ମୁମ୍ବାଇ: କ୍ରମାଗତ ଭାବେ ରାଜସ୍ଥାନ ରୟାଲ୍ସ ପାଇଁ ବଡ଼ ବଡ଼ ଇନିଂସ ଖେଳିବାରେ ଲାଗିଛନ୍ତି ଜୋଶ ବଟଲର। ଏହିକ୍ରମରେ ଆଜି ସେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପୁଣି ଶତକ ହାସଲ କରିଛନ୍ତି। ବଟଲରଙ୍କ ୧୦୩ ରନ୍ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ବିଶାଳ ୨୧୭ ରନ୍ କରିଛି। ଫଳରେ କୋଲକାତା ନାଇଟ ରାଇଡର୍ସକୁ ୨୧୮ ରନର ଟାର୍ଗେଟ ମିଳିଛି। ଏହା ଚଳିତ ସିଜିନରେ ସର୍ବାଧିକ ଦଳଗତ ସ୍କୋର।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ବଟଲର ଓ ଦେବଦତ୍ତ ପାଡିକ୍କଲ ବିସ୍ଫୋରକ ଆରମ୍ଭ କରିଥିଲେ। ଏପରି କି ଉଭୟ ପାୱର ପ୍ଲେ(ପ୍ରଥମ ୬ ଓଭର)ରେ ଦଳ ପାଇଁ ୬୦ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ମଧ୍ୟ ଉଭୟ ଅଟକି ନଥିଲେ। ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୯୭ ରନ୍ରେ ପହଞ୍ଚାଥିଲେ। ବିଶେଷ କରି ବଟଲରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲେ।
ତେବେ ଏତିକି ବେଳେ ପାଡିକ୍କଲ ୨୪ ରନ୍ କରି ସୁନୀଲ ନାରିନଙ୍କ ବଲରେ ଆଉଟ ହୋଇଯାଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ ମଧ୍ୟ ବଡ଼ ଶଟ ଖେଳିଥିଲେ। ସେ ବଟଲରଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୫ ଓଭର ସୁଦ୍ଧା ୧୬୦ ପାର କରାଇଥିଲେ।
ଏହି ସମୟରେ ୧୯ ବଲରେ ୩୮ ରନ୍ କରିଥିବା ସାମସନଙ୍କୁ ଆନ୍ଦ୍ରେ ରସଲେ ଆଉଟ କରି ଦେଇଥିଲେ। ତେବେ ବଟଲର ୫୯ ବଲରେ ନିଜର ଶତକ ପୂରଣ କରି ଦଳକୁ ୨୦୦ ରନର ନିକଟବର୍ତ୍ତୀ କରିଥିଲେ। ଶତକ ପରେ ସେ ବଡ଼ ଶଟ ଖେଳିବା ଲୋଭରେ କମିନ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୬୧ ବଲରେ ୧୦୩ ରନ୍ର ଇନିଂସ ଖେଳିଥିବା ବଟଲର ୫ଟି ଛକା ଓ ୯ଟି ଚୌକା ମାରିଛନ୍ତି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ଦ୍ୱିତୀୟ ଶତକ। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ମଧ୍ୟ ଶତକ ହାସଲ କରିଥିଲା।
ବଟଲର ଆଉଟ ହେବା ପରେ ରାଜସ୍ଥାନର ରନ୍ ସଂଗ୍ରହ ହାର ସାମାନ୍ୟ ଧିମା ହୋଇଯାଇଥିଲା। ପ୍ରଥମେ ରିୟାନ ପରାଗ(୫) ଓ ପରେ କରୁନ ନାଏର(୩) ଆଉଟ ହୋଇଥିଲେ। ଶେଷ ଭାଗରେ ଶିମରନ ହେଟମେୟର କିଛି ବଡ଼ ଶଟ ଖେଳିବାରୁ ରାଜସ୍ଥାନ ୨୧୭ ରନ୍ କରିବାକୁ ସକ୍ଷମ ହୋଇଛି। ହେଟମେୟର ଶେଷ ଯାଏ ୧୩ ବଲରେ ୨୬ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ସହ ରବି ଅଶ୍ୱିନ ମଧ୍ୟ ୧ ବଲରେ ୧ ରନ୍ କରି ଓଭର ଶେଷ ଯାଏ କ୍ରିଜ୍ରେ ରହିଥିଲେ। ହେଟମେୟର ତାଙ୍କ ଇନିଂସରେ ୨ଟି ଛକା ଓ ୨ଟି ଚୌକା ମାରିଛନ୍ତି।
କୋଲକାତା ପକ୍ଷରୁ ସୁନୀଲ ନାରିନ ୨ଟି ୱିକେଟ ନେଇଥିବା ବେଳେ ଶିବମ ମାଭି ୧,ପାଟ କମିନ୍ସ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।