ବିଶ୍ୱକପ ପାଇଁ ଟିମ ଘୋଷଣା କଲା ବିସିସିଆଇ, ମିତାଲି ରାଜ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲି ରାଜ ବିଶ୍ୱକପରେ ଦଳର କମାଣ ସମ୍ଭାଳିବେ। ଟି-୨୦ ଅଧିନାୟକ ହରମନପ୍ରୀତ କୌର ତାଙ୍କ ଡେପୁଟି ଭାବେ ଦାୟିତ୍ୱ ପାଇଛନ୍ତି। ମାର୍ଚ୍ଚ ୪ରୁ ଏପ୍ରିଲ ୩ ତାରିଖ ଯାଏ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ମହିଳା ବିଶ୍ୱକପ ସ୍କ୍ୱାଡରେ ଯୁବ ତାରକା ଜେମିମା ଓ ଶିଖା ପାଣ୍ଡେଙ୍କୁ ସ୍ଥାନ […]

Mithali

Mithali

Hemant Lenka
  • Published: Thursday, 06 January 2022
  • Updated: 06 January 2022, 11:24 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲି ରାଜ ବିଶ୍ୱକପରେ ଦଳର କମାଣ ସମ୍ଭାଳିବେ। ଟି-୨୦ ଅଧିନାୟକ ହରମନପ୍ରୀତ କୌର ତାଙ୍କ ଡେପୁଟି ଭାବେ ଦାୟିତ୍ୱ ପାଇଛନ୍ତି।

ମାର୍ଚ୍ଚ ୪ରୁ ଏପ୍ରିଲ ୩ ତାରିଖ ଯାଏ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ମହିଳା ବିଶ୍ୱକପ ସ୍କ୍ୱାଡରେ ଯୁବ ତାରକା ଜେମିମା ଓ ଶିଖା ପାଣ୍ଡେଙ୍କୁ ସ୍ଥାନ ମିଳିନାହିଁ। ଅଲ ଇଣ୍ଡିଆ ମହିଳା ସିନିୟର ଚୟନକର୍ତ୍ତା କମିଟି ବିଶ୍ୱକପ ସ୍କ୍ୱାଡ ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ମଧ୍ୟ ଖେଳାଳିଙ୍କ ନାଁ ଘୋଷଣା କରିଛି।

ବିଶ୍ୱକପ ସ୍କ୍ୱାଡରେ ଥିବା ଖେଳାଳିମାନେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବେ। ଏହି ସିରିଜ ବିଶ୍ୱକପର ଠିକ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଖେଳାଯିବ। ସେହିପରି ଦୁଇ ଦଳ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ଦଳ ନେତୃତ୍ୱ ହରମନପ୍ରୀତ କୌର ନେବେ।

ବିଶ୍ୱକପରେ ଭାରତୀୟ ମହିଳା ଦଳ ତା’ର ଅଭିଯାନ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଏହି ମ୍ୟାଚ୍‌ ମାର୍ଚ୍ଚ ୬ରେ ଖେଳାଯିବ। ନକ ଆଉଟ ପର୍ଯ୍ୟାୟକୁ ଯିବା ପୂର୍ବରୁ ଭାରତ ରାଉଣ୍ଡ ରବିନରେ ମୋଟ ୭ଟି ମ୍ୟାଚ ଖେଳିବ। ମାର୍ଚ୍ଚ ୧୦ରେ ଦଳ ନ୍ୟୁଜିଲ୍ୟାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ, ମାର୍ଚ୍ଚ ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, ୨୨ରେ ବାଂଲାଦେଶ ଓ ମାର୍ଚ୍ଚ ୨୭ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

୨୦୧୭ ମହିଳା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ପ୍ରବେଶ କରିଥିଲା। ହେଲେ ମିତାଲି ରାଜଙ୍କ ଟିମ୍‌ ଇଂଲଣ୍ଡ ଠାରୁ ହାରି ଉପ ବିଜେତା ହୋଇଥିଲା। ମହିଳା ଦିନିକିଆ ବିଶ୍ୱକପ ୨୦୨୧ରେ ଖେଳାଯିବାର ଥିଲା। କିନ୍ତୁ ମହାମାରୀ କରୋନା ପାଇଁ ଏହା ବର୍ଷେ ବିଳମ୍ବରରେ ଆୟୋଜନ କରାଯାଉଛି।

୨୦୨୨ ବିଶ୍ୱକପ ସ୍କ୍ୱାଡ ଘୋଷଣା ହେବା ପୂର୍ବରୁ ବରିଷ୍ଠ ଖେଳାଳି ମିତାଲି ରାଜ ଓ ଝୁଲଣ ଗୋସ୍ୱାମୀଙ୍କ ଚୟନକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ତେବେ ସେମାନେ ସଂପୂର୍ଣ୍ଣ ଫିଟ ଥିବାରୁ ଚଳିତ ବର୍ଷ ବିଶ୍ୱକପ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।

ବିଶ୍ୱକପ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ସ୍କ୍ୱାଡ

ମିତାଲି ରାଜ(ଅଧିନାୟକ), ହରମନପ୍ରୀତ କୌର(ଉପ ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାସ୍ତରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ( ୱିକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ ଯାଦବ।

ଷ୍ଟାଣ୍ଡବାଇ ଖେଳାଳି- ଏସ୍‌ ମେଘନା, ଏକତା ବିଷ୍ଟ, ସିମରନ ଦିଲ ବାହାଦୂର।

ଟି-୨୦ ମ୍ୟାଚ୍‌ ପାଇଁ ଭାରତୀୟ ଦଳ

ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାସ୍ତରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ( ୱିକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ, ଏସ୍‌ ମେଘନା, ଏକତା ବିଷ୍ଟ ଓ ସିମରନ ଦିଲ ବାହାଦୂର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos