ଏହି ଚିଠିଟି ପଢ଼ନ୍ତୁ। ଚିଠିଟି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଆସଛି। ଆଉ ତାଙ୍କ ପାଖକୁ ଏହି ଚିଠି ଲେଖିଛନ୍ତି ରାଧା ଗୋବିନ୍ଦ କର।
ଡିଅର ମମତା,
ମୋର ସ୍ନେହ ନେବ,
ମୁଁ ଗଢ଼ିଥିବା ହସ୍ପିଟାଲର ଅବସ୍ଥା ଏବଂ ଦୁର୍ନାମ ଶୁଣି ମୁଁ ବାଧ୍ୟ ହୋଇ ତୁମ ପାଖକୁ ଖଣ୍ଡେ ଚିଠି ଲେଖୁଛି। ଆଜି ମୋର ଜନ୍ମ ଦିନ, ହେଲେ ମୋର ନାଁଟି ତୁମ ସରକାର ଏମିତି ବିକ୍ଷତ କରିଦେଇଛି ଯେ ସ୍ୱର୍ଗରେ ରହି ମଧ୍ୟ ମୋ ଆତ୍ମାକୁ ଟିକେ ବି ଶାନ୍ତି ମିଳୁନି। ତେଣୁ ମୁଁ ତୁମ ପାଖକୁ ଏହି ଚିଠି ଖଣ୍ଡକ ଲେଖୁଛି। ଆଜି ଆର.ଜି କର ହସ୍ପିଟାଲର ନାଁ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ । ଏଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେବି ନା ଆଖିରୁ ଲୁହ ଗଡ଼ାଇବି, ତାହା ଜାଣିପାରୁନି। ମୁଁ ଗଢ଼ିଥିବା ହସ୍ପିଟାଲରେ ଜଣେ ସେକେଣ୍ଡ ଇଅର ଇଣ୍ଟର୍ଣ୍ଣ ଛାତ୍ରୀ ଅଭୟାକୁ ଯେଉଁ ଭଳି ଭାବେ ବର୍ବରତାର ସହ ହତ୍ୟା କରାଯାଇଛି, ତାକୁ ନେଇ ଲଜ୍ଜାରେ ମୋ ମୁଣ୍ଡ ତଳକୁ ନଇଁଯାଉଛି । ଅତି ଅମାନୁଷିକ ଏବଂ ଲୋମ ଟାଙ୍କୁରା କାହଣୀ ଘଟିଛି ମୋର ହାତ ଗଢ଼ା ହସ୍ପିଟାଲରେ। କିଏ କହୁଛି ଏଠାରେ ଚାଲିଥିଲା ଦେହ ବେପାର ତ ଆଉ କିଏ କହୁଛି ଏଠାରେ ହେଉଥିଲା ବ୍ଲୁ ଫିଲ୍ମ ସୁଟିଂ। ଏଠାକାର ପୂର୍ବତନ ପ୍ରିନସିପାଲ କୁଆଡ଼େ ଜଣେ ଶବ ବେପାରୀ ଥିଲା। ଘଟଣା ଘଟିବା ପରେ ତୁମେ ତାକୁ ଶାସ୍ତି ଦେବା ବଦଳରେ ରିଓ୍ବାର୍ଡ ଦେଇ ଆଉ ଗୋଟିଏ ହସ୍ପିଟାଲକୁ ବଦଳି କରିଦେଲ। ଯାହା ହେଉ ମୋ ବେଙ୍ଗଲର ଜନତା ଏବଂ ସେଠାକାର ପିଲାଙ୍କୁ ଧନ୍ୟବାଦ ଦେବି। ସେହି ଲୋକଟିକୁ ପୂରାଇ ଦେଲେନି। ଶେଷରେ କୋର୍ଟର ହସ୍ତକ୍ଷେପ ପରେ ଚାକିରିରୁ ସସପେଣ୍ଡ ହୋଇଛି ସେ। ଖାଲି ଏତିକି ନୁହେଁ,ଏଇ ହସ୍ପିଟାଲରେ ଏମିତି ଅନେକ ସନ୍ଦେହଜନକ ମୃତ୍ୟୁ ଘଟିଛି ଯାହା କଥା ମୁଁ ଚିଠିରେ ମଧ୍ୟ ଲେଖିପାରୁନି। ଆଉ ତୁମ ପୁଲିସ୍ ଯାହା କରୁଛି, ତାକୁ ନେଇ ସାରା ବିଶ୍ୱରେ ଛି ଛି ହେଉଛି। ଆନ୍ଦୋଳନ କରୁଥିବା ପିଲାଙ୍କ ଉପରେ ମାଡ଼ି ଆସିଲେ ହଜାର ହଜାର ଲୋକ। ପ୍ରମାଣ ନଷ୍ଟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କଲେ। ଆଉ ଏ ସବୁକୁ ତୁମ ପୁଲିସ ଜଳକା ପରି ଦେଖୁଥିଲା। ଶେଷରେ ବାଟ ନ ପାଇ ପିଲାଙ୍କ ପାଇଖାନାରେ ଲୁଚିଗଲା। ଏ ସବୁ ଶୁଣିଲା ବେଳକୁ ମୋ ମୁଣ୍ଡ ଲାଜରେ ତଳକୁ ନଇଁ ଯାଉଛି। ଏ ସେଇ ବଙ୍ଗତ, ଯିଏ ସ୍ବାମୀ ବିବେକାନନ୍ଦ, ସୁଭାଷ, ଚିତ୍ତରଞ୍ଜନ ଦାସ, ରବୀନ୍ଦ୍ରନାଥ ଟାଗୋର, ବାଘା ଯତୀନଙ୍କ ଭଳି ଲୋକଙ୍କୁ ଜନ୍ମ ଦେଇଥିଲା। ଜ୍ଞାନ ଓ ଗାରିମାର ରାଜ୍ୟ ଥିଲା। ଆଉ ଏବେ ଏହାର ଅବସ୍ଥା କଣ କରିଛ ତୁମେ ? ...
ପାଠକ ବନ୍ଧୁ, ଏହା ଏକ କାଳ୍ପନିକ ଚିଠି । ହେଲେ ଥରେ ଟିକେ ଭାବନ୍ତୁତ ଯଦି ଆର.ଜି. କର ଆଜି ବଞ୍ଚିଥାନ୍ତେ ତେବେ, ତାଙ୍କୁ କେମିତି ଫିଲ୍ ହୁଅନ୍ତା। ଅନେକ ସଂଘର୍ଷ ମଧ୍ୟରେ ସେତେବେଳର ଡାକ୍ତର ରାଧା ଗୋବିନ୍ଦ କର ପ୍ରତିଷ୍ଠା କରିଥିଲେ ଏହି ହସ୍ପିଟାଲ। ସେତେବେଳେ ଭାରତର ଅନ୍ୟତମ ପ୍ରମୁଖ ସହର ଥିଲା କଲିକତା। କୁହାଯାଉଥିଲା କଲିକତାରେ ରାତି ନାହିଁ ପୁରୀରେ ଜାତି ନାହିଁ। ମନେ ପକାନ୍ତୁ ଆଜକୁ 80-90 ବର୍ଷ ତଳର କଥା। ଭାରତ ସ୍ୱାଧୀନ ହୋଇ ନଥାଏ। ଲୋକଙ୍କ ପାଖରେ ଏତେ କାମ ଧନ୍ଦା ନଥାଏ। ସାରା ଭାରତର ଲୋକ କାମ ପାଇଁ ଚାଲି ଆସନ୍ତି କଲିକତାକୁ। ଦେଶର ଏକ ଜନ ବହୁଳ ସହର ଥିଲା କଲିକତା। ଏଠାରେ ଗଢ଼ି ଉଠିଥିଲା ଅନେକ କଳକାରଖାନା। ଯେହେତୁ ଏହା ଏକ ଜନବହୁଳ ସହର ଥିଲା ଏଠାରେ ମହାମାରୀ ହେଲେ ଅତିଶୀଘ୍ର ବ୍ୟାପି ଯାଉଥିଲା। କଲେରା ଏବଂ ପ୍ଲେଗ ହେଲେ ଲୋକେ ପୋକ ମାଛି ପରି ମରି ଯାଉଥିଲେ। ଆଉ ଲୋକଙ୍କ ଏ ଦୁଃଖ ସହି ପାରୁନଥିଲେ ରାଧା ଗୋବିନ୍ଦ କର ବା ଆର.ଜି.କର। ଆଉ ନିଷ୍ପତ୍ତି ନେଇଥିଲେ କଲିକତାରେ ସେ କରିବେ ଏକ ମେଡିକାଲ କଲେଜ।
ପଶ୍ଚିମବଙ୍ଗର ସାନ୍ତ୍ରାଗାଛିର ବିଖ୍ୟାତ ଡାକ୍ତର ଦୁର୍ଗାଦାସ କରଙ୍କ ଘରେ 1852 ଅଗଷ୍ଟ 23ରେ ଜନ୍ମ ନିଅନ୍ତି ରାଧା ଗୋବିନ୍ଦ କର। ହିନ୍ଦୁ ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ଆର.ଜି.କର କାଲକାଟା ମେଡିକାଲ କଲେଜରେ ପାଠପଢନ୍ତି। ସେହି ସମୟରେ ସମଗ୍ର ଏସିଆରେ କାଲକାଟା ମେଡିକାଲ କଲେଜ ବହୁତ ବିଖ୍ୟାତ ଥିଲା। ଏଠାକୁ ସେତେବେଳେ ଦେଶ ବିଦେଶରୁ ଅନେକ ଲୋକ ଡାକ୍ତରୀ ପଢ଼ିବା ପାଇଁ ଆସନ୍ତି। ତେବେ ବର୍ଷେ ପାଠ ପଢି ସେ ପଢା ଛାଡି ଦିଅନ୍ତି। ପୁଣି ଏକ ବର୍ଷ ପରେ 1880 ମସିହାରେ କର ପୁଣି କଲେଜରେ ନାମ ଲେଖାନ୍ତି । ୩ ବର୍ଷ ପାଠ ପଢିବା ପରେ 1883 ମସିହାରେ ଇଡେନବର୍ଗ ବିଶ୍ବବିଦ୍ୟାଳୟରୁ ମେଡିକାଲ ଡିଗ୍ରୀ ହାସଲ କରନ୍ତି ଆର.ଜି କର। 1886ରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ନେଇ ଫେରନ୍ତି ବିଦେଶରୁ। ତେବେ ତତ୍କଳାନୀ ବ୍ରିଟିଶ ସରକାରଙ୍କ ବିରୋଧରେ କରଙ୍କ ଆନ୍ଦୋଳନ ଆରମ୍ଭ ହୁଏ। ବ୍ରିଟିଶ ରାଜକୁ ବିରୋଧ କରି ଆର ଜି କର ଏବଂ ଅନ୍ୟ କିଛି ତାଙ୍କ ଡାକ୍ତର ସାଙ୍ଗମାନେ 1886ରେ ଆରମ୍ଭ କରନ୍ତିକାଲକାଟା ସ୍କୁଲ ଅଫ ମେଡିସିନ୍। ବୈଠକଖାନା ବଜାର ରୋଡରେ 1886 ମସିହାରେ ଆରମ୍ଭ ହୁଏ କାଲକାଟା ସ୍କୁଲ ଅଫ ମେଡିସିନ୍।ଏହା ପ୍ରଥମେ ଏକ ଭଡ଼ା ଘରେ ଚାଲେ। ସେ ସମୟରେ ବଙ୍ଗଳା ଏବଂ ଇଂରାଜୀ ଭାଷାରେ ଏହା ତିନି ବର୍ଷିଆ ମେଡିକାଲ ପାଠ୍ୟକ୍ରମ ଥିଲା।
ଅତିଶୀଘ୍ର ଆର.ଜି କରଙ୍କ ଏହି ହସ୍ପିଟାଲ ଲୋକପ୍ରିୟତା ହାସଲ କରିବାରେ ଲାଗିଲା। ପ୍ରଥମେ ଅଳ୍ପ କେତେ ସଂଖ୍ୟକ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ହସ୍ପିଟାଲ ଲୋକପ୍ରିୟତା ହାସଲ କରିବାରେ ଲାଗିଲା। ଏହାପରେ ହସ୍ପିଟାଲଟି ଓ୍ବେବ ବଜାରକୁ ସିଫଟ୍ ହୁଏ। ସେହି ସମୟରେ ଏହି ଅଞ୍ଚଳରେ କୌଣସି ମେଡିକାଲ କଲେଜ ନଥିଲା, ପିଲାମାନେ ମେଡିକାଲ ପାଠ୍ୟକ୍ରମ ପାଇଁ ହାଓ୍ବଡାରେ ଥିବା ମାଓ ହସ୍ପିଟାଲ ଯାଉଥିଲେ। ତେବେ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ 1898 ମସିହାରେ ବେଲଗାଛିଆରେ ହସ୍ପିଟାଲ ବିଲଡିଂ ପାଇଁ 12 ହଜାର ଟଙ୍କା ଦେଇ 4 ଏକର ଜାଗା କିଣାଯାଏ। ଏହାର 4 ବର୍ଷ ପରେ 30 ବେଡ ବିଶିଷ୍ଟ ସିଙ୍ଗଲ ଷ୍ଟେୟର ହସ୍ପିଟାଲକୁ ତତ୍କାଳୀନ ଗର୍ଭନର ଲର୍ଡ ଉଡବର୍ଣ୍ଣ ଉଦଘାଟନ କରନ୍ତି। ଏହାପରେ ହସ୍ପିଟାଲରେ ଆଉ ଦୁଇଟି ଫ୍ଲୋର ନିର୍ମାଣ ହୁଏ। ଏହାପରେ କାଲକାଟା ସ୍କୁଲ ଅଫ୍ ମେଡିସିନ୍, ସ୍କୁଲ ଅଫ୍ ଫିଜିସିଆନସ୍ ଆଣ୍ଡ ସର୍ଜନସ ଅଫ୍ ବେଙ୍ଗଲରେ ମର୍ଜ ହୋଇଯାଏ।ଯାହାକି 1895 ମସିହାରେ କାଲକାଟା ସ୍କୁଲ ଅଫ୍ ମେଡିସିନ୍ ସ୍କୁଲ ଅଫ୍ ଫିଜିସିଆନସ୍ ଆଣ୍ଡ ସର୍ଜନସ ଅଫ୍ ବେଙ୍ଗଲ ନାଁରେ ପରିଚିତ ହୋଇଥିଲା। 1916 ମସିହାରେ ଏହା ହୋଇଯାଏ ବେଲଗାଛିଆ ମେଡିକାଲ କଲେଜ। 1918 ମସିହାରେ ମେଡିକାଲ ଏଜୁକେସନ୍ ସୋସାଇଟି ଅଫ୍ ବେଙ୍ଗଲ ନାମକ ଏକ ସୋସାଇଟି ଗଢ଼ାଯାଏ। ଏହି ସୋସାଇଟି ମେଡିକାଲ କଲେଜର ଦେଖାଶୁଣା କରେ। ସୁରେଶ ପ୍ରସାଦ ସର୍ବାଧିକାରୀ ହୁଅନ୍ତି ଏହାର ସଭାପତି ଏବଂ ଆରି.ଜିକର ହୁଅନ୍ତି ଏହାର ପ୍ରଥମ ସଂପାଦକ। ତେବେ 1916 ରୁ 1918 ମଧ୍ୟରେ ଆର.ଜି.କରଙ୍କ ଦେହାନ୍ତ ହୁଏ। ଏହାପରେ ଏହାର ନାମ ବଦାଳାଯାଇ ଆର.ଜି.କର ହସ୍ପିଟାଲ ରଖାଯାଏ।ଏଠାରେ ଏସିଆର ପ୍ରଥମ ମାନସିକ ରୋଗ ବିଭାଗର ଓପିଡି ଖୋଲେ। ଏହାପରେ ପ୍ରଥମ ଥର ପାଇଁ 1935 ମସିହାରେ ମେଟର୍ନିଟି ଓ୍ବାର୍ଡ ଖୋଲେ। 1939 ମସିହାରେ ହୃଦରୋଗ ବିଭାଗ ଖୋଲେ। ଭାରତ ସ୍ବଧୀନତା ପାଇଲା ବେଳକୁ ଦେଶରେ ଏହା ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ପରିଣତ ହୋଇଯାଇଥାଏ। ମେ 12 , 1948 ମସିହାରେ ଏହି ହସ୍ପିଟାଲକୁ ଆର.ଜି. କର ହସ୍ପିଟାଲ ନାଁରେ ନାମିତ କରାଯାଏ। ମେ 12 , 1958 ମସିହାରେ ରାଜ୍ୟ ସରକାର ଏହାକୁ ନିଜ ହାତକୁ ନେଇଯାଆନ୍ତି। ଏହାପରେ ସେ ସମୟରେ ସମଗ୍ର ପୂର୍ବ ଭାରତରେ ଏହା ଏକ ପ୍ରତିଷ୍ଠିତ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭାବେ ନାଁ କରେ।
ଏଭଳି ଅନେକ ଘାତ ପ୍ରତିଘାତ ଦେଇ ବର୍ଷ ବର୍ଷ ଧରି ସମଗ୍ର ଦେଶ ଏବଂ ପଶ୍ଚିମବଙ୍ଗକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ହସ୍ପିଟାଲ ସହ ଅନେକ ବଦନାମ ଯୋଡି ହୋଇଛି।
2001 ମସିହାରେ ଏଠାକାର ଛାତ୍ର ସୌମିତ୍ର ବିଶ୍ବାସଙ୍କ ମର ଶରୀର ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କୁହାଗଲା ସୌମିତ୍ର ଆର. ଜି. କରରେ ଚାଲିଥିବା ପର୍ଣ୍ଣୋଗ୍ରାଫି ଏବଂ ଦେହ ବ୍ୟବସାୟର କୁଆଡ଼େ ପର୍ଦ୍ଦାଫାଶ କରିବାକୁ ସେ କହୁଥିଲେ ।
2003ରେ ଆର. ଜି. କର ହସ୍ପିଟାଲରେ ଜଣେ ହାଉସ ଷ୍ଟାଫ ସୁଇସାଇଡ୍ କରିଥିଲେ।
2016ରେ ଆର. ଜି. କର ହସ୍ପିଟାଲର ଜଣେ ପ୍ରଫେସରଙ୍କ ଗଳିତ ଶବ ତାଙ୍କ ଘରୁ ମିଳେ। ସେ ମଧ୍ୟ ଆତ୍ମହତ୍ୟା କରିଥିବା କୁହାଗଲା।
2020ରେ ଜଣେ 25 ବର୍ଷିୟ ଜୁନିଅର ଡାକ୍ତର ମେଡିକାଲର ଏମର୍ଜେନସି ବଲଡିଂରୁ ଡେଇଁ ଆତ୍ମହତ୍ୟା କରନ୍ତି।
2023 ମସିହାରେ ଜଣେ ଇଣ୍ଟର୍ଣଡ୍ରଗସ୍ ଓଭରଡୋଜ କାରଣରୁ ପ୍ରାଣ ହରାନ୍ତି। ଥାନାରେ ଏହା କେବଳ ଏକ ୟୁଡି କେସ ହୋଇ ରହିଯାଏ।
ଏ ଭଳି ଅନେକ ଘଟଣାର ମୂକସାକ୍ଷୀ ହୋଇ ରହିଯାଇଛି କୋଲକାତାରେ ଥିବା ଆର.ଜି କର ହସ୍ପିଟାଲ। ତେବେ ଆମେ ସମସ୍ତେ ଆଶା କରିବା ଏହି ହସ୍ପିଟାଲ ଉପରେ ଲାଗିଥିବା ସମସ୍ତ ପାପ ଧୋଇ ହୋଇଯାଉ। ଆର.ଜି.କର ହସ୍ପିଟାଲ ତାର ପୁରୁଣା ଗୌରବ ପୁଣି ଫେରିପାଉ।