ଢୋଲ ଓ ପୁଷ୍ପ ବର୍ଷା ସହ ରାହାଣେଙ୍କୁ ଜୋରଦାର୍ ସ୍ୱାଗତ
ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଆଜି ସ୍ୱଦେଶ ଫେରିଛନ୍ତି। ସବୁ ଖେଳାଳି ଅଲଗା ଅଲଗା ଫ୍ଲାଇଟରେ ନିଜ ନିଜର ଘରକୁ ଫେରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଶେଷ ତିନୋଟି ମ୍ୟାଚ୍ରେ ଟିମର ନେତୃତ୍ୱ ନେଇଥିବା ଅଜିଙ୍କ୍ୟ ରାହାଣେଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରାଯାଇଛି।
ରାହାଣେ ଯେତେବେଳେ ନିଜ ଘରେ ପହଞ୍ଚିଲେ, ସେଠାରେ ସ୍ଥାନୀୟ ଲୋକେ ତାଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ। ମହାରାଷ୍ଟ୍ରର ପାରମ୍ପରିକ ଢୋଲ ଓ ନଗାଡା ବଜାଇବା ସହ ‘ଆଲା ରେ ଆଲା ଅଜିଙ୍କ୍ୟ ଆଲା’ ଧ୍ୱନି ସହ ରାହାଣେଙ୍କୁ ସ୍ୱାଗତ କରାଯାଇଥିଲା। ଏପରିକି ରାହାଣେ ଯେତେବେଳେ ରେଡ୍ କାର୍ପେଟରେ ଆଗକୁ ବଢ଼ୁଥିଲେ, ଲୋକେ ତାଙ୍କ ଉପରକୁ ପୁଷ୍ପ ବର୍ଷା କରୁଥିଲେ। ରାହାଣେଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଥିଲେ। ରାହାଣେଙ୍କ ସମେତ ରୋହିତ୍ ଶର୍ମା, ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ଶାର୍ଦ୍ଦୁଲ ଠାକୁର ଓ ପୃଥ୍ୱୀ ଶ’ ମୁମ୍ବାଇରେ ପହଞ୍ଚିଛନ୍ତି।
#WATCH Maharashtra: Team India's stand-in captain during #BorderGavaskarTrophy in Australia, Ajinkya Rahane, welcomed at his residence in Mumbai earlier today, amid celebrations.
India retained the Border Gavaskar Trophy by beating Australia 2-1. pic.twitter.com/wFHtUVM9NT
— ANI (@ANI) January 21, 2021
ଚେନ୍ନାଇରେ ରହୁଥିବା ଅଭିଜ୍ଞ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍, ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଓ ବୋଲିଂ କୋଚ୍ ଭରତ ଅରୁଣ ଏବେ ଦୁବାଇରେ ଅଛନ୍ତି। ଏମାନେ ଶୁକ୍ରବାର ସ୍ୱଦେଶ ଫେରିପାରନ୍ତି। ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ପ୍ୟାଟରନୀଟି ଲିଭରେ ଥିବା ବିରାଟ୍ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ସହ ଯୋଗଦେବେ।
ମିଳିଥିବା ରିପୋର୍ଟ ଅନୁଯାୟୀ, ଯେଉଁ ଭାରତୀୟ କ୍ରିକେଟର ଏବଂ ସପୋର୍ଟ ଷ୍ଟାଫ୍ ମୁମ୍ବାଇରେ ପହଞ୍ଚିଛନ୍ତି, ସେମାନେ ସବୁ ତିନିଦିନର ହୋମ୍ କ୍ୱାରେଣ୍ଟାଇନରେ ରହିବେ। ଅଧିକାଂଶ ଖେଳାଳି ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଆଇପିଏଲ୍ ପରଠାରୁ ବାୟୋ-ବବଲ୍ (ଜୈବ ସୁରକ୍ଷା) ଭିତରେ ରହିଆସିଛନ୍ତି। ନଭେମ୍ବର ୧୦ ତାରିଖରେ ଆଇପିଏଲ୍ ଫାଇନାଲ୍ ପରେ ଭାରତୀୟ ଖେଳାଳିମାନେ ସିଧା ୟୁଏଇରୁ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ସ୍ୱଦେଶ ଫେରିବା ପରେ ଖେଳାଳିମାନଙ୍କୁ ନିଜ ପରିବାର ସହ ସମୟ ବିତାଇବା ପାଇଁ ଅଧିକ ସମୟ ମିଳିବ ନାହିଁ। କାରଣ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ହାତରେ ସମୟ କମ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।