ଼ିଦେବେ? ତାଙ୍କ ସ୍ଥିତିବାନ ଜମିକୁ ସରକାର ଅଧିଗ୍ରହଣ କରିବେ କି? ସେଥିବାଇଁ ଜମି ଅଧିଗ୍ରହଣ ନିଷ୍ପତ୍ତି ହୋଇଛି କି? ଅଧିଗ୍ରହଣ ବିଜ୍ଞପ୍ତି ଜାରି ହୋଇଛି କି? ଯଦି ନୁହେଁ, ତେବେ ସରକାରଙ୍କର ଜମି ଅଧିଗ୍ରହଣ ବେଆଇନ ହେବ ନା ନାହିଁ?

ଭଙ୍ଗା ଯାଉଥିବା ମଠଗୁଡ଼ିକର କର୍ମକର୍ତ୍ତାମାନେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା ଦେଉ ନାହାନ୍ତି। ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସରକାରଙ୍କର ଏହି ଉଚ୍ଛେଦ ଅଭିଯାନରେ ସେମାନଙ୍କର ସ୍ୱାର୍ଥ ନିହିତ ଅଛି। ଏମାର ମଠ ହେଉ ବା ଲଙ୍ଗୁଳି ମଠ, ଏସବୁ କୋଠା ଅନେକ ଦିନ ଧରି ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ସରକାର ଭାଙ୍ଗି ନଥିଲେ ଦିନେ ସେମାନଙ୍କୁ ଟଙ୍କା ଖଟେଇ ଏହାକୁ ଭାଙ୍ଗିବାକୁ ପଡ଼ିଥାନ୍ତା। ଏବେ କୋଠା ଭାଙ୍ଗିବ ସରକାରୀ ଖର୍ଚ୍ଚରେ। ଯଦି ୭୫ ମିଟର ଭିତରେ ଜମି ବି ଯିବ ତେବେ କ୍ଷତିପୂରଣ ତ ନୁହେଁ ଅନୁକମ୍ପା ସହାୟତା ମିଳିବାର ଆଶା ଅଛି। ତାହାକୁ ମଠାଧୀଶମାନେ ନିଜ ଇଚ୍ଛା ଅନୁସାରେ ଖର୍ଚ୍ଚ କରିପାରିବେ।

ଏମାର ମଠ ପରି ଶତାବ୍ଦୀ ପୁରୁଣା ମଠ ପାଇଁ ବି ଜନ ସାଧାରଣ ଉଦବେଗ ପ୍ରକାଶ ନକରିବା ଘଟଣା ଅନ୍ୟ ଏକ ବାର୍ତ୍ତା ଦିଏ। ବୋଧହୁଏ ଏମାର ମଠ ତରଫରୁ ଆଉ ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ କୌଣସି ଜନହିତକର କାର୍ଯ୍ୟ ହେଉନାହିଁ। ପୂର୍ବରୁ ମଠ ତରଫରୁ ସ୍କୁଲ ଖୋଲିଥିଲା, ଅନ୍ନଛତ୍ର ଚାଲୁଥିଲା, ଯାତ୍ରୀ ଓ ଜଗନ୍ନାଥଙ୍କ ସେବା କରାଯାଉଥିଲା। ଏହା ବଦଳରେ ମଠକର୍ତ୍ତାମାନେ ଭଣ୍ଡାର ଭାଙ୍ଗି ରୁପାଇଟା ଚୋରି କରି ବଦନାମ ଅର୍ଜନ କରିଛନ୍ତି। ମଠର ଉପଯୁକ୍ତ ମରାମତି କରି ନାହାନ୍ତି। ତେଣୁ ଲୋକେ ବି ଏହି କୋଠା ଭାଙ୍ଗିବା କାର୍ଯ୍ୟକୁ ନୀରବ ସମର୍ଥନ କରୁଛନ୍ତି। ତେବେ ରଘୁନନ୍ଦନ ପାଠାଗାରରେ ଥିବା ହଜାର ହଜାର ପୁରୁଣା ବହି, ପୋଥି ଓ ଅନ୍ୟାନ୍ୟ ଦରବର ସୁରକ୍ଷା କିପରି ହେବ? ସେଗୁଡ଼ିକୁ କେଉଁଠି କେଉଁ ଅବସ୍ଥାରେ ରଖାଯାଉଛି? ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ଯେଉଁଠି ହଜି ଯାଉଛି ସେଠି ରଘୁନନ୍ଦନ ପାଠାଗାରର ମୂଲ୍ୟବାନ ପ୍ରାଚୀନ ପୋଥି ଯେ ସୁରକ୍ଷିତ ରହିବ ତାହାର କିଛି ଗ୍ୟାରେଣ୍ଟି ଅଛି?

ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ପୁରୀ ସହରର ନବକଳେବର ପାଇଁ ଯଦି ଏପରି ଉଚ୍ଛେଦ ହେଉଥାଏ ତେବେ ଭଲ କଥା। କିନ୍ତୁ ପୁଣି ସେଇ ଥଇଥାନ ଓ ପୁନର୍ବାସ ପ୍ରସଙ୍ଗ। ସେ ନିଷ୍ପତ୍ତି ନିଆ ନଯାଇ ଉଚ୍ଛେଦ ନିଷ୍ପତ୍ତି କାର୍ଯ୍ୟକାରୀ କରିବା କେବଳ ବେଆଇନ ନୁହେଁ, ଅମାନବିକ ବି। ଅବଢ଼ା ଯୋଜନାରେ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି। ବହୁ ପୂର୍ବରୁ ୨୦୧୫ ମସିହାରେ କେନ୍ଦ୍ର ସରକାର ପୁରୀକୁ ଅମୃତ ଯୋଜନାରେ ସାମିଲ କରିସାରିଛନ୍ତି। ଏହି ଯୋଜନାରେ ପୁରୀର ପ୍ରଦୂଷଣ ରୋକିବା ପାଇଁ ମୋଟର ଯାନ ଚଳାଚଳ ଉପରେ କଟକଣା ଜାରି କରି ବିକଳ୍ପ ପରିବହନ ବ୍ୟବସ୍ଥା କରିବା, ସବୁଜିମା ଓ ଜଳଉତ୍ସ ସୃଷ୍ଟି, ବିକାଶ ଓ ସୁରକ୍ଷା ସହିତେ ସାଧାରଣ ଉଦ୍ୟାନ ଆଦି ଖୋଲା ସ୍ଥାନର ବିକାଶ ଏବଂ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଏବଂ ସିୱେରେଜ ବ୍ୟବସ୍ଥାର ବିକାଶ ହେବା କଥା। ଯୋଜନା ଅନୁସାରେ ଏସବୁ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁସବୁ ପ୍ରକଳ୍ପ ପ୍ରସ୍ତୁତ କରିବେ ତାହାର ୫୦ ପ୍ରତିଶତ ବ୍ୟୟ ଅଟକଳ କେନ୍ଦ୍ର ସରକାର ଦେବେ। ରାଜ୍ୟ ସରକାର ପୁରୀ ପାଇଁ ଅମୃତ ଯୋଜାନରେ କେତେ ପ୍ରକଳ୍ପ କରିଛନ୍ତି ତାହା ସ୍ପଷ୍ଟ ନୁହେଁ। ଏବେ କିନ୍ତୁ ପୁରୀର ନବକଳେବର ପାଇଁ ୫୦୦ କୋଟି ଟଙ୍କାର ଅବଢ଼ା ଯୋଜନା ହୋଇଛି। ୨୦୧୫ରେ ଜଗନ୍ନାଥଙ୍କ ନବକଳେବର ସମୟରେ ମଧ୍ୟ ପୁରୀର ନବକଳେବର ହେବ ବୋଲି ଘୋଷଣା କରାଯାଇଥିଲା। ସେହି ସମୟରେ ପୁରୀ ସହରର ସିୱେରେଜ ଓ ଡ୍ରେନେଜ ବ୍ୟବସ୍ଥା ସମେତ ପରିବହନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ଆଦି କ୍ଷେତ୍ରରେ ସହସ୍ରାଧିକ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଣୁ ସାଧାରଣ ଲୋକଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିପାରେ- ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ପୁରୀ ସହରର ନବକଳେବର ହେଉନି କାହିଁକି? କାହିଁକି ଏବେ ବି ପନ୍ଦର ମିନିଟ ବର୍ଷା ହେଲା ବଡ଼ଦାଣ୍ଡରେ ବୋଟ୍‌ ଚାଲିବା ପରି ଜଳ ଜମିଯାଉଛି?

ଧାର୍ମିକ ଦୃଷ୍ଟିକୋଣରୁ ଦେଖିଲେ ପୁରୀ ସହରର ସଂସ୍କାର ତୁଳନାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ସେବାପୂଜାର ସଂସ୍କାର ଅଧିକ ଜରୁରୀ। ଯାତ୍ରୀ ଓ ଭକ୍ତମାନେ ଶ୍ରୀକ୍ଷେତ୍ର ଅପେକ୍ଷା ଶ୍ରୀମନ୍ଦିର ଭିତରେ ଅଧିକ ଅସ୍ୱସ୍ତି ଓ ଅସୁବିଧା ଭୋଗ କରିଥିବାର ଅନେକାନେକ ନଜୀର ରହିଛି। ତେଣୁ ସରକାର ତୁରନ୍ତ ଶ୍ରୀମନ୍ଦିର ସଂସ୍କାରର ଅନ୍ୟାନ୍ୟ ଦିଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମଧ୍ୟ ସର୍ବସାଧାରଣରେ ଘୋଷଣା କରିବା ଉଚିତ। ସରକାର ନିଜ ନିଷ୍ପତ୍ତି ଓ ଯୋଜନା ସଂପର୍କରେ ସ୍ପଷ୍ଟ ନକଲେ ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଓ ସନ୍ଦେହ ଉଠିବାର ଅବକାଶ ରହିଛି।