ତିନି ବର୍ଷ ପୁରୁଣା ଯୋଜନାର କାର୍ଡ଼ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ: ପ୍ରୋଟୋକଲ୍‌ ମାନୁନି ତୃତୀୟ ମହଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଜିଲ୍ଲାକୁ ଜିଲ୍ଲା ବୁଲି ୩ବର୍ଷ ପୁରୁଣା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟ କାର୍ଡକୁ ବଣ୍ଟନ କରୁଛନ୍ତି। ବିଶେଷକରି ବିଜେଡିର ସଂଗଠନ ଦୁର୍ବଳ ରହିଥିବା ଜିଲ୍ଲାଗୁଡ଼ିକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ କାର୍ଡ ବାଣ୍ଟୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ରହୁଥିବା ଅତିଥିଙ୍କୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। ସରକାରୀ ପ୍ରୋଟୋକଲ ବ୍ୟବସ୍ଥାକୁ […]

Naveen Patnaik

Naveen Patnaik

Ordigital Desk
  • Published: Saturday, 13 November 2021
  • Updated: 15 November 2021, 12:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଜିଲ୍ଲାକୁ ଜିଲ୍ଲା ବୁଲି ୩ବର୍ଷ ପୁରୁଣା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟ କାର୍ଡକୁ ବଣ୍ଟନ କରୁଛନ୍ତି। ବିଶେଷକରି ବିଜେଡିର ସଂଗଠନ ଦୁର୍ବଳ ରହିଥିବା ଜିଲ୍ଲାଗୁଡ଼ିକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ କାର୍ଡ ବାଣ୍ଟୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ରହୁଥିବା ଅତିଥିଙ୍କୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। ସରକାରୀ ପ୍ରୋଟୋକଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା ଓ ଉଲ୍ଲଘଂନ କରି ମୁଖ୍ୟମନ୍ତ୍ରୀଙ୍କ ସଭାମଂଚରେ ବସିବା ପାଇଁ ଅତିଥି ଚୟନ କରାଯାଉଥିବା ନେଇ ଏବେ କେବଳ ବିରୋଧୀ ଦଳ ନୁହେଁ ବରଂ ବିଜେଡି ମଧ୍ୟରେ ବି ଚାପା ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟାର ଭବ୍ୟ କାର୍ଯ୍ୟକ୍ରମରେ ଅତିଥି ଚୟନ କେଉଁ ଆଧାରରେ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ କିଏ ରହିବେ ତା’ର ନିଷ୍ପତ୍ତି କିଏ ନେଉଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିନା ଅନୁମୋଦନରେ ସଭାମଂଚ ପାଇଁ ଅତିଥି ଚୟନ କରିବା ଜିଲ୍ଲା ପ୍ରଶାସନ ପକ୍ଷେ ସମ୍ଭବପର ହୋଇନଥିବାବେଳେ କେଉଁ ନୀତିନିୟମକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସରଣ କରୁଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସେଠାର ସ୍ଥାନୀୟ ଲୋକପ୍ରତିନିଧି (ବିଧାୟକ ଓ ସାଂସଦ)ମାନଙ୍କୁ ସାମାନ୍ୟ ଗୁରୁତ୍ୱ ମଧ୍ୟ ମିଳୁନଥିବା ଦେଖିବାକୁ ମିଳୁଛି । ସ୍ମାର୍ଟ କାର୍ଡ ବଣ୍ଟାର ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମ ଭଳି ହାଇଜ୍ୟାକ୍ କରିନେଇଥିଲେ ମଧ୍ୟ ତୃତୀୟ ମହଲା ସାଧାରଣ ପ୍ରୋଟୋକଲକୁ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି ।

ସର୍ବପ୍ରଥମେ ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ବୈଠକରେ ସ୍ଥାନୀୟ ଲୋକପ୍ରତିନିଧି(ବିଧାୟକ ଓ ସାଂସଦ)ଙ୍କୁ ନିମନ୍ତ୍ରଣ କରି ଏହା ସରକାରୀ କାର୍ଯ୍ୟକ୍ରମ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଥିଲା। କିନ୍ତୁ ବଲାଙ୍ଗିର ଓ ପୁରୀ ଜିଲ୍ଲାର କାର୍ଯ୍ୟକ୍ରମ ପରେ ଏହି ଅତିଥି ଚୟନ ବା ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ କିଏ ବସିବେ ତାକୁ ନେଇ ସମସ୍ତ ପ୍ରକାରର ନୀତିନିୟମ, ପ୍ରୋଟୋକଲ୍ ଆଦିକୁ ଖୋଲା ଉଲ୍ଲଘଂନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପଛାଇ ନାହିଁ। ଉଦାହରଣସ୍ୱରୂପ, ଅକ୍ଟୋବର ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସରକାରୀ କାର୍ଯ୍ୟକ୍ରମର ଆୟୋଜନ ହେଲା, କିନ୍ତୁ ସଭା ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ କେବଳ ଜିଲ୍ଲାର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦେଖିବାକୁ ମିିଳିଲା।

ଜିଲ୍ଲାର ଜଣେ ବି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ବସିବାକୁ ଅନୁମତି ଦିଆଗଲାନି। ଏପରିକି ଜିଲ୍ଲାର ରାଜ୍ୟସଭା ସାଂସଦ ମମତା ମହନ୍ତ ହୁଅନ୍ତୁ କିମ୍ବା ମୟୂରଭଞ୍ଜକୁ ନିଜର ‘ହୋମ୍ ଡ୍ରିଷ୍ଟିକ୍ଟ’ ଗ୍ରହଣ କରିଥିବା ସସ୍ମିତ ପାତ୍ରଙ୍କୁ ବି ମଂଚରେ ଦେଖିବାକୁ ମିଳିନଥିଲା। ଏହି ଦୁଇ ସାଂସଦ ବିଜେଡିର। ସେହିପରି ନଭେମ୍ବର ୨ତାରିଖରେ ସମ୍ବଲପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ। ସେଠାରେ ଜିଲ୍ଲାର ସବୁ ବିଧାୟକଙ୍କୁ ଖୋଜା ଗଲାନି। ନଭେମ୍ବର ୮ରେ କଳାହାଣ୍ଡି ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟା ଗଲା। ଜିଲ୍ଲାର କୌଣସି ଜଣେ ବି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାମଂଚରେ ବସିବାର ଅନୁମତି ମିଳିଲାନି। ଓଲଟା ମମିତା ମେହେର ହତ୍ୟା ମାମଲାରେ ଜିଲ୍ଲାର ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପାଖରେ ବସାଇଲେ ଓ ଜିଲ୍ଲାର ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କୁ ମଧ୍ୟ ଅଣଦେଖା କରାଗଲା।

ସେହିପରି ଆଜି ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଓ ବିଜୟ ରଞ୍ଜନ ସିଂ ବରିହାଙ୍କୁ ସଭାମଂଚରେ ଦେଖିବାକୁ ମିଳିନଥିଲା। ସବୁଠୁ ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଜିଲ୍ଲାରେ କାର୍ଯ୍ୟକ୍ରମ କରିଛନ୍ତି ସେଥିରୁ ଅଧିକାଂଶ ଜିଲ୍ଲା ଯଥା- ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି, ବରଗଡ଼ ଜିଲ୍ଲାରେ ବିଜେପିର ସାଂସଦ ଅଛନ୍ତି। ଆଉ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ପ୍ରାୟୋଜିତ ଏହି ତଥାକଥିତ ଦଳୀୟ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଅବଶ୍ୟ ବଲାଙ୍ଗୀରରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଓ ଏହାପରଠୁ ବିଜେପି ସମ୍ପୂର୍ଣ୍ଣ ଭାବେ ଏହି କାର୍ଯ୍ୟକ୍ରମକୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛି।

କେବଳ ସେତିକି ନୁହେଁ, ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜକ ଜିଲ୍ଲା ପ୍ରଶାସନ ହୋଇଥିଲେ ମଧ୍ୟ ସଭା ମଂଚରେ ଜିଲ୍ଲାପାଳ କିମ୍ବା ସ୍ୱାସ୍ଥ୍ୟ ବିଭାଗର କୌଣସି ପଦାଧିକାରୀଙ୍କୁ ଦେଖିବାକୁ ମିଳୁନି । ଜିଲ୍ଲା ପ୍ରଶାସନର ଏହି ସରକାରୀ କାର୍ଯ୍ୟକ୍ରମ ଏବେ ବିଜେଡିର କାର୍ଯ୍ୟକ୍ରମ ଭାବେ ପରିଗଣିତ ହେଉଛି ଆଉ ସରକାରୀ ପଦାଧିକାରୀଙ୍କୁ ଦୂରେଇ ରଖାଯାଇଛି।

ବୁକ୍ ସର୍କୁଲାରକୁ ଅଣଦେଖା କରି ମନମୁଖୀ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କ ଜଣେ ଦୁଇଜଣ ଅଧିକାରୀଙ୍କ ଦ୍ୱାରା ଅତିଥି ତାଲିକାକୁ ଚୂଡ଼ାନ୍ତ କରାଯାଉଥିବାରୁ ବିରୋଧୀଙ୍କ ସମେତ ବିଜେଡି ନେତାମାନଙ୍କ ମଧ୍ୟରେ ବି ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଉ ନିର୍ବାଚିତ ନେତାମାନେ ନିଜକୁ ଅତ୍ୟନ୍ତ ଅସହାୟ ଅନୁଭବ କରିବାରେ ଲାଗିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos