ଶୁକ୍ରବାରଠାରୁ ଟି-୨୦ ସିରିଜ୍: ଟିମ୍ ଇଣ୍ଡିଆ ଆଗରେ କିୱି ଚ୍ୟାଲେଞ୍ଜ୍‌

ଅକଲ୍ୟାଣ୍ଡ୍‌: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଯାଉଛି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଏବଂ ଏହାର ପ୍ରଥମ ମ୍ୟାଚ୍ ଶୁକ୍ରବାର ଇଡେନ୍ ପାର୍କରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଥିଲେ ହେଁ, ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ କିଛି ଛୋଟ କଥା ନୁହେଁ। ଚଳିତ ବ୍ୟସ୍ତବହୁଳ ସିଜନରେ ଭାରତୀୟ ଟିମ୍ ତା’ର ନିଜ ମାଟିରେ ଅଷ୍ଟ୍ରେଲିଆ […]

virat

virat

Ranjit Kumar Jena
  • Published: Thursday, 23 January 2020
  • Updated: 23 January 2020, 06:07 PM IST

Sports

Latest News

ଅକଲ୍ୟାଣ୍ଡ୍‌: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଯାଉଛି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଏବଂ ଏହାର ପ୍ରଥମ ମ୍ୟାଚ୍ ଶୁକ୍ରବାର ଇଡେନ୍ ପାର୍କରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଥିଲେ ହେଁ, ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ କିଛି ଛୋଟ କଥା ନୁହେଁ। ଚଳିତ ବ୍ୟସ୍ତବହୁଳ ସିଜନରେ ଭାରତୀୟ ଟିମ୍ ତା'ର ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଖେଳିବାର ପାଞ୍ଚଦିନ ପରେ ଏହି ଟି-୨୦ ମ୍ୟାଚ୍ ଖେଳିବାକୁ ଯାଉଛି। ବିରାଟ୍ କୋହଲିଙ୍କ କ୍ୟାପଟେନ୍ସିରେ ଟିମ୍ ମଙ୍ଗଳବାର ଅକଲ୍ୟାଣ୍ଡରେ ପହଞ୍ଚିଥିଲା ଏବଂ ବୁଧବାର ବିଶ୍ରାମ କରିଥିଲା। ତେବେ ଗୁରୁବାର ଭାରତୀୟ ଟିମ୍ ଅଭ୍ୟାସ ସେସନରେ ଯୋଗ ଦେଇଛି।

ଅନ୍ୟପକ୍ଷରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ କାରଣରୁ ଟିମ୍ ମ୍ୟାନେଜମେଣ୍ଟ ଚୟନରେ ନିରନ୍ତରତା ଆଣିବାରେ ସଫଳ ରହିଛି, କାରଣ ବିଶ୍ୱକପ୍ ପୂର୍ବରୁ ଭାରତକୁ ସର୍ବଶ୍ରେଷ୍ଠ ଟିମ୍ ସଂଯୋଜନ କରିବାକୁ ପଡ଼ିବ। ଶିଖର ଧୱନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର୍ ଓ ଭୁବନେଶ୍ୱର କୁମାର ଆହତ କାରଣରୁ ଟିମରୁ ବାହାରେ ଅଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଟିମରେ ସ୍ଥାନ ପାଇଥିବା ଖେଳାଳି ନିଜ ନିଜର ପ୍ରଦର୍ଶନ ଦ୍ୱାରା ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ଧୱନଙ୍କ ବିକଳ୍ପ ଭାବେ ଲୋକେଶ ରାହୁଲ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ଏହା ପରେ ଧୱନଙ୍କ ପ୍ରତ୍ୟାବର୍ତ୍ତନ ପରେ ରାହୁଲ୍ ତାଙ୍କ ସହ ଇନିଂସ୍ ଓପନ୍ କରିଥିଲେ ଏବଂ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ଧୱନ୍ ଆହତ ଥିବା ତାଙ୍କ ସ୍ଥାନରେ ରାହୁଲ୍ ରୋହିତଙ୍କ ସହ ଓପନ୍ କରିବେ।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ରାହୁଲଙ୍କର ଦ୍ୱୈତ ଭୂମିକା (ୱିକେଟକିପର ଏବଂ ବ୍ୟାଟିଂ) ତୁଲାଇବା ନେଇ ସ୍ପଷ୍ଟ କରିସାରିଛନ୍ତି। ଯଦି ରାହୁଲ୍ ୱିକେଟକିପିଙ୍ଗ୍ କରନ୍ତି, ତାହେଲେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପନ୍ତଙ୍କ ଆହତ ହେବା ପରେ ରାହୁଲ ୱିକେଟ୍ ପଛରେ ନିଜର ପାରଙ୍ଗମ ଦେଖାଇଥିଲେ। ଶ୍ରେୟସ ଆୟର୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଏବଂ ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ଯଦି ପନ୍ତ ନଖେଳନ୍ତି, ତାହେଲେ ମନିଷ ପାଣ୍ଡେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଗୁରୁବାର ଉଭୟ ପାଣ୍ଡେ, ଆୟର୍ ଓ ପନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ। ତେବେ ସଞ୍ଜୁ ସାମସନ୍ ପରେ ବ୍ୟାଟିଂ କରିବାକୁ ଆସିଥିଲେ।

ସାମସନଙ୍କର ପ୍ରଥମ ଟି-୨୦ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଯଦି ଭାରତ ପାଞ୍ଚ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ମଇଦାନକୁ ଓହ୍ଲାଏ ଏବଂ ଷଷ୍ଠ ବିକଳ୍ପ ଭାବେ ଶିବମ୍ ଦୁବେଙ୍କୁ ବାହାରେ ରଖେ, ତାହେଲେ ଉଭୟ ପନ୍ତ ଓ ପାଣ୍ଡେ ଅନ୍ତିମ ଏକାଦଶରେ ସୁଯୋଗ ପାଇବେ। ଅଲରାଉଣ୍ଡର ଭାବେ ୱାଶିଂଟନ୍ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ବିକଳ୍ପ ଭାବେ ଉପଲବ୍ଧ ଅଛନ୍ତି। ୟୁଜବେନ୍ଦ୍ର ଚହଲ୍ ଓ କୁଲଦୀପ ଯାଦବ ୨୦୧୯ ବିଶ୍ୱକପ୍ ପରଠାରୁ ଆଦୌ ଏକାଠି ଖେଳିନାହାନ୍ତି। ପେସ୍ ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରାଙ୍କର ଖେଳିବା ଏକପ୍ରକାର ନିଶ୍ଚିତ ଏବଂ ଏଭଳି ସ୍ଥିତିରେ ଶାର୍ଦ୍ଦୁଲ ଠାକୁର ଓ ନଭଦୀପ ସାଇନିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ।

ନ୍ୟୁଜିଲ୍ୟାଣ୍ଡ୍ ଗତବର୍ଷ ଟି-୨୦ ସିରିଜରେ ଭାରତକୁ ୨-୧ରେ ହରାଇଥିଲା। ଏହା ପରେ ନ୍ୟୁଜିଲ୍ୟାଣ୍ଡ୍ ଶ୍ରୀଲଙ୍କା ଗସ୍ତରେ ୨-୧ରେ ସିରିଜ୍ ଜିତିଥିବା ବେଳେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ଡ୍ର' କରିଥିଲା। ଟି-୨୦ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ମନୋବଳ ହ୍ରାସ ପାଇଛି। ଏହାର କାରଣ ହେଉଛି କିୱି ଟିମ୍ ନିକଟରେ ଅଷ୍ଟ୍ରେଲିଆ ନିକଟରୁ ୩-୦ରେ ପରାସ୍ତ ହୋଇଥିଲା। ଏହି ପରାଜୟ ପରେ କେନ୍ ୱିଲିୟମସନଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠିଥିଲା। ନ୍ୟୁଜିଲ୍ୟାଣ୍ଡ୍ ପାଖରେ ଅଲରାଉଣ୍ଡରଙ୍କ ଅଭାବ ନାହିଁ, କିନ୍ତୁ ଟିମକୁ ପେସ୍ ବୋଲିଂ ବିଭାଗରେ ସନ୍ତୁଳନ ଆଣିବାକୁ ପଡ଼ିବ। ଟ୍ରେଣ୍ଟ୍ ବୋଲ୍ଟ, ମ୍ୟାଟ୍ ହେନରୀ ଏବଂ ଲକି ଫର୍ଗୁସନଙ୍କ ଭଳି ପେସ୍ ବୋଲର ଆହତ କାରଣରୁ ଟିମରେ ନାହାନ୍ତି ଏବଂ ଏମାନଙ୍କ ଅନୁପସ୍ଥିତି ଘରୋଇ ଦଳ ନିଶ୍ଚିତ ଅନୁଭୂତ କରିବ।

ଭାରତ ଟି-୨୦ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ସଞ୍ଜୁ ସାମସନ୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର।

ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ସ୍କ୍ୱାଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍), ମାର୍ଟିନ୍ ଗପ୍ଟିଲ, ରସ୍ ଟେଲର୍, ସ୍କଟ୍ କୁଗଲେଇନ୍, କଲିନ୍ ମୁନରୋ, କଲିନ୍ ଡି ଗ୍ରାଣ୍ଡହୋମ୍, ଟମ୍ ବ୍ରୁସ୍, ଡାରିଲ୍ ମିଚେଲ୍, ମିଚେଲ୍ ସାଣ୍ଟନର୍, ଟିମ୍ ସେଫର୍ଟ (ୱିକେଟକିପର), ହାମିଶ୍ ବେନେଟ୍ଟ, ଇଶ୍ ସୋଢୀ, ଟିମ୍ ସାଉଦୀ, ବ୍ଲେୟାର୍ ଟିକନର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos