ମାଉଣ୍ଟ ମାଙ୍ଗନୁଇ: ନ୍ୟୁଜିଲ୍ୟାଣ୍ଡରେ ଚାଲିଥିବା ଦିନିକିଆ ମହିଳା ବିଶ୍ୱକପରେ ଭାରତର ଦ୍ୱିତୀୟ ପରାଜୟ। ଆଜି ମିତାଲି ରାଜଙ୍କ ଟିମ୍ ଇଣ୍ଡିଆ ୪ ୱିକେଟରେ ଇଂଲଣ୍ଡ ଠାରୁ ହାରିଛି। ଅଭିଜ୍ଞ ଝୁଲଣ ଗୋସ୍ୱାମୀଙ୍କ ରେକର୍ଡ ସତ୍ତ୍ୱେ ଭାରତକୁ ହାରିବାକୁ ପଡ଼ିଛି। ଇଂଲଣ୍ଡ ଚଳିତ ବିଶ୍ୱକପରେ ଲଗାତର ୩ଟି ମ୍ୟାଚ ହାରିଥିଲା। କିନ୍ତୁ ଭାରତ ବିପକ୍ଷରେ ବିଜୟ ହାସଲ କରି ଇଂଲଣ୍ଡ ଲୟକୁ ଫେରିବାର ସଙ୍କେତ ଦେଇଛି।
ଭାରତୀୟ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଇଂଲଣ୍ଡ ୧୧୨ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି। ଇଂଲିଶ ଟିମ୍ର ଅଧିନାୟକ ହେଥର ନାଇଟ ଅପରାଜିତ ୫୩ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାଟ ସ୍କିଭର ୪୫, ଆମୀ ଜନ୍ସ ୧୦, ସୋଫିଆ ୧୭ କରିବାକୁ ସକ୍ଷମ ହୋଇଥିଲେ।
ଭାରତ ପକ୍ଷରୁ ମେଘନା ସିଂହ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଝୁଲଣ ଗୋସ୍ୱାମୀ, ରାଜେଶ୍ୱରୀ ଗାଏକ୍ୱାଡ ଓ ପୂଜା ଭସ୍ତ୍ରକର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଝୁଲଣ ଆଜି ଇଂଲଣ୍ଡ ଓପନର ତାମୀ ବେମଣ୍ଟ(୧)ଙ୍କୁ ଆଉଟ କରିବା ପରେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି।
ସେ ପ୍ରଥମ ମହିଳା ଭାବେ ମହିଳା ଦିନିକଆରେ ୨୫୦ ୱିକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ଝୁଲଣ ବିଶ୍ୱର ପ୍ରଥମ ମହିଳା, ଯିଏ ଦିନିକିଆରେ ୨୦୦ରୁ ଅଧିକ ୱିକେଟ ନେଇଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର କ୍ୟାଥରୟନ ଫିଟପାଟ୍ରିକ ୧୮୦, ୱେଷ୍ଟଇଣ୍ଡିଜର ଅନିସା ମହମ୍ମଦ ୧୮୦, ଦକ୍ଷିଣ ଆଫ୍ରିକାର ଶବନିମ ଇସମାଇଲ ୧୬୮ ଓ ଇଂଲଣ୍ଡର କ୍ୟାଥେରିନ ବ୍ରଣ୍ଟ ୧୬୪ ୱିକେଟ ନେଇଛନ୍ତି।
ତେବେ ଝୁଲଣଙ୍କ ରେକର୍ଡ ସତ୍ତ୍ୱେ ଭାରତକୁ ଆଜି ଇଂଲଣ୍ଡ ଠାରୁ ୪ ୱିକେଟରେ ହାରିବାକୁ ପଡ଼ିଛି। ଆଜିର ମ୍ୟାଚ୍ରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିବା ଓପନର ସ୍ମୃତି ମନ୍ଧାନା ସର୍ବାଧିକ ୩୫ ରନ୍ କରିଥିବା ବେଳେ ରିଚା ଘୋଷ ୩୩, ହରମନପ୍ରୀତ ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ।
ଶେଷ ଭାଗରେ ଝୁଲଣ ଗୋସ୍ୱାମୀ ୨୦ ରନ୍ କରିବାରୁ ଭାରତ ୩୬.୨ ଓଭର୍ରେ ୧୩୪ ରନ୍ କରି ଅଲଆଉଟ ହୋଇଯାଇଥିଲା। ୧୩୫ ରନର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ଦଳ ୪ ରନ୍ରେ ଦୁଇଟି ୱିକେଟ ହରାଇଥିଲା। ହେଲେ ଅଧିନାୟକ ନାଇଟଙ୍କ ଅପରାଜିତ ୫୩ ଓ ୪ନଂରେ ବ୍ୟାଟିଂ କରିଥିବା ସ୍କିଭରଙ୍କ ୪୫ ରନ୍ ଭାରତର ସବୁ ଆଶରେ ପାଣି ପକାଇ ଦେଇଥିଲା।
ଚଳିତ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ହରାଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ତୃତୀୟ ମ୍ୟାଚ୍ରେ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକତରଫା ବିଜୟ ହାସଲ କରିଥିଲା। ଆଜି ଦଳକୁ ପୁଣିଥରେ ହାରିବାକୁ ପଡ଼ିଛି।