ମୋହନ ସରକାରଙ୍କ ଫୋକସ: ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୦୨% ଓ ମହିଳାଙ୍କ ପାଇଁ ୧୮୮% ଅଧିକ ବ୍ୟୟବରାଦ

ସେହିପରି ମହିଳାଙ୍କ ପାଇଁ ୧୭୯୪୨କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ୬୨୨୪କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ଓ ଚଳିତ ବର୍ଷ ଏହି ତୁଳନାରେ ଅଧିକ ୧୮୮% ଆବଂଟନ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Thursday, 25 July 2024
  • , Updated: 25 July 2024, 10:25 PM IST

ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୬୫ ଲକ୍ଷ କୋଟି ଟଙ୍କାର ବିଶାଳ ସମତୁଲ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଉ ସରକାରଙ୍କ ଫୋକସରେ ସାମାଜିକ ସୁରକ୍ଷା କ୍ଷେତ୍ର, ମହିଳା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ରହିଛି । ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ବଜେଟର ପରିମାଣକୁ ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୨୦୨% ବଢ଼ାଇ ଦେଇଛନ୍ତି ମୋହନ ସରକାର ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିଧାନସଭା ଉପସ୍ଥାପିତ କରିଥିବା ବଜେଟରେ ରାଜ୍ୟର ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ୨୨୮୪୪କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବଜେଟରେ ଏହି କ୍ଷେତ୍ର ପାଇଁ ମାତ୍ର ୭୫୬୨କୋଟି ଟଙ୍କା ଆବଂଟନ ହୋଇଥିଲା ଓ ଏହା ତୁଳନାରେ ଚଳିତ ଆର୍ଥିକ ବର୍ଷର୍ ପାଇଁ ୨୦୨% ଅଧିକ ଅର୍ଥ ବ୍ୟୟବରାଦ ହୋଇଛି । ଯାହାକି ମୋଟ୍ ବଜେଟ ଆକାରର ୮.୬% । ଅବଶ୍ୟ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ କିନ୍ନର ଆଦିଙ୍କୁ ମାସିକ ୩୫୦୦ଟଙ୍କା ଭତ୍ତା ଦେବା ନିମନ୍ତେ ସରକାର ଚଳିତ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି  ସେଥିପାଇଁ ଏହି ଆଖିଦୃଶିଆ ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ସେହିପରି ମହିଳାଙ୍କ ପାଇଁ ୧୭୯୪୨କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ୬୨୨୪କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ଓ ଚଳିତ ବର୍ଷ ଏହି ତୁଳନାରେ ଅଧିକ ୧୮୮% ଆବଂଟନ ହୋଇଛି । ରାଜ୍ୟର ମୋହନ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବା ପାଇଁ ଚଳିତ ବଜେଟରେ ୧୦ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ତେଣୁ  ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବଜେଟ ପରିମାଣରେ ୧୮୮% ବୃଦ୍ଧି ପାଇଛି ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ୨୧୨୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୩୨% ଅଧିକ ବୃଦ୍ଧି ପାଇଛି । ମୋହନ ସରକାର ରାଜ୍ୟରେ ଚାଲିଥିବା ମାଗଣା ସ୍ୱାସ୍ଥ୍ୟସେବା ଯୋଜନାକୁ ବନ୍ଦ ନକରି ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ର ନୂଆ ନାଁ ଦେଇ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀ ହେବ । ସେହି କାରଣରୁ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ ପରିମାଣରରେ ୩୨ପ୍ରତିଶତ ବୃଦ୍ଧି ହୋଇଛି । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୬୦୪୮କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ।

ସେହିପରି କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଚଳିତ ବଜେଟରେ ମୋଟ ୩୩୯୧୯କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି ଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୩୬% ପ୍ରତିଶତ ଅଧିକ । ମୋହନ ସରକାର ଓଡ଼ିଶାରେ ଉଭୟ ପିଏମ୍ କିଷାନ ସହ ସିଏମ କିଷାନ(କାଳିଆର ପରିବର୍ତ୍ତିତ ନାଁ)କୁ ଲାଗୁ କରିବେ । ଏଥି ସହ କିଛି ନୂଆ ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି । ଯେଉଁଥିପାଇଁ ୨୦୨୩-୨୪ରେ ୨୪୮୨୯କୋଟି ଟଙ୍କାର ବଜେଟ ପରିମାଣକୁ ଏଥର ୩୬% ବୃଦ୍ଧି କରାଯାଇଛି ।

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ବଜେଟର ପରିମାଣକୁ ୨୨ ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି କ୍ଷେତ୍ର ପାଇଁ ୧୧୫୩୬କୋଟି ଟଙ୍କା ବ୍ୟୟବରାଦ ଥିଲା ଯାହାକି ୨୦୨୪-୨୫ରେ ୧୪୧୧୧କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଶିକ୍ଷା କ୍ଷେତ୍ରରେ ବଜେଟରେ ୧୯ପ୍ରତିଶତ ବୃଦ୍ଧି ହୋଇଛି । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୨୯୯୬୯କୋଟି ଟଙ୍କାର ବ୍ୟୟବରାଦ ଥିଲା, ଯାହା ୨୦୨୪-୨୫ରେ ୩୫୫୩୬କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ମୋଟ ବଜେଟର ୧୩.୪% ମଧ୍ୟ । ରାଜ୍ୟର ମୋହନ ସରକାର ରାଜ୍ୟରେ ନୂଆ ଶିକ୍ଷା ନୀତି, ବିଭିନ୍ନ ବର୍ଗକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା କ୍ଷେତ୍ରରେ ଏଭଳି ବଜେଟ୍ ଅଭିବୃଦ୍ଧି କରିଛନ୍ତି ।

ନଗର ଉନ୍ନୟନ କ୍ଷେତ୍ର ପାଇଁ ବଜେଟରେ ୯୬୧୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି ଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ । ଗତବର୍ଷ ଏହି ପରିମାଣ ୭୯୨୩କୋଟି ଟଙ୍କା ରହିଥିଲା ।

ତେବେ ମୋହନ ସରକାର ବଜେଟରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କଥା କହୁଥିଲେ ମଧ୍ୟ ଗ୍ରାମୀଣ ବିକାଶ ପାଇଁ ଗତବର୍ଷ ତୁଳନାରେ ମାତ୍ର ୮% ବଜେଟ୍ ଅଭିବୃଦ୍ଧି କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମୀଣ ବିକାଶ ପାଇଁ ୩୩୮୧୯କୋଟି ଟଙ୍କା ବ୍ୟୟବରାଦ ଥିବାବେଳେ ୨୦୨୪-୨୫ରେ ଏହା ୩୬୬୭୩କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି ମାତ୍ର ୮% ବୃଦ୍ଧି ବୋଲି ଜଣାପଡ଼ିଛି

Related story