ସାଂଘାତିକ: ଚହଲଙ୍କୁ ୧୫ ମହଲାରୁ ତଳକୁ ଝୁଲାଇ ରଖିଥିଲେ ଜଣେ ମଦ୍ୟପ କ୍ରିକେଟର

ଜୟପୁର: ଟିମ୍‌ ଇଣ୍ଡିଆ ତଥା ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦର ଚହଲ ଗୋଟିଏ ସାଂଘାତିକ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି। ୨୦୧୩ ଆଇପିଏଲ ସମୟରେ ଜଣେ ସହ ଖେଳାଳି ତାଙ୍କୁ କେମିତି ମଦ ପିଇ ଧମକାଇ ଥିଲେ ଓ ସେ କେମିତି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ ସେ ବିଷୟରେ କହିଛନ୍ତି। ୨୦୧୩ରେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିଲେ। ବେଙ୍ଗାଲୁରୁରେ ଖେଳା ଯାଇଥିବା ଗୋଟିଏ ମ୍ୟାଚ୍‌ ପରେ ତାଙ୍କ ସହ ଏପରି ଘଟଣା […]

chahal

chahal

Hemant Lenka
  • Published: Friday, 08 April 2022
  • Updated: 08 April 2022, 12:04 PM IST

ଜୟପୁର: ଟିମ୍‌ ଇଣ୍ଡିଆ ତଥା ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦର ଚହଲ ଗୋଟିଏ ସାଂଘାତିକ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି। ୨୦୧୩ ଆଇପିଏଲ ସମୟରେ ଜଣେ ସହ ଖେଳାଳି ତାଙ୍କୁ କେମିତି ମଦ ପିଇ ଧମକାଇ ଥିଲେ ଓ ସେ କେମିତି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ ସେ ବିଷୟରେ କହିଛନ୍ତି।

୨୦୧୩ରେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିଲେ। ବେଙ୍ଗାଲୁରୁରେ ଖେଳା ଯାଇଥିବା ଗୋଟିଏ ମ୍ୟାଚ୍‌ ପରେ ତାଙ୍କ ସହ ଏପରି ଘଟଣା ଘଟିଥିଲା। ମଦ୍ୟପ ଖେଳାଳି ଜଣଙ୍କ ତାଙ୍କୁ ହୋଟେଲର ୧୫ ମହଲାରୁ ତଳକୁ ଝୁଲାଇ ରଖିଥିଲେ ବୋଲି ଚହଲ କହିଛନ୍ତି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ବିବାଦ ଦେଖାଯାଇଛି। ଏହି ସମୟରେ ସେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ ଓ ଏହି ଘଟଣା ତାଙ୍କୁ ଅନେକ କିଛି ଶିଖାଇଥିଲା ବୋଲି ସେ କହିଛନ୍ତି। ଅବଶ୍ୟ ସେ ସଂପୃକ୍ତ ଖେଳାଳିଙ୍କ ନାଁ ସାର୍ବଜନୀନ କରିନାହାନ୍ତି।

୨୦୧୩ରେ ଚହଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ଏହାପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ରେ ସାମିଲ ହୋଇଥିଲେ। ୨୦୨୧ ଆଇପିଏଲ ପରେ ତାଙ୍କୁ ଆରସିବି ରିଲିଜ କରିଦେଇଥିଲା। ଚଳିତ ବର୍ଷ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି।

ଏବେ ରାୟାଲ୍ସ ପକ୍ଷରୁ ଚହଲ, ରବିଚନ୍ଦ୍ରନ ଅଶ୍ୱିନ ଓ କରୁଣ ନାୟର କଥା ହେଉଥିବା ବେଳର ଗୋଟିଏ ଭିଡିଓ ଜାରି କରାଯାଇଛି। ଏଥିରେ ଚହଲ କହିଛନ୍ତି ଯେ, “ଆଜି ଯାଏ ମୁଁ ଏହି କଥା କାହାକୁ କହି ନଥିଲି। ହେଲେ ଉକ୍ତ ଅଭିଜ୍ଞତା ବିଷୟରେ ମୁଁ ଆଜି କହୁଛି। ଏହା ୨୦୧୩ର ଘଟଣା। ମୁଁ ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲି।

ଆମର ମ୍ୟାଚ୍‌ ବାଙ୍ଗାଲୁରୁରେ ରହିଥିଲା। ମ୍ୟାଚ୍‌ ପରେ ଗୋଟିଏ ବଡ଼ ହୋଟେଲରେ ଆମର ଗେଟ ଟୁଗେଦର ହୋଇଥିଲା। ଏହି ସମୟରେ ଆମ ଟିମ୍‌ର ଜଣେ ଖେଳାଳି ପ୍ରବଳ ମଦ ପିଇ ଦେଇଥିଲେ। ମୁଁ ତାଙ୍କ ନାଁ କହିବି ନାହିଁ। ମଦ ପିଇବା ପରେ ତାଙ୍କୁ ନିଶା ହୋଇଯାଇଥିଲା।

ସେ ଦୀର୍ଘଦିନ ହେଲା ମୋତେ ଖୋଜୁଥିଲେ। ସେ ମୋତେ ଦେଖିବା ମାତ୍ରେ ଡାକିଥିଲେ ଓ ବାହାରକୁ ନେଇ ଯାଇଥିଲେ। ଏହାପରେ ମୋତେ ବାଲକୋନୀ ସିଧା ତଳକୁ ଝୁଲାଇ ଦେଇଥିଲେ। ତେବେ ମୁଁ ତାଙ୍କ ବେକକୁ ଜୋରେ ଧରି ରଖିଥିଲି। ଯଦି ମୋ ହାତ ତାଙ୍କ ବେକରୁ ଖସି ଥାଆନ୍ତା, ତା’ହେଲେ ମୁଁ ସିଧା ୧୫ ମହଲରୁ ତଳେ ପଡ଼ିଥାଆନ୍ତି।

ହଠାତ୍‌ ସେଠାରେ ଥିବା କିଛି ଲୋକ ଦୌଡ଼ି ଆସିଥିଲେ। ସେମାନେ ମିଳିତ ଭାବେ ସ୍ଥିତି ସମ୍ଭାଳି ମୋତେ ଉଦ୍ଧାର କରିଥିଲେ। ପୂରା ଘଟଣାରେ ମୁଁ ସ୍ତବ୍ଧ ହୋଇ ଅଚେତ ଅବସ୍ଥାକୁ ଚାଲି ଆସିଥିଲି। କହିବାକୁ ଗଲେ ମୋ ହୋସ ଉଡ଼ି ଯାଇଥିଲା। ସେମାନେ ମୋତେ ପାଣି ପିଇବାକୁ ଦେଇଥିଲେ।

ଯେଉଁଠି ବି ଗଲେ ଆମକୁ କେତେ ଦାୟିତ୍ୱବାନ ହେବାକୁ ପଡ଼ିବ, ଉକ୍ତ ଘଟଣା ମୋତେ ଶିଖାଇ ଦେଇଥିଲା। ଏହି ଗୋଟିଏ ଘଟଣା ଯେଉଁଠି ମୁଁ ଅଳ୍ପକେ ବର୍ତ୍ତି ଯାଇଥିଲି। ଯଦି ସେଠାରେ କୌଣସି ପ୍ରକାରର ଭୁଲ ହୋଇଥାଆନ୍ତା, ତା’ହେଲେ ମୁଁ ସିଧା ତଳେ ପଡ଼ିଥାଆନ୍ତି।”


ଏହା ସାମ୍ନାକୁ ଆସିବା ପରେ କ୍ରିକେଟ ପ୍ରେମୀମାନେ ଉକ୍ତ ଖେଳାଳିଙ୍କ ନାଁ ଚହଲ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି। ଏଥିସହ ବିସିସିଆଇ ଏହାର ତଦନ୍ତ କରି ସଂପୃକ୍ତ କ୍ରିକେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos