/odisha-reporter/media/post_attachments/uploads/2019/06/pana-raja.jpg)
pana-raja
ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ):
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥
ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲେ ରଜରେ॥
ଏ ହେଉଛି ଜଣାଶୁଣା ରଜ ଗୀତ। ଓଡ଼ିଆମାନଙ୍କ ଗଣ ପର୍ବ ହେଉଛି ରଜ। ତିନି ଦିନ ଧରି ପାଳନ ହେଉଥିବା ଏହି ପର୍ବରେ ମୁଖ୍ୟ ଯେଉଁ ଦୁଇଟି ଆକର୍ଷଣ ଥାଏ ତାହା ହେଉଛି। ‘ପୋଡ ପିଠା’ ଏବଂ ‘ରଜ ପାନ’।
ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦିଆନିଆ କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ ବୋଲି ବିଶ୍ୱାସ ରହିଛି ।
/odisha-reporter/media/post_attachments/wp-content/uploads/2019/06/pana-3..-1.jpg)
ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଏହା ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଢ଼ଗରେ ଅଛି- ‘ପାନଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’।
/odisha-reporter/media/post_attachments/wp-content/uploads/2019/06/pana-2...jpg)
ସବୁଥର ପରି ଏଥର ରଜରେ ମଧ୍ୟ ରଜ ପାନର ଆସର ଜମିବ କିନ୍ତୁ ଚଢା ଦରରେ। ଏକଥା ଆମେ କହୁନୁ କହୁଛନ୍ତି ପାନ ବିକାଳୀ। କାରଣ ପ୍ରଳୟଙ୍କାରୀ ଫୋନି ମାଡରେ ପାନ ବରଜ ଏକ ପ୍ରକାର ଧ୍ୱସ୍ଥ ବିଧ୍ୱସ୍ଥ ହୋଇଯାଇଛି। ବିଶେଷ କରି ପାନ ଚାଷ ହେଇଥିବା ଅଞ୍ଚଳ ଯେମିତି ପୁରୀର ଚନ୍ଦନପୁର, ଜଗତସିଂହପୁରର କୁଜଙ୍ଗ ଏବଂ ନିଆଳି ଅଞ୍ଚଳରେ ଫୋନିର ପ୍ରଭାର ତୀବ୍ର ଥିବାରୁ ସେଠାକାର ବହୁ ପାନ ବରଜ ଏକ ପ୍ରକାର ନଷ୍ଟ ହୋଇଯାଇଛି। ତେଣୁ ପାନ ଚାଷୀଙ୍କ କହିବା କଥା ଏଥର ଫୋନି ରଜ ପାନକୁ ମାଡ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
