ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୱିନ୍ସିଟି ପୁଲିସ୍ କମିଶନର ପଦରୁ ହଟିଛନ୍ତି ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ। ଆଉ ତାଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକ-ଭୁବନେଶ୍ୱର ଦ୍ୱୈତ ନଗରୀ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି)ର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିସନର ଭାବେ ନିଯୁକ୍ତି ମିଳିଛି। ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଜଣେ ଦକ୍ଷ ଅଫିସର । ସୁଧାଂଶୁଙ୍କ ଠାରୁ ଜଣେ ବରିଷ୍ଠ ଅଫିସର ହୋଇଥିବା ବେଳେ ତାଙ୍କ ସାମ୍ନାରେ ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିବ। ତେବେ ପୁଲିସ କମିଶନର ଦାୟିତ୍ୱ ନେବା ପରେ ଜଣେ ଦକ୍ଷ ଅଫିସର ଭାବେ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ ଡ. ସୁଧାଂଶୁ ଷଡ଼ଙ୍ଗୀ।
ଟ୍ୱିନ୍ ସିଟିରେ ଅପରାଧ ନିୟନ୍ତ୍ରଣ ହେଉ ଅବା ସାଧାରଣ ଲୋକଙ୍କ ଅଭିଯୋଗ ହେଉ ଏସବୁକୁ ଚୁଟ୍କିରେ ସମାଧାନ କରିବାର ଦକ୍ଷତା ରଖୁଥିବା ସୁଧାଂଶୁ ଜଣେ ୟଙ୍ଗ୍ ସେନ୍ସେସନ ଭାବେ ଯୁବପିଢ଼ିଙ୍କ ଆଦର୍ଶ ପାଲଟି ଯାଇଥିଲେ ସେ। ଦାୟିତ୍ୱ ନେବାର ଦୁଇ ବର୍ଷ ମଧ୍ୟରେ ବଡ଼ ବଡ଼ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିବା ସୁଧାଂଶୁଙ୍କୁ ହଠାତ୍ ବିଦାୟ ପଛରେ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ହେଲେ କିଛି ଦିନ ହେଲା ଚୋରି ଛିନ୍ତାଇ ଭଳି ଅପରାଧକୁ ନିୟନ୍ତ୍ରଣ କରିବାରେ ସୁଧାଂଶୁଙ୍କ ବିଫଳତା ହିଁ ସରକାରଙ୍କ ପାଇଁ ସୋଯୋଗର ଖୋରାକ ଯୋଗାଇ ଥିବା ଚର୍ଚ୍ଚା ହେଉଛି।
ତେବେ ସୁଧାଂଶୁଙ୍କ ଟ୍ରାକ୍ ରେକର୍ଡ଼ ଉପରେ ଟିକେ ନଜର ପକାଯାଉ। ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର୍ ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ ଅଗଷ୍ଟ ୨୧ରେ କଟକ-ଭୁବନେଶ୍ୱରର ପୁଲିସ କମିଶନର ଦାୟିତ୍ୱ ନେଇଥିଲେ ସେ। କଟକ-ଭୁବନେଶ୍ୱରରେ ବ୍ରାଉନ୍ ସୁଗାର ବେପାରୀଙ୍କୁ ଧରିବା ହେଉ କିମ୍ବା ନିକଟରେ ମହିଳାଙ୍କ କଟାମୁଣ୍ଡ ଘଟଣା ହେଉ ଅବା ଝରାପୁଲ ମୃତ୍ୟୁ ଘଟଣା ହେଉ, ଏ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଧରିବାରେ ସୁଧାଂଶୁଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ ଲକ୍ ଡାଉନ୍ ଉଠିଲା ପରେ ରାଜଧାନୀରେ ଚୋରି, ଡକାୟତି ଓ ଛିନ୍ତାଇ ଭଳି ଅପରାଧ ସଂଖ୍ୟା ବଢ଼ିଛି। ଏମିତି ଅପରାଧ ବୃଦ୍ଧି ପାଇଁ ପୁଲିସ କମିଶନରଙ୍କ ସ୍ଥାଣୁତାକୁ ଯେତିକି ଦାୟୀ ବୋଲି କହିପାରିବା ତାଠାରୁ ଲକ୍ଡାଉନ୍ ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ଦୁରବସ୍ଥା ଅଧିକ ଦାୟୀ ବୋଲି କହିପାରିବା।
କାରଣ କାମଧନ୍ଦା ଚାଲିଗଲା ପରେ ପେଟ ପାଇଁ ମଣିଷ କିଛି ପନ୍ଥା ଅବଲମ୍ବନ କରିପାରେ। ସବୁଠାରୁ ବଡ଼ କଥା ହେଉଛି ୨୨ ବର୍ଷ ତଳର ହାଇପ୍ରୋଫାଇଲ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ପାତାଳରୁ ଖୋଜି ବାହାର କରିବା ସୁଧାଂଶୁଙ୍କ କ୍ୟରିଅରର ଏକ ବିରାଟ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହା ସିବିଆଇ କରିପାରି ନଥିଲା ତାହା ପୁଲିସ କମିଶନର କରିପାରିଥିଲେ। ଅବଶ୍ୟ ନିଜର ସଫଳତା ବଖାଣିବାକୁ ଯାଇ ସେ ସିବିଆଇର ଅପାରଗତାକୁ ପଦାରେ ପକାଇଥିଲେ। ନିଜର ଦକ୍ଷତା ପ୍ରମାଣ କରିବା ଠିକ୍ ଅଛି ହେଲେ ସିବିଆଇକୁ ନିନ୍ଦା କରିବା ଏକ ଭୁଲ ପରମ୍ପରା ସୃଷ୍ଟି କରିଛି। ବୋଧ ହୁଏ ଏହି ବୟାନକୁ ସରକାର ଗୁରୁତର ସହ ନେଇଛନ୍ତି। ସେ ଯାହା ବି ହେଉ ଏହି ସଫଳତା ପାଇଁ ସାରା ରାଜ୍ୟରୁ ସୁଧାଂଶୁଙ୍କ ପ୍ରତି ସାବାସିର ସୁଅ ଛୁଟିବା ସହ ତାଙ୍କ ପାଇଁ ଖୋଦ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପ୍ରଶଂସା କରିଥିଲେ।
ଏଥିପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଥିଲେ। ୨୨ବର୍ଷ ତଳେ ଘଟିଥିବା ଜଘନ୍ୟ ଅପରାଧର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ ଥିବାରୁ ସିପିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଉପଯୁକ୍ତ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ତେବେ ଏହି ଚିଠିଟି ପୁଲିସ କମିଶନର ହଟିବାର ମାତ୍ର ୧୨ ଦିନ ଅର୍ଥାତ ଗତ ଫେବୃଆରୀ ୨୫ ତାରିଖରେ ରାଜ୍ୟପାଳ ଲେଖିଥିଲେ। ତେବେ କୌଣସି ପୁଲିସ ଅଧିକାରୀଙ୍କ ପାରଦର୍ଶିତାକୁ ନେଇ ରାଜ୍ୟାପାଳ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ଇତିହାସର ପ୍ରଥମ ବୋଲି କୁହାଯାଉଛି। ଏବେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ କେମିତିକା ସ୍ୱକୃତୀ ମିଳିଛି ତାହା ସମସ୍ତଙ୍କୁ ଜଣା। ସୁଧାଂଶୁ ତାଙ୍କ କାର୍ଯ୍ୟକାଳରେ ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ମହିଳାମାନଙ୍କ କାମ କେବଳ ରୋଷେଇ ନୁହେଁ ବୋଲି କହିଥିଲେ।
ମହିଳା ବିରୋଦ୍ଧ ହିଂସା ଓ ଦୁଷ୍କର୍ମ ଘଟଣାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ୨୭୦ଜଣ ଯୁବତୀଙ୍କୁ କମିଶନରେଟ ପୁଲିସରେ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) ଭାବେ ନିଯୁକ୍ତି ଦେବା ପଦକ୍ଷେପ ସୁଧାଂଶୁ ହିଁ ନେଇଥିଲେ। ସୁଧାଂଶୁଙ୍କ ଏହି ବୟାନ ଓ ପଦେକ୍ଷପକୁ ପାୱାର କରିଡର ସହଜରେ ଗ୍ରହଣ କରିପାରି ନଥିଲା। ସେମିତି ସୁଧାଂଶୁ ଜଣେ ସଚ୍ଚୋଟ ପୁଲିସ ଅଫିସର ହୋଇଥିବାରୁ ତାଙ୍କ ଦ୍ୱାରା କିଛି ମନ୍ଦ ଉଦ୍ଦେଶ୍ୟ ସାଧନ ପାଇଁ ଚାପ ପ୍ରୟୋଗ ହୋଇଥିଲେ ମଧ୍ୟ ସେ ବୋଲକରା ହେବାକୁ ପସନ୍ଦ କରିନଥିଲେ ବୋଲି ଶୁଣାଯାଏ। ପରିଣାମ ସୂରୁପ ପୁରସ୍କାର ପାଇଁ ସୁଯୋଗକୁ ହିଁ ଅପେକ୍ଷା କରାଯାଇଥିବା କହିଲେ ଭୁଲ ହେବ ନାହିଁ।