‘କୋଟିଆର ସୁରକ୍ଷା ପାଇଁ ସରକାରଙ୍କ ତିଳେ ମାତ୍ର ଆନ୍ତରିକତା ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୀମାବର୍ତ୍ତୀ କୋଟିଆର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତିଳେ ମାତ୍ର ଆନ୍ତରିକତା ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। କୋଟିଆରେ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଥିବାବେଳେ ପ୍ରଦେଶ କଂଗ୍ରେସ ଆଜି ଏଭଳି ପରିସ୍ଥିତି ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନର ବିଜେଡି ସରକାର ଓଡ଼ିଶା ମାଟିକୁ ସୁରକ୍ଷା ଦେବାରେ ଅସମର୍ଥ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ମାଟିକୁ ପଡ଼ୋଶୀ ରାଜ୍ୟମାନେ ଆସ୍ତେ […]

niranjan-patnaik

niranjan-patnaik

Ordigital Desk
  • Published: Thursday, 08 April 2021
  • Updated: 08 April 2021, 08:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୀମାବର୍ତ୍ତୀ କୋଟିଆର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତିଳେ ମାତ୍ର ଆନ୍ତରିକତା ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। କୋଟିଆରେ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଥିବାବେଳେ ପ୍ରଦେଶ କଂଗ୍ରେସ ଆଜି ଏଭଳି ପରିସ୍ଥିତି ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନର ବିଜେଡି ସରକାର ଓଡ଼ିଶା ମାଟିକୁ ସୁରକ୍ଷା ଦେବାରେ ଅସମର୍ଥ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ମାଟିକୁ ପଡ଼ୋଶୀ ରାଜ୍ୟମାନେ ଆସ୍ତେ ଆସ୍ତେ ମାଡ଼ି ବସୁଛନ୍ତି। କିନ୍ତୁ ଆମ ସରକାର ନିରବତା ଅବଲମ୍ବନ କରୁଛନ୍ତି। ଏହାଠାରୁ ଆଉ ଦୁଃଖଦାୟକ ଘଟଣା କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ନିରଞ୍ଜନ କହିଛନ୍ତି, ଓଡ଼ିଶାକୁ ଗଢ଼ିବା ପାଇଁ ଯେଉଁ ମହାପୁରୁଷମାନେ ତ୍ୟାଗ କରିଥିଲେ, ଆଜି ତାଙ୍କୁ ପରିହାସ କରାଯାଉଛି। ଆନ୍ଧ୍ର ସରକାର ଓଡ଼ିଶାର କୋଟିଆ ଅଂଚଳରେ ଗତ ୩ ମାସ ମଧ୍ୟରେ ଦୁଇ ଦୁଇଥର ନିର୍ବାଚନ ଘୋଷଣା କରି ନିର୍ବାଚନ କରି ସାରିଲେଣି। ନିର୍ବାଚନ କରିବା ପରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯାଉଛନ୍ତି। ଏପରିକି ନିର୍ବାଚନ ଚାଲିଥିଲା ବେଳେ ଓଡ଼ିଶା ସରକାର ୧୪୪ ଧାରା ଜାରି କଲେ, ତାକୁ ମଧ୍ୟ ଆନ୍ଧ୍ର ସରକାର ମାନିଲେ ନାହିଁ କି ଭ୍ରୁକ୍ଷେପ କଲେନାହିଁ। ବହୁ ପୂର୍ବରୁ ସୁପ୍ରିମ୍‌କୋର୍ଟ କହିଛନ୍ତି ସୀମା ବିବାଦ ମାମଲା କୋର୍ଟର ପରିସରଭୁକ୍ତ ନୁହେଁ। ଏହା ସଂସଦର ବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ। ସେମାନେ ଏ ବିଷୟରେ ନିଷ୍ପତ୍ତି ନେଇପାରିବେ। କିନ୍ତୁ କେନ୍ଦ୍ର ବିଜେପି ସରକାରଙ୍କର ଓଡ଼ିଶା ପ୍ରତି ତିଳେମାତ୍ର ଆନ୍ତରିକତା ବା ଦରଦ ନାହିଁ। ସେହିପରି ଓଡ଼ିଶା ସରକାର ମଧ୍ୟ କୌଣସି ଆନ୍ତରିକତା ଦେଖାଉନାହାନ୍ତି। ଏହାଠୁ ଲାକର ଘଟଣା କ’ଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଛନ୍ତି।

ଅତୀତରେ ଯେପରି ମହାନଦୀ ପାଣିକୁ ରାଜ୍ୟ ସରକାର ବଂଚାଇ ପାରିଲେ ନାହିଁ, ତାହା ହରାଇବାକୁ ପଡ଼ିଲା, ଏବେ ମଧ୍ୟ ସେହିପରି ଓଡ଼ିଶା ମାଟିକୁ ହରାଇବାକୁ ବସିଲେଣି। ବିଜେଡି ସରକାର ଥରେମାତ୍ର ସୀମା ବିବାଦ ପ୍ରସଙ୍ଗ ସଂସଦରେ ଉଠାଇଲେ ନାହିଁ। କିମ୍ବା କେନ୍ଦ୍ର ସରକାର ଯାହା ସହିତ ବିଜେଡି ସରକାରଙ୍କ ଆନ୍ତରିକତା ରହିଛି, ସବୁକ୍ଷେତ୍ରରେ ସମର୍ଥନ କରୁଛନ୍ତି ତାଙ୍କୁ ମଧ୍ୟ ଓଡ଼ିଶା ସ୍ୱାର୍ଥ ପାଇଁ ରାଜ୍ୟ ସରକାର କହିଲେ ନାହିଁ। ତେଣୁ କେନ୍ଦ୍ର ସରକାରଙ୍କୁ ଜଣାଇ ସଂସଦରେ ଏ ପ୍ରସଙ୍ଗ ଉଠାଇ ଓଡ଼ିଶାର ସ୍ୱାର୍ଥରକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ନହେଲେ ଓଡ଼ିଶାବାସୀ ଏହି ଐତିହାସିକ ଭୁଲ୍‌କୁ ଗ୍ରହଣ କରିବେ ନାହିଁ ଓ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାବାନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos