ଅପାରଗ ସରକାର ପାଇଁ ଓଡ଼ିଶା ସୀମା ସୁରକ୍ଷିତ ରହିପାରୁନି : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂରଦୃଷ୍ଟିହୀନତା ପାଇଁ ମାତୃଭୂମିର ମାଟିକୁ ଓଡ଼ିଶାବାସୀ ହରାଇବାକୁ ଯାଉଛନ୍ତି। ଆଗରୁ ମହାନଦୀର ପାଣିକୁ ହରାଇଥିଲୁ, ଆଉ ଏବେ କୋଟିଆ ପରି ଅଞ୍ଚଳଗୁଡ଼ିକ ହରାଇବାକୁ ପଡ଼ୁଛି। ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, କୋଟିଆ ବିବାଦ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସୀମାନ୍ତରେ ୭୬ଟି […]

niranjan

niranjan

Ordigital Desk
  • Published: Friday, 19 February 2021
  • Updated: 19 February 2021, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂରଦୃଷ୍ଟିହୀନତା ପାଇଁ ମାତୃଭୂମିର ମାଟିକୁ ଓଡ଼ିଶାବାସୀ ହରାଇବାକୁ ଯାଉଛନ୍ତି। ଆଗରୁ ମହାନଦୀର ପାଣିକୁ ହରାଇଥିଲୁ, ଆଉ ଏବେ କୋଟିଆ ପରି ଅଞ୍ଚଳଗୁଡ଼ିକ ହରାଇବାକୁ ପଡ଼ୁଛି। ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, କୋଟିଆ ବିବାଦ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ,ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି। ଏହି ବିବାଦର ବର୍ତ୍ତମାନ ସ୍ଥିତି କ’ଣ ଓ ଏହି ବିବାଦର ସମାଧାନ ଦିଗରେ ରାଜ୍ୟ ସରକାର କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

ଶ୍ରୀ ପଟ୍ଟନାୟକ ମଧ୍ୟ ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେହିି ଚିଠିରେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ର ସରକାର ଯେତେବେଳେ କୋଟିଆର ୨୨ଟି ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ସରକାର ଏବଂ ପ୍ରଶାସନର ଦାୟିତ୍ୱହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏକ ବିସ୍ଫୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁଗୁଡ଼ିକ ଖସି ଯିବାକୁ ଯାଉଛି। ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ସୀମାବର୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ରାଜ୍ୟ ସରକାର ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତା, ଜୀବିକା ଇତ୍ୟାଦି ସୁନିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକାର ବିଫଳ ହୋଇଛି ଏବଂ ତାର ସୁଯୋଗ ପଡ଼ୋଶୀ ରାଜ୍ୟମାନେ ନେଉଛନ୍ତି। କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ, ଆମର ଭାଷା ଉପରେ ମଧ୍ୟ ପଡ଼ୋଶୀ ରାଜ୍ୟମାନେ ଅକ୍ତିଆର ଜାହିର କରୁଛନ୍ତି।

ସୀମାନ୍ତରେ ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଆ ଶିକ୍ଷକ ନାହାନ୍ତି। ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି। ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ପଡ଼ୋଶୀ ରାଜ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି। ଏଥିପ୍ରତି ସରକାରଙ୍କର ନିଘା ନାହିଁ। ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି। ସରକାର ନିରବ କେମିତି ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ମୁଖପାତ୍ର ସୁଦର୍ଶନ ଦାସ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos