ବିଭିନ୍ନ ଜିଲ୍ଲା ଗସ୍ତ କରି ଭବ୍ୟ ସମ୍ବର୍ଦ୍ଧନା ସହ ସାଧାରଣ ସଭା ଓ ପ୍ରକଳ୍ପ ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ବିରୋଧୀ ଦଳଗୁଡ଼ିକର ସ୍ୱର ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି । ଏପଟେ ଆଜି ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତକୁ ବିରୋଧ କରି ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିବା ଦଳୀୟ କର୍ମୀମାନଙ୍କଠୁ ‘ଆମ୍ ଆଦମୀ ପାର୍ଟି’ ନିଜକୁ ଦୂରେଇ ରଖିଛି । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସହ ସାଧାରଣ ସଭା ଓ ପ୍ରକଳ୍ପ ଘୋଷଣା ଆଦିକୁ ଗଣତନ୍ତ୍ର ବିରୋଧୀ କହି କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହୋଇଥିବା ଉଭୟ ବିଜେପି ଓ କଂଗ୍ରେସ ଏବେ ନିଜର ସମାଲୋଚନାକୁ ଅଧିକ ଶାଣିତ କରି ଜନମତ ସୃଷ୍ଟି କରିବା ଅବା ଆଇନଗତ ପଦକ୍ଷେପ ନେବା ବଦଳରେ କେବଳ ଗଣମାଧ୍ୟମ ସହାୟତାରେ ପ୍ରସଙ୍ଗକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ କରିଛନ୍ତି । ସେପଟେ ପାଣ୍ଡିଆନଙ୍କ ସପକ୍ଷରେ ଶାସକ ବିଜେଡିର ବରିଷ୍ଠ ନେତାମାନେ ଆଗକୁ ଆସି ତାଙ୍କର ଭବ୍ୟ ବ୍ୟୟବହୁଳ ଜିଲ୍ଲାଗସ୍ତ ଉପରେ ମୋହର ଲଗାଇବା ପରେ ବିରୋଧୀଙ୍କ ସ୍ୱର ନରମିବାରେ ଲାଗିଛି । ସବୁ ବିରୋଧ ଓ କେନ୍ଦ୍ରର ନୋଟିସକୁ ବେଖାତିର କରି ପାଣ୍ଡିଆନ ନିଜର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ଆଜି ସୋନପୁର ଜିଲ୍ଲା ଗସ୍ତରେ ଯାଇଥିବାବେଳେ ଆସନ୍ତାକାଲି ବୌଦ୍ଧ, ଜୁଲାଇ ୧୨ରେ ସମ୍ବଲପୁର ଓ ଜୁଲାଇ ୧୬ରେ ଦେବଗଡ଼ ଜିଲ୍ଲା ଗସ୍ତ କରି ରାତ୍ରି ରହଣୀର କାର୍ଯ୍ୟକ୍ରମ ରହିଛି । ଇତିମଧ୍ୟରେ ଜୁନ୍ ୨୯-୩୦ରେ ଜଗତସିଂହପୁର ଜିଲ୍ଲା, ବରଗଡ଼କୁ ଜୁନ୍ ୨୫-୨୬, ବାଲେଶ୍ୱର ଜୁନ୍ ୨୨-୨୩, କନ୍ଧମାଳ ୧୬-୧୭, ଭଦ୍ରକ ୧୧-୧୨ ଓ କେନ୍ଦୁଝର ଜୁନ୍ ୯-୧୦ରେ, ରାୟଗଡ଼ା ଜୁନ୍ ୬-୭,ମେ’ ୨୦-୨୧ରେ କଳାହାଣ୍ଡି ଓ ନୂଆପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାକୁ ଏପ୍ରିଲ ୨୭-୨୮ରେ ଗସ୍ତ କରିଥିବା ଶ୍ରୀ ପାଣ୍ଡିଆନ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ରାତି ରହଣୀ କରିବେ ବୋଲି ଜଣାପଡ଼ିଛି । ଶ୍ରୀ ପାଣ୍ଡିଆନ ନିଜର ଭବ୍ୟ କାର୍ଯ୍ୟକ୍ରମକୁ ଜାରି ରଖିଥିବାବେଳେ ଶାସକ ବିଜେଡି ଏବେ ତାଙ୍କ ସମର୍ଥନରେ ଆଗକୁ ଆସି ବିରୋଧୀ ଦଳକୁ ମୁକାବିଲା କରିବ ବୋଲି ସଙ୍କେତ ଦେଇଛି । ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀନ ନାୟକ, ଦେବୀପ୍ରସାଦ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସପକ୍ଷରେ ଗଣମାଧ୍ୟମରେ ବୟାନ ଦେଇ ଦଳ ତାଙ୍କ ସପକ୍ଷରେ ରହିଥିବାର ସନ୍ଦେଶ ଦେଇଛନ୍ତି । ଯଦିଓ ବିରୋଧୀ ବିଜେପି ଏହି ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତାମାନଙ୍କୁ ଆକ୍ଷେପ କରିଛି ତଥାପି ଦଳ ଏ ଦିଗରେ ଶ୍ରୀ ପାଣ୍ଡିଆନଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ତଥା ବିରୋଧୀଙ୍କୁ ମୁହଁତୋଡ୍ ଜବାବ ଦେବା ନେଇ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବାର ଆଭାସ ମିଳିଛି ।
ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରାରମ୍ଭିକ ଭାବେ ଯେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିଲେ ତାହା ଧୀରେଧୀରେ ଦୁର୍ବଳ ହୋଇଛି । ଆଉ ଉଭୟ ବିଜେପି ଓ କଂଗ୍ରେସର ନେତାମାନେ ଏ ଦିଗରେ ଆଇନଗତ ଲଢ଼େଇ ଅବା ଲୋକଙ୍କ ପାଖକୁ ଯାଇ ଲଢ଼େଇ କରିବା ପରିବର୍ତ୍ତେ କେବଳ ଗଣମାଧ୍ୟମକୁ ମୋହରା କରି ନିଜର ରାଜନୀତିକ ବୟାନବାଜି ଜାରି ରଖିଛନ୍ତି । ରାଜ୍ୟରେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିଛି, ଶାସନ ବ୍ୟବସ୍ଥା ହାଇଜ୍ୟାକ୍ ହୋଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ରାଜ୍ୟ ସରକାର ନାହିଁ ବୋଲି କହୁଥିବା ବିରୋଧୀଦଳଗୁଡ଼ିକୁ ଏହି ପ୍ରସଙ୍ଗରେ କାହିଁକି ଜନମତ ସୃଷ୍ଟି କରିବାରେ ସକ୍ଷମ ହେଉନାହାନ୍ତି ତାହା ଏବେବି ଅସ୍ପଷ୍ଟ ଓ ସାଧାରଣରେ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ସେହିପରି ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ବିରୋଧ କରି ପ୍ରଥମଥର ପାଇଁ ଆଗକୁ ଆସିଥିବା ଆମ୍ ଆଦମୀ ପାର୍ଟିର କର୍ମୀମାନେ ସୋନପୁରରେ ଅଣ୍ଡାମାଡ଼ କରିଥିବାର ଅଭିଯୋଗ ହୋଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଅଣ୍ଡାମାଡ଼ ଘଟଣାକୁ ଆମ୍ ଆଦମୀ ପାର୍ଟି ଓଡ଼ିଶା ଶାଖା ନିନ୍ଦା କରିବା ସହ ତାଙ୍କ ଦଳ ଅଣ୍ଡାମାଡ଼ କିମ୍ବା ହିଂସାତ୍ମକ ପନ୍ଥାରେ ବିଶ୍ୱାସ କରେ ନାହିଁ ବୋଲି ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଶ୍ରୀ ପାଣ୍ଡିଆନ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଜିଲ୍ଲା ଗସ୍ତ କରୁଛନ୍ତି, ସେଥିରେ ରାଜନୀତିକ ଭୂମିକା ରହୁଛି । ନବୀନ ସରକାରକୁ ତାଙ୍କ ଦଳ ବିରୋଧ କରୁଛି । କିନ୍ତୁ ଅଣ୍ଡାମାଡ଼ କରିବା ଦଳର ନୀତି ବିରୁଦ୍ଧ କାମ । କେଉଁ କର୍ମୀମାନେ ଏହି ଅଣ୍ଡାମାଡ଼ କରୁଛନ୍ତି ତା’ର ଖୋଳତାଡ଼ ଓ ସମୀକ୍ଷା କରାଯାଉଛି । ଏଥିରେ ସମ୍ପୃକ୍ତ ଥିବା କର୍ମୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ପ୍ରଶ୍ନ ଉଠୁଛି, କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଓ ବିରୋଧୀ ଦଳଗୁଡ଼ିକର ବିରୋଧ ସତ୍ତ୍ୱେ ଶ୍ରୀ ପାଣ୍ଡିଆନ ନିଜର ଭବ୍ୟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସର ସ୍ୱର କାହିଁକି ଅଧିକ ଶାଣିତ ହେବା ପରିବର୍ତ୍ତେ କୋହଳ ହୋଇଯାଇଛି। ଯାହାକୁ ନେଇ ସାଧାରଣରେ ନାନାଦି ଚର୍ଚ୍ଚା ଜୋର ଧରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।