ଅଯୋଧ୍ୟାରେ ସୋମବାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହୋଇଛି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁ ସାଧୁସନ୍ଥ, ରାଜନେତା, ଶିଳ୍ପପତି, ସେଲେବ୍ରିଟି ଓ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହିଥିଲେ। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ପୂରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପ୍ରାୟ ୫୦୦ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏହି ବିବାଦର ସୂତ୍ରପାତ ହୋଇଥିଲା ୧୫୨୮ ମସିହାରେ। ତା’ପରେ ଏହି ବିବାଦ କେମିତି ବଢ଼ିଲା, କ’ଣ ସବୁ ଘଟିଲା ଓ କେମିତି ମନ୍ଦିର ପ୍ରତିଷ୍ଠା ହେଲା, ଜାଣନ୍ତୁ ଚୁମ୍ବକରେ।
୧୫୨୮ ମସିହାରେ ବାବରଙ୍କ ଜଣେ ସେନାପତି ମୀର ବାକୀ ବାବ୍ରି ମସଜିଦ ନିର୍ମାଣ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। କିନ୍ତୁ ମୋଗଲ ଓ ନବାବଙ୍କ ଶାସନ ହେତୁ ହିନ୍ଦୁଙ୍କ ସ୍ୱର ତୀବ୍ର ହୋଇପାରି ନଥିଲା। ଊନବିଂଶ ଶତାବ୍ଦୀରେ ମୋଗଲମାନେ ଦୁର୍ବଳ ହେବା ପରେ ବ୍ରିଟିଶ ଶାସନ କାଳରେ ଏହି ବିବାଦ ପୁଣି ଜୋର ଧରିଥିଲା।
୧୮୫୮ରେ ନିହଙ୍ଗ ଶିଖମାନେ ବାବ୍ରି ମସଜିଦ ଭିତରେ ପଶି ଯାଇଥିଲେ। ସେମାନେ ମସଜିଦ ଭିତରେ ବିଭିନ୍ନ ସ୍ଥାନରେ ‘ଶ୍ରୀ ରାମ’ ଲେଖିଥିଲେ। ଏହା ଶ୍ରୀ ରାମଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣିତ କରିବାକୁ ସେମାନେ ଚେଷ୍ଟା କରିଥିଲେ। ଏ ବିଷୟରେ କେବଳ ଶିଖ ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ କରାଯାଇନି, ଐତିହାସିକମାନେ ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି।
ସୁପ୍ରିମକୋର୍ଟ ୨୦୧୯ରେ ଅଯୋଧ୍ୟ ରାମ ମନ୍ଦିରକୁ ନେଇ ଦେଇଥିବା ଐତିହାସିକ ରାୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ନିହଙ୍ଗ ବାବା ଫକୀର ସିଂହ ଖାଲ୍ସା ୨୫ ଜଣ ନିହଙ୍ଗ ଶିଖଙ୍କ ସହିତ ମସଜିଦ ପରିସରରେ ପଶିଥିଲେ ଓ ଏହି ସ୍ଥାନ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି ଦାବି କରିଥିଲେ।
୧୮୮୫ରେ ନିର୍ମୋହୀ ଆଖଡ଼ାର ପୂଜକ ରଘୁବର ଦାସ ପ୍ରଥମ ଥର ପାଇଁ ଏହି ବିବାଦକୁ ନେଇ ମକଦ୍ଦମା ରୁଜୁ କରିଥିଲେ। ମସଜିଦର ବାହ୍ୟ ପ୍ରାଙ୍ଗଣରେ ଏକ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଥିଲା। ଏହା ମଧ୍ୟରେ ବ୍ରିଟିଶ ପ୍ରଶାସନ ବିବାଦ ସ୍ଥଳ ଚାରିପଟେ ବାଡ଼ ଦେଇ ପୂଜା କରିବା ପାଇଁ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ଅଲଗା ସ୍ଥାନ ଚିହ୍ନଟ କରିଥିଲା।
୧୯୪୯ ମସିହା ଡିସେମ୍ବର ମାସ ୨୨ ତାରିଖର ରାତିରେ ବାବ୍ରି ମସଜିଦରେ ରାମ ଲଲାଙ୍କ ମୂର୍ତ୍ତି ଦେଖିବାକୁ ମିଳିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ହିନ୍ଦୁମାନେ ଦାବି କରିଥିଲେ ରାମ ଲଲାଙ୍କ ମୂର୍ତ୍ତି ସେଠାରେ ସ୍ୱୟଂ ପ୍ରକଟ ହୋଇଛନ୍ତି। ଏହା ପରେ ମାମଲା କୋର୍ଟକୁ ଯାଇଥିଲା।
୧୯୫୦ରୁ ୧୯୫୯ ମଧ୍ୟରେ ଏହି ବିବାଦକୁ ନେଇ କୋର୍ଟରେ ଅନେକ ମକଦ୍ଦମା ରୁଜୁ ହୋଇଥିଲା। ନିର୍ମୋହୀ ଆଖଡ଼ା ସେଠାରେ ମୂର୍ତ୍ତି ପୂଜା କରିବାକୁ ଅଧିକାର ପ୍ରଦାନ କରିବାକୁ ଦାବି କରିଥିବା ବେଳେ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ସେହି ସ୍ଥାନକୁ ସେମାନଙ୍କୁ ଦେବାକୁ କହିଥିଲା। ଫଳରେ ଏହି ବିବାଦକୁ ନେଇ ଆଇନର ଲଢ଼େଇ ଆହୁରି ଗମ୍ଭୀର ହେବାରେ ଲାଗିଥିଲା।
୧୯୮୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଏକ ନିଷ୍ପତ୍ତି ଘଟଣାକୁ ଆହୁରି ବିବାଦୀୟ କରି ଦେଇଥିଲା। ତାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବାବ୍ରି ମସଜିଦର ତାଲା ଖୋଲି ଦେଇଥିଲେ ଓ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ। ଏହି ନିଷ୍ପତ୍ତି ଯୋଗୁ ବିବାଦ ଆହୁରି ଘନେଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଥିଲା। ୧୯୯୦ ମଧ୍ୟରେ ରାମ ମନ୍ଦିର ନିର୍ମାଣ କରିବାକୁ ଡେଡ୍ଲାଇନ୍ ସ୍ଥିର କରିଥିଲା ବିଶ୍ୱ ହିନ୍ଦୁ ପରିଷଦ। ଏହି ସମୟରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାର ଆରମ୍ଭ ହୋଇଥିଲା। ମନ୍ଦିର ସପକ୍ଷରେ ସମର୍ଥନ ଜୁଟାଇବା ଏହାର ଲକ୍ଷ୍ୟ ଥିଲା।
୧୯୯୨ ମସିହାରେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଗଲା। ଏହା ପରେ ଦଙ୍ଗା ହୋଇଥିଲା। ବହୁ ଲୋକଙ୍କ ଜୀବନ ଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିବାଦୀୟ ସ୍ଥଳକୁ ନିଜ ଅଧୀନକୁ ନେଇ ଯାଇଥିଲେ। ଏହାକୁ ଡକ୍ଟର ଇସମାଇଲ ଫାରୁକି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ପକ୍ଷରେ ଯାଇଥିଲା। ଫଳରେ ଏହି ବିବାଦରେ ସରକାରଙ୍କ ସଂପୃକ୍ତି ବଢ଼ିଲା।
୨୦୦୨ରୁ ୨୦୦୩ ଭିତରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ଖନନ କରିଥିଲା। ମସଜିଦ ତଳେ ଏକ ମନ୍ଦିର ଥିବାର ପ୍ରମାଣ ଥିବା ଦାବି କରି ଏହି ଖନନ କରାଯାଇଥିଲା। ଅନ୍ୟପକ୍ଷରେ ଆଇନଗତ ଲଢ଼େଇ ଜାରି ରହିଥିଲା।
୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ସ୍ଥଳକୁ ହିନ୍ଦୁ, ମୁସଲିମ ଓ ନିର୍ମୋହୀ ଆଖଡ଼ାଙ୍କ ମଧ୍ୟରେ ଭାଗ କରି ବିବାଦର ସମାଧାନ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କୋର୍ଟଙ୍କ ରାୟ ଉପରେ ଆବେଦନ ହୋଇଥିଲା ଓ ଆଇନର ଲଢ଼େଇ ଜାରି ରହିଥିଲା।
ଶେଷରେ ୨୦୧୯ରେ ସୁପ୍ରମିକୋର୍ଟ ଦେଇଥିଲେ ଐତିହାସିକ ରାୟ। ପୂରା ବିବାଦୀୟ ସ୍ଥଳକୁ କୋର୍ଟ ହିନ୍ଦୁମାନଙ୍କୁ ଦେଇ ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲେ। ସେହିପରି ମସଜିଦ ନିର୍ମାଣ କରିବା ପାଇଁ ଏକ ବିକଳ୍ପ ସ୍ଥାନ ଦେବାକୁ କହିଥିଲେ।
୨୦୨୦ରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଆଜି ଅର୍ଥାତ୍ ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହୋଇଛି ରାମ ମନ୍ଦିର। ଦର୍ଶନ ଦେଇଛନ୍ତି ରାମ ଲଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।