ଅମରଙ୍କୁ ଜବାବ ଦେଲେ ଅଶ୍ୱିନୀ: କହିଲେ- ଫ୍ୟାକ୍ଟ ଚେକ୍‌ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ 5-G ସେବାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। 5-G ସେବାକୁ ନେଇ ବିଜେପିକୁ ତୀର ମାରିଥିଲେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଯାହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇଣ୍ଟରନେଟ୍‌ କନେକ୍ଟିଭିଟି କଥା ଉଠାଇ ଶାସକ ବିଜେଡି ଅଭିଯୋଗ କରିଛି, ରାଜ୍ୟର ୬୨୭୮ଟି ଗାଁରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ଓଡ଼ିଶାରେ ଟେଲି ଡେନ୍ସିଟି ୭୫ ପ୍ରତିଶତ। ଗାଁରେ ମାତ୍ର ୬୨ ପ୍ରତିଶତ। ଏଭଳି […]

Amar-and-Aswani

  • Published: Thursday, 05 January 2023
  • , Updated: 05 January 2023, 10:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ 5-G ସେବାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। 5-G ସେବାକୁ ନେଇ ବିଜେପିକୁ ତୀର ମାରିଥିଲେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଯାହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଇଣ୍ଟରନେଟ୍‌ କନେକ୍ଟିଭିଟି କଥା ଉଠାଇ ଶାସକ ବିଜେଡି ଅଭିଯୋଗ କରିଛି, ରାଜ୍ୟର ୬୨୭୮ଟି ଗାଁରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ଓଡ଼ିଶାରେ ଟେଲି ଡେନ୍ସିଟି ୭୫ ପ୍ରତିଶତ। ଗାଁରେ ମାତ୍ର ୬୨ ପ୍ରତିଶତ। ଏଭଳି ସ୍ଥିତିରେ ଓଡ଼ିଶାରେ 5-G ସେବା କେବଳ ଏକ ଭେଳିକି ବୋଲି ବିଜେଡି କହିଛି।

ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, “ଓଡ଼ିଶାରେ ଏବେବି ୬୨୭୮ଟି ଗାଁ ରହିଛି, ଯେଉଁଠି କୌଣସି ମୋବାଇଲ୍‌ ବା ଇଣ୍ଟରନେଟ୍‌ ସେବା ପହଞ୍ଚି ପାରିନାହିଁ।”

ଅମର ପଟ୍ଟନାୟକଙ୍କ ଅଭିଯୋଗର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଓଡ଼ିଶାର ପ୍ରତିଟି ଅଞ୍ଚଳରେ କିଭଳି ମୋବାଇଲ ସେବା ପହଞ୍ଚିବ ସେ ଦିଗରେ ଉଦ୍ୟମ ଚାଲିଛି। ସେଥିପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫ ହଜାର ୬ଶହ କୋଟି ଟଙ୍କା ଦେଇଛନ୍ତି। ଏହା ଜରିଆରେ ୫ ହଜାର ଟାଓ୍ୱାର ଲାଗିବ। ଯାହା ୭ ହଜାର ଗାଁକୁ ମୋବାଇଲ୍‌ ସେବା ସଂଯୋଗ କରିବ। ସେ ଭିତରୁ ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଟାଓ୍ୱାର ଶୁଭାରମ୍ଭ ହୋଇଛି। ସେହିପରି ଭୁବନେଶ୍ୱରରେ ଜିଓ ସହଯୋଗରେ ୫ ଜି ଲାବ୍‌ର ପ୍ରତିଷ୍ଠା ନେଇ ସୂଚନା ଦେଇଛନ୍ତି ବୈଷ୍ଣବ।

ସେ ଆହୁରି କହିଛନ୍ତି, ଅମର ପଟ୍ଟନାୟକ ମହାଶୟଙ୍କୁ ଅନୁରୋଧ କରୁଛି, ସେ ତାଙ୍କର ତଥ୍ୟକୁ ଆଉ ଥରେ ଯାଞ୍ଚ କରନ୍ତୁ। ୫୦୦୦ରୁ ଅଧିକ ଟାୱାର ମଞ୍ଜୁର ହୋଇଛି। ସେଥିପାଇଁ ୫୬୦୦ କୋଟି ଟଙ୍କାର ଗ୍ରାଣ୍ଟ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ସେପଟେ ଆଜି ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି 5-G ସେବା। ଏଥିରେ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ। ୫-ଜିର ସୁଫଳ ସଂପର୍କରେ ବକ୍ତବ୍ୟ ରଖିବା ବୈଷ୍ଣବ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ସେବା ୨୦୨୪ ଡିସେମ୍ବର ୩୧ ସୁଦ୍ଧା ସାରା ରାଜ୍ୟରେ ମିଳିବ। ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ୍ କେବୁଲ ପହଞ୍ଚିବ। ୨୦୨୪ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର ଲାଗିବ। ରାଜ୍ୟ ସରକାର ସହଯୋଗ କଲେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ। ସେହିପରି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ୮ଟି ଜାଗାରେ ଟେକ୍ନୋଲୋଜି ପାର୍କ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ବୈଷ୍ଣବ।

Related story