ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟାରେ ବିଜେଡି ମୁଖ୍ୟାଳୟ କୋଠା ‘ଶଙ୍ଖ ଭବନ’ର ଉଦଘାଟନ ହେବ । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି । ଦଳର ବିଧାୟକ,ସାଂସଦ, ଦଳୀୟ ପଦାଧିକାରୀ, ଜିଲ୍ଲା ଓ ବ୍ଲକସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ଉଦଘାଟନୀ ସମାରୋହରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ‘ଶଙ୍ଖ ଭବନ’ ସମ୍ପର୍କରେ ଗଣମାଧ୍ୟମରେ ମୁହଁ ନଖୋଲିବାକୁ ବିଜେଡି ମୁଖପାତ୍ରମାନଙ୍କୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବିଜେଡିର ଭବ୍ୟ ୪ମହଲା ବିଶିଷ୍ଟ କୋଠା ‘ଶଙ୍ଖ ଭବନ’ର ଉଦଘାଟନ ଆସନ୍ତାକାଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ । ଏହି ଶଙ୍ଖ ଭବନର ବେସମେଂଟରେ ଗାଡ଼ି ପାର୍କିଂର ବ୍ୟବସ୍ଥା, ଲନ୍ ଓ ବସିବା ପାଇଁ ସ୍ଥାନ ରହିଛି । ପ୍ରଥମ ମହଲାରେ ୨ହଜାର ଲୋକଙ୍କ ବସିବା ପାଇଁ ବିରାଟ ହଲ୍ ସହ ୨୫୦ଆସନ ବିଶିଷ୍ଟ ଏକ ଅଡ଼ିଟୋରିୟମ ରହିଛି । ଦ୍ୱିତୀୟ ମହଲାରେ ଦଳର ସବୁ ଜିଲ୍ଲା ପାଇଁ ପ୍ରକୋଷ୍ଠ , ଦଳର ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ ପ୍ରକୋଷ୍ଠ ରହିବ । ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ରୁମ୍ ସହ କନଫରେନ୍ସ ହଲ୍ ଓ ପ୍ରକୋଷ୍ଠ ଅଛି । ଏହି ଶଙ୍ଖ ଭବନର ନିର୍ମାଣରେ ଦଳ ପ୍ରାୟ ୫୦କୋଟି ଟଙ୍କା ଖର୍ଚ୍ଚ କରିଥିବା ଆକଳନ କରାଯାଉଥିବାବେଳେ ମନ୍ଦିର ଢାଂଚାରେ ପଥରରେ କାରୁକାର୍ଯ୍ୟ ମଧ୍ୟ ହୋଇଛି । ବେସମେଂଟରେ ଏକ ହାତ ତିଆରି ବିଶାଳ ଶଙ୍ଖ ମଧ୍ୟ ରଖାଯାଇଛି ।
ଅନ୍ୟପକ୍ଷରେ ଆସନ୍ତାକାଲି ବିଜେଡିର ଏହି ନବନିର୍ମିତ କୋଠା ଉଦଘାଟନ ସମ୍ପର୍କରେ ଗଣମାଧ୍ୟମରେ ମୁହଁ ନଖୋଲିବା ପାଇଁ ଦଳୀୟ ମୁଖପାତ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ହିଁ କେବଳ ଏହି କୋଠା ଉଦଘାଟନ ସଂକ୍ରାନ୍ତରେ ଗଣମାଧ୍ୟମକୁ ବୟାନ ଦେବେ । ଏପରିକି ଦଳର ଅଫିସ୍ ‘ଶଙ୍ଖ ଭବନ’ ଉଦଘାଟନକୁ ନେଇ ମଧ୍ୟ ମୁଖପାତ୍ରମାନେ ବୟାନ ଦେବା ଉପରେ ବିଜେଡି ପକ୍ଷରୁ କଟକଣା ଜାରି ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୨୦୨୧ ରଥଯାତ୍ରା ସମୟରେ ଏହି କୋଠାର ଶିଳାନ୍ୟାସ ହୋଇଥିଲା । ମାତ୍ର ୨ବର୍ଷ ମଧ୍ୟରେ ଏହି ବିଶାଳ ଭବ୍ୟ କୋଠା ନିର୍ମାଣ ହୋଇଛି । ତେବେ ଏହି କୋଠା ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେତେ ପରିମିତ ସ୍ଥାନରେ ଏହି ଶଙ୍ଖ ଭବନ ରହିଛି ସେ ନେଇ ଦଳ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।