ଷ୍ଟେଜ ଉପରେ ପରସ୍ପରକୁ ପିଟିବାକୁ ଆଗେଇ ଆସିଲେ ବିଜେପି ମନ୍ତ୍ରୀ ଓ କଂଗ୍ରେସ ସାଂସଦ

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ କାର୍ଯ୍ୟକ୍ରମରେ ସ୍ଥିତି ଏପରି ହୋଇଥିଲା ଯେ କର୍ଣ୍ଣାଟକାର ବିଜେପି ମନ୍ତ୍ରୀ ଓ କଂଗ୍ରେସର ସାଂସଦ ଷ୍ଟେଜ ଉପରେ ପରସ୍ପରକୁ ପିଟିବା ପାଇଁ ଆଗେଇ ଆସିଥିଲେ। ଷ୍ଟେଜ ଉପରେ ଏସବୁ ଘଟଣା ଘଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଉପସ୍ଥିତ ରହିଥିଲେ। ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ଦୁଇ ନେତା ହାତାହାତି ହେବାରୁ ପଛକୁ ହଟିଥିଲେ।

ବିଆର ଆମ୍ବେଦକର ଓ କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ରାମନଗର ଠାରେ ଗୋଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସମେତ ବିଜେପି ମନ୍ତ୍ରୀ ସିଏନ ଅଶ୍ୱୌଥ ନାରାୟଣ, କଂଗ୍ରେସ ସାଂସଦ ଡିକେ ସୁରେଶ, ମନ୍ତ୍ରୀ କେ ସୁଧାକର ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ନାରାୟଣ ଭାଷଣ ଦେବା ବେଳେ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରି ଉତ୍ତେଜନ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଠାରେ ବିଜେପି ସରକାର ଲୋକଙ୍କ ବିଶ୍ୱାସ ଜିତିବାକୁ ଆସିଛି। ବିଜେପି କେବେ ଧୋକା ଦେବନି। ଏଥିସହ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ।

ଏହା ଶୁଣି ଭାଷଣ ମଝିରେ ହିଁ କଂଗ୍ରେସ ସାଂସଦ ଡିକେ ସୁରେଶ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଏପରି କି ସେ ନାରାୟଣଙ୍କ ଠାରୁ ମାଇକ ଛଡ଼ାଇବାକୁ ଚେଷ୍ଟା କରିବାକୁ ଉତ୍ତେଜନା ବଢ଼ିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଉଭୟ ନେତା ପରସ୍ପରକୁ ମାରିବା ପାଇଁ ମୁହାଁମୁହିଁ ହୋଇ ଯାଇଥିଲେ। କିନ୍ତୁ ଷ୍ଟେଜ ଉପରେ ଥିବା ଅନ୍ୟ ମନ୍ତ୍ରୀ ଓ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଅଟକାଇଥିଲେ।

ଏହି ଘଟଣାକୁ ବିରୋଧ କରି ସାଂସଦ ଡିକେ ସୁରେଶ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ। ପ୍ରତିବାଦ ଜଣାଇବା ପାଇଁ କାର୍ଯ୍ୟକ୍ରମ ପରେ କଂଗ୍ରେସ କର୍ମୀମାନେ ନାରାୟଣଙ୍କ ପୋଷ୍ଟରକୁ ମଧ୍ୟ ଚିରି ଦେଇଥିଲେ। ଏହାକୁ ନେଇ ଏବେ କର୍ଣ୍ଣାଟକାରେ ଛକାପଞ୍ଝା ଲାଗି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।