ମାଳଦ୍ୱୀପରେ ୱାର୍ଣ୍ଣର ଓ ସ୍ଲେଟରଙ୍କ ମଧ୍ୟରେ ହାତାହାତି! ମୁହଁ ଖୋଲିଲେ ଦୁଇ କ୍ରିକେଟର୍

ମାଲେ (ମାଳଦ୍ୱୀପ): ଆଇପିଏଲର ୧୪ଶ ସଂସ୍କରଣ ସ୍ଥଗିତ ହେବା ପରେ ଅଧିକାଂଶ ବିଦେଶୀ ଖେଳାଳି ନିଜ ନିଜ ଦେଶକୁ ଫେରିସାରିଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ସରକାର ଦ୍ୱାରା ଯାତ୍ରା ଉପରେ ଲଗାଯାଇଥିବା କଟକଣା କାରଣରୁ ସେମାନଙ୍କ ଦେଶର ଖେଳାଳି, କୋଚ୍ ଓ କମେଣ୍ଟେଟର୍ ନିଜ ନିଜ ଦେଶକୁ ଫେରିପାରି ନାହାନ୍ତି। ବର୍ତ୍ତମାନ ସବୁ ଖେଳାଳି ମାଳଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ନିଜ ଦେଶରେ କଟକଣା ହଟିବାକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ […]

david-warner-and-michael-sl

david-warner-and-michael-sl

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 02:58 PM IST

Sports

Latest News

ମାଲେ (ମାଳଦ୍ୱୀପ): ଆଇପିଏଲର ୧୪ଶ ସଂସ୍କରଣ ସ୍ଥଗିତ ହେବା ପରେ ଅଧିକାଂଶ ବିଦେଶୀ ଖେଳାଳି ନିଜ ନିଜ ଦେଶକୁ ଫେରିସାରିଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ସରକାର ଦ୍ୱାରା ଯାତ୍ରା ଉପରେ ଲଗାଯାଇଥିବା କଟକଣା କାରଣରୁ ସେମାନଙ୍କ ଦେଶର ଖେଳାଳି, କୋଚ୍ ଓ କମେଣ୍ଟେଟର୍ ନିଜ ନିଜ ଦେଶକୁ ଫେରିପାରି ନାହାନ୍ତି।

ବର୍ତ୍ତମାନ ସବୁ ଖେଳାଳି ମାଳଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ନିଜ ଦେଶରେ କଟକଣା ହଟିବାକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ମାଳଦ୍ୱୀପର ଏକ ବାରରେ ଅଷ୍ଟ୍ରେଲିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଓ କ୍ରିକେଟରରୁ କମେଣ୍ଟେଟର ହୋଇଥିବା ମାଇକେଲ୍ ସ୍ଲେଟରଙ୍କ ମଧ୍ୟରେ ହାତାହାତି ହୋଇଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଦୁହେଁ ନୀରବତା ଭାଙ୍ଗିଛନ୍ତି । ୱାର୍ଣ୍ଣର୍ ଓ ସ୍ଲେଟରଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ଦୁହେଁ ଖଣ୍ଡନ କରିଛନ୍ତି ।

ସଣ୍ଡେ ଟେଲିଗ୍ରାଫ୍ ସର୍ବପ୍ରଥମେ ମାଳଦ୍ୱୀପର ତାଜ କୋରେଲ ରିସର୍ଟରେ ୱାର୍ଣ୍ଣର ଓ ସ୍ଲେଟରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପ୍ରକାଶିତ କରିଥିଲା । ଖବର କାଗଜର ରିପୋର୍ଟ ମୁତାବକ, ହୋଟେଲର ବାରରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା ଏବଂ ଉଭୟ ହାତାହାତି ମଧ୍ୟ ହୋଇଥିଲେ । ହେଲେ ଏହି ଖବରକୁ ନେଇ ସ୍ଲେଟର କହିଛନ୍ତି, ‘ମୁଁ ଓ ୱାର୍ଣ୍ଣର ପୁରୁଣ ବନ୍ଧୁ । ଆମ ଭିତରେ କୌଣସି ପ୍ରକାରର ବିବାଦ ହୋଇନାହିଁ ।’ ସ୍ଲେଟର୍ ସିନିୟର ଜର୍ଣ୍ଣାଲିଷ୍ଟ ଫିଲ୍ ରଥଫିଲ୍ଡଙ୍କୁ ମେସେଜ୍ ପଠାଇ ରିପୋର୍ଟ ଭୁଲ୍ ବୋଲି କହିଛନ୍ତି ।

ସେହିପରି ୱାର୍ଣ୍ଣର ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆମ ଭିତରେ ଏମିତି କୌଣସି ବିବାଦ ହୋଇନାହିଁ । ଆପଣମାନେ ଏସବୁ କେମିତି ଲେଖୁଛନ୍ତି, ମୁଁ ଜାଣିପାରୁ ନାହିଁ । ତା’ ପୁଣି ଯେତେବେଳେ ଆପଣ ସେହି ସ୍ଥାନରେ ଉପସ୍ଥିତ ବି ନଥିଲେ । ଆପଣ କିଛି ବି ଦେଖି ନାହାନ୍ତି । ଏଭଳି ସ୍ଥିତିରେ ଯେତେବେଳେ ଆପଣଙ୍କ ପାଖରେ କୌଣସି ସଠିକ୍ ପ୍ରମାଣ ନାହିଁ, ତାହେଲେ ଆପଣ କିଛି ବି ଲେଖିପାରିବେ ନାହିଁ ।

ସୂଚନାଯୋଗ୍ୟ, ଆଇପିଏଲ୍ ସ୍ଥଗିତ ହେବା ପରେ ଅଷ୍ଟ୍ରେଲିଆର ୩୮ ଖେଳାଳି, କୋଚ୍‌, ଅଫିସିଆଲ୍ସ ଓ କମେଣ୍ଟେଟର୍ସ ଏବେ ମାଳଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି । ଏମାନେ ସମସ୍ତେ ଚାର୍ଟାର୍ଡ ଫ୍ଲାଇଟ ଜରିଆରେ ଗୁରୁବାର ଏଠାରେ ପହଞ୍ଚିଛନ୍ତି । ଏଠାରେ ସେମାନଙ୍କୁ ଦୁଇ ସପ୍ତାହ ରହିବାକୁ ପଡ଼ିପାରେ, କାରଣ ଅଷ୍ଟ୍ରେଲିଆ ସରକାର ଭାରତରୁ ଆସୁଥିବା ବିମାନ ଉପରେ ମେ’ ୧୫ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos