ଆଇପିଏଲରୁ ଓହରି ଯିବାକୁ ବିରାଟଙ୍କୁ କାହିଁକି କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ନିଜ କ୍ୟାରିୟର୍‌ର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲରେ ବିରାଟ ଏଯାଏ ୯ଟି ମ୍ୟାଚ୍‌ରୁ କେବଳ ୧୨୮ ରନ୍‌ କରିପାରିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ହାଇଦ୍ରାବାଦ ବିପକ୍ଷରେ ବିରାଟ ଗୋଲ୍ଡେନ ଡକ୍‌ ବା ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ। ସେହିପରି ମଙ୍ଗଳବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ କେବଳ ୯ ରନ୍‌ କରିପାରିଛନ୍ତି। ବିରାଟ କ୍ରମାଗତ […]

Virat

Virat

Hemant Lenka
  • Published: Wednesday, 27 April 2022
  • Updated: 27 April 2022, 04:04 PM IST

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ନିଜ କ୍ୟାରିୟର୍‌ର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲରେ ବିରାଟ ଏଯାଏ ୯ଟି ମ୍ୟାଚ୍‌ରୁ କେବଳ ୧୨୮ ରନ୍‌ କରିପାରିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ହାଇଦ୍ରାବାଦ ବିପକ୍ଷରେ ବିରାଟ ଗୋଲ୍ଡେନ ଡକ୍‌ ବା ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ।

ସେହିପରି ମଙ୍ଗଳବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ କେବଳ ୯ ରନ୍‌ କରିପାରିଛନ୍ତି। ବିରାଟ କ୍ରମାଗତ ଫେଲ ମାରୁଥିବାରୁ ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ତାଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ନିଜ ମାନସିକତାକୁ ପୁଣିଥରେ ସତେଜ କରିବା ପାଇଁ ବିରାଟ କୋହଲି କିଛି ସମୟ ପାଇଁ ବ୍ରେକ ନିଅନ୍ତୁ। ବିଶେଷ କରି ଆଇପିଏଲରୁ ବିରାଟ ଓହରି ଯାଆନ୍ତୁ ବୋଲି ଶାସ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି।

ଶାସ୍ତ୍ରୀ ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, “ମୁଁ ଭାବୁଛି ଗୋଟିଏ ବ୍ରେକ ବିରାଟଙ୍କ ପାଇଁ ଉଚିତ ପଦକ୍ଷେପ ହେବ। କାରଣ ଦୀର୍ଘ ଦିନ ହେଲା ସେ ନନଷ୍ଟପ କ୍ରିକେଟ ଖେଳି ଆସୁଛନ୍ତି। ସେ ସବୁ ଫର୍ମାଟରେ କ୍ୟାପ୍ଟେନ୍ସି କରୁଥିଲେ। ତେଣୁ ଏବେ କିଛି ସମୟ ପାଇଁ ବ୍ରେକ ନେବା ତାଙ୍କ ପାଇଁ ଶ୍ରେୟସ୍କର।

ଆପଣମାନେ ଜାଣିଛନ୍ତି ଯେ ବେଳେବେଳେ ଆମକୁ ବାଲାନ୍ସ ରକ୍ଷା କରିବାକୁ ପଡ଼ିବ। ଚଳିତ ବର୍ଷ ବିରାଟ ଆଇପିଏଲ ଖେଳି ସାରିଲେଣି। ଯଦି ଆପଣ ନିଜର ଅନ୍ତର୍ଜାତୀୟ କ୍ୟାରିୟରକୁ ଦୀର୍ଘ ସମୟ ଧରି ଚାଲୁ ରଖିବାକୁ ଚାହୁଁଛନ୍ତି ଓ ଆସନ୍ତା ୬-୭ ବର୍ଷ ଧରି ନିଜର ଛାପ ଛାଡ଼ିବାକୁ ଚାହୁଁଛନ୍ତି, ତା’ହେଲେ ଆଇପିଏଲରୁ ଓହରି ଯାଆନ୍ତୁ। ଏକଥା ମୁଁ କେବଳ ବିରାଟ କୋହଲିଙ୍କ ପାଇଁ କହୁନାହିଁ ବରଂ ସବୁ ଖେଳାଳିଙ୍କ ପାଇଁ ଏହି ନିୟମ ଲାଗୁ ହୋଇପାରିବ।

ଭାରତ ପାଇଁ ଦୀର୍ଘ ସମୟ ଧରି ଖେଳିବାକୁ ଆଶା ରଖିଥିବା ସବୁ ଖେଳାଳିଙ୍କୁ ବ୍ରେକ ନେବା ଜରୁରୀ। ଆଦର୍ଶ ବ୍ରେକ ଅଫ ସିଜିନ ଜଣେ ଖେଳାଳିଙ୍କୁ ମଜବୁତ କରିଥାଏ। ବେଳେବେଳେ ଆଇପିଏଲର ଫ୍ରାଞ୍ଚାଇଜ୍‌ମାନଙ୍କ ଚାପ ରହିଥାଏ। ତେଣୁ ଏହାକୁ ମାତ ଦେବାକୁ ହେଲେ ଜଣେ ଖେଳାଳି ଅଧା ସିଜିନ ଖେଳି ଅଧା ଟଙ୍କା ନେବେ ବୋଲି ମଧ୍ୟ ଚୁକ୍ତି କରିପାରିବେ। ଜଣେ ଭଲ ଅନ୍ତର୍ଜାତୀୟ କ୍ରିକେଟର ହେବାକୁ ହେଲେ ବ୍ରେକ ଓ ବାଲାନ୍ସ ନିୟମ ପାଳନ କରିବାକୁ ହେବ।

ବିରାଟଙ୍କ ପାଖରେ ଏବେ ବି ଆହୁରି ୫ରୁ ୬ ବର୍ଷର ଖେଳ ରହିଛି। ସେ କିଛି ମାସ ହେଲା କଠିନ ସମୟ ଦେଇ ଗତି କରୁଛନ୍ତି। ଏକଥା ବିରାଟ ମଧ୍ୟ ଜାଣିଛନ୍ତି। ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ଏପରି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।”

ସୂଚନାଯୋଗ୍ୟ, ଚଳିତ ବର୍ଷ ଆଇପିଏଲ ପୂର୍ବରୁ ମଧ୍ୟ ବିରାଟଙ୍କ ବ୍ୟାଟ ଭାରତ ପାଇଁ ଆଦୌ ଚାଲି ନଥିଲା। ସେ ୨୦୧୯ରେ ବିରାଟ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ସେବେଠାରୁ ସେ ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କୌଣସି ଶତକ ହାସଲ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos