ଏପ୍ରିଲ୍ ୬, ୨୦୧୪: ଭାରତର ସ୍ୱପ୍ନ ଚୁରମାର୍ କରିଥିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣର ସାତବର୍ଷ ପରେ ଅର୍ଥାତ୍ ୨୦୧୪ରେ ବାଂଲାଦେଶରେ ଆୟୋଜିତ ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ। ମୀରପୁର ଶେର୍‌-ଇ-ବାଂଲା ଷ୍ଟାଡିୟମରେ ଟାଇଟଲ୍ ମୁକାବିଲାରେ ସାମ୍ନାରେ ଥିଲା ଶ୍ରୀଲଙ୍କା ଟିମ୍। ଇଏ ସେହି ଶ୍ରୀଲଙ୍କା ଟିମ୍‌, ଯାହାକୁ ଭାରତ ତିନିବର୍ଷ ପୂର୍ବେ ଅର୍ଥାତ୍ ୨୦୧୧ରେ ୫୦ଓଭର ବିଶିଷ୍ଟ ବିଶ୍ୱକପ୍ ଫାଇନାଲରେ ହରାଇ ୨୮ ବର୍ଷ ପରେ ଚାମ୍ପିୟନ୍ ହୋଇଥିଲା। ଏଥିସହ ଶ୍ରୀଲଙ୍କା ଟିମ୍ ଆଇସିସି ବୈଷୟିକ ଟୁର୍ଣ୍ଣାମେଣ୍ଟରେ ଚାରିଥର ଫାଇନାଲ୍ ହାରିସାରିଥିଲା। […]

india

india

Ranjit Kumar Jena
  • Published: Monday, 06 April 2020
  • Updated: 06 April 2020, 05:48 PM IST

Sports

Latest News

ନୂଆଦିଲ୍ଲୀ: ୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣର ସାତବର୍ଷ ପରେ ଅର୍ଥାତ୍ ୨୦୧୪ରେ ବାଂଲାଦେଶରେ ଆୟୋଜିତ ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ। ମୀରପୁର ଶେର୍‌-ଇ-ବାଂଲା ଷ୍ଟାଡିୟମରେ ଟାଇଟଲ୍ ମୁକାବିଲାରେ ସାମ୍ନାରେ ଥିଲା ଶ୍ରୀଲଙ୍କା ଟିମ୍। ଇଏ ସେହି ଶ୍ରୀଲଙ୍କା ଟିମ୍‌, ଯାହାକୁ ଭାରତ ତିନିବର୍ଷ ପୂର୍ବେ ଅର୍ଥାତ୍ ୨୦୧୧ରେ ୫୦ଓଭର ବିଶିଷ୍ଟ ବିଶ୍ୱକପ୍ ଫାଇନାଲରେ ହରାଇ ୨୮ ବର୍ଷ ପରେ ଚାମ୍ପିୟନ୍ ହୋଇଥିଲା। ଏଥିସହ ଶ୍ରୀଲଙ୍କା ଟିମ୍ ଆଇସିସି ବୈଷୟିକ ଟୁର୍ଣ୍ଣାମେଣ୍ଟରେ ଚାରିଥର ଫାଇନାଲ୍ ହାରିସାରିଥିଲା। ମୋଟାମୋଟି ଦେଖିବାକୁ ଗଲେ ଶ୍ରୀଲଙ୍କା ପାଖରେ ୨୦୧୪ ଟି-୨୦ ବିଶ୍ୱକପ୍ ଜିତିବାର ସୁବର୍ଣ୍ଣ ସୁଯୋଗ ଥିଲା।

ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ମାତ୍ର ୧୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଭାରତର କୌଣସି ବ୍ୟାଟ୍ସମ୍ୟାନ୍ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠିପାରି ନଥିଲେ। ଓପ୍ନର ରୋହିତ୍ ଶର୍ମା (୨୯) ଓ ଆଜିଙ୍କ୍ୟ ରାହାଣେ ନିରାଶ କରିଥିଲେ। ତେବେ ମଧ୍ୟକ୍ରମରେ ବିରାଟ୍ କୋହଲି ଚମତ୍କାର ବ୍ୟାଟିଂ କରି ୭୭ (୫୮ ବଲ୍‌, ୫ ଚୌକା, ୪ ଛକା) ରନର ଇନିଂସ୍ ଖେଳିଥିଲେ। ହେଲେ ଯୁବରାଜ ସିଂହ ଆଶାମୁତାବକ ବ୍ୟାଟିଂ କରିପାରିନଥିଲେ। ଯୁବରାଜ ୨୧ ବଲ୍ ଖେଳିଥିଲେ ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେହିପରି କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ୭ ବଲରେ ୪ ରନ୍ କରି ଅପରାଜିତ ଥିଲେ।

ବିଶ୍ୱ ବିଜେତା ହେବା ପାଇଁ ଶ୍ରୀଲଙ୍କା ଆଗରେ ୧୩୧ ରନର ଲକ୍ଷ୍ୟ ରଖାଯାଇଥିଲା। ଶ୍ରୀଲଙ୍କା ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ଲଢ଼ୁଆ ଅର୍ଦ୍ଧଶତକ ମାରିଥିଲେ, ଯାହା ବଳରେ ଶ୍ରୀଲଙ୍କାକୁ ୧୭.୫ ଓଭରରେ ୪ ୱିକେଟ୍ ହରାଇ ୧୩୪ ରନ୍ କରି ବିଜୟୀ ହୋଇଥିଲା। ସାଙ୍ଗାକାରା ୩୫ ବଲରେ ୬ ଚୌକା ଓ ୧ ଛକା ସହ ଅପରାଜିତ ୫୨ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାହେଲା ଜୟବର୍ଦ୍ଧନେ ୨୪, ଥିସାରା ପରେରା ଅପରାଜିତ ୨୩ ରନ୍ କରିଥିଲେ। ଯାହା ଫଳରେ ଶ୍ରୀଲଙ୍କା ଟିମ୍ ୬ ୱିକେଟରେ ମୁକାବିଲାକୁ ନିଜ ନାଁରେ କରି ପ୍ରଥମଥର ଲାଗି ଟି-୨୦ ଟ୍ରଫି କବଜା କରିଥିଲା।

୨୦୧୧ରେ ଦିନିକିଆ ବିଶ୍ୱକପ୍‌, ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ପାଖରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ସହ ଲଗାତାର ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାର ଭଲ ସୁଯୋଗ ଥିଲା, କିନ୍ତୁ ଏଭଳି ହେଲା ନାହିଁ। ମୀରପୁରର ଏହି ୱିକେଟ୍ ସ୍ଲୋ' ଥିଲା, ଯେଉଁକାରଣରୁ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।

ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହି ସେମିଫାଇନାଲ୍ ଟିକେଟ୍ କାଟିଥିଲା। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ (୭ ୱିକେଟରେ), ୱେଷ୍ଟଇଣ୍ଡିଜ୍ (୭ ୱିକେଟରେ), ବାଂଲାଦେଶ (୮ ୱିକେଟରେ) ଏବଂ ଅଷ୍ଟ୍ରେଲିଆକୁ (୭୩ ରନରେ) ହରାଇଥିବା ବେଳେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଥିଲା। ସେହିପରି ଶ୍ରୀଲଙ୍କା ଗ୍ରୁପ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା (୫ ୱିକେଟରେ), ନେଦରଲ୍ୟାଣ୍ଡ୍ (୯ ୱିକେଟରେ), ନ୍ୟୁଜିଲ୍ୟାଣ୍ଡ୍ (୫୯ ରନରେ)କୁ ହରାଇଥିବା ବେଳେ ଇଂଲଣ୍ଡଠାରୁ (୬ ୱିକେଟରେ) ପରାସ୍ତ ହୋଇଥିଲା। ସେମିରେ ଶ୍ରୀଲଙ୍କା ୨୪ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ଫାଇନାଲରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos