ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ଫଟାଫଟ୍ କ୍ରିକେଟ୍। ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ପାଇଁ ସବୁ ଦଳର ଖେଳାଳି ଏକାଠି ହୋଇଗଲେଣି। ରାଜସ୍ଥାନ ରୟାଲ୍ସ ଟିମ୍ ଚଳିତ ଥର ନିଜ ବନବାସ ଶେଷ କରିବାକୁ ଇଚ୍ଛା ରଖିଛି। ତେବେ ଏହା ପୂର୍ବରୁ ଟିମ୍ର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ରାଜସ୍ଥାନ ରୟାଲ୍ସ ଟିମ୍ର ଆକାଉଣ୍ଟକୁ ହ୍ୟାକ୍ କରିଛନ୍ତି ଖୋଦ୍ ସେହି ଦଳର ହିଁ ଖେଳାଳି ୟୁଜବେନ୍ଦ୍ର ଚହଲ। ସେ ଆକାଉଣ୍ଟ ହ୍ୟାକ୍ କରି ରାଜସ୍ଥାନ ରୟାଲ୍ସ ଟିମ୍ର କ୍ୟାପ୍ଟେନ୍ ବନି ଯାଇଛନ୍ତି।
ପ୍ରକୃତରେ ୟୁଜବେନ୍ଦ୍ର ଚହଲ ସୋଶାଲ ମିଡିଆରେ ପ୍ରାୟତଃ ନିଜର ମସ୍ତିଭରା କମେଣ୍ଟ ଆଉ ଭିଡିଓ ପୋଷ୍ଟ ପାଇଁ ବେଶ୍ ଜଣାଶୁଣା। ଆଇପିଲ୍ରେ ଟିମ୍ ରାଜସ୍ଥାନ ରୟାଲ୍ସକୁ ନେଇ ଅନେକ ମିମ୍ସ ମଧ୍ୟ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏହାରି ଭିତରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ରୟାଲ୍ସର ଆକଉଣ୍ଟକୁ ମଜାଳିଆ ଢ଼ଙ୍ଗରେ 'ହ୍ୟାକ୍' କରି ନେଇଥିବା କଥା ସାମ୍ନାକୁ ଆସିଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ୟୁଜବେନ୍ଦ୍ର ଚହଲଙ୍କ ଏକ ଭିଡିଓ ଟ୍ୱିଟ୍ କରାଯାଇଛି। ଏଥିରେ ଚହଲ ନିଜ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଏକାଠି ଏଣ୍ଟ୍ରି କରୁଛନ୍ତି। ଏହି ଆକାଉଣ୍ଟକୁ ହ୍ୟାକ୍ କରିନେବେ ବୋଲି ଏହି ଟ୍ୱିଟ୍ରେ ଚହଲ କମେଣ୍ଟ କରି କହିଛନ୍ତି। ଏହାପରେ ଚହଲଙ୍କ ମସ୍ତି ଆରମ୍ଭ ହେଉଛି।
ୟୁଜବେନ୍ଦ୍ର ଚହଲ ତାଙ୍କ ଦଳ ରାଜସ୍ଥାନ ରୟାଲ୍ସର ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରିବା ଆରମ୍ଭ କରୁଛନ୍ତି। ଏହା ପରେ ୟୁଜବେନ୍ଦ୍ର ଚହଲ ନିଜକୁ ଟ୍ୱିଟର ଆକାଉଣ୍ଟରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ବୋଲି ଘୋଷଣା କରୁଛନ୍ତି। ଏହା ବ୍ୟତୀତ ଏକ ଟ୍ୱିଟରେ ସେ ଲେଖିଛନ୍ତି, ଯଦି ୧୦ହଜାର ରିଟ୍ୱିଟ ମିଳେ, ତେବେ ସେ ଓପନିଂ ମ୍ୟାଚ୍ରେ ଜୋସ ବଟଲରଙ୍କ ସହ ଖୋଲିବାକୁ ମଇଦାନକୁ ଓହ୍ଲାଇବେ। ଚହଳଙ୍କ ଏଭଳି ମସ୍ତି ଓ ମଜାକରେ କରାଯାଇଥିବା ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ରାଜସ୍ଥାନ ରୟାଲ୍ସର ଅଧିନାୟକ ହେଉଛନ୍ତି ସଞ୍ଜୁ ସ୍ୟାମସନ ଏବଂ ଶ୍ରୀଲଙ୍କାର କିମ୍ବଦନ୍ତୀ କୁମାର ସାଙ୍ଗାକାରା କୋଚିଂ ଷ୍ଟାଫ ଅଛନ୍ତି। ଏଥର ଲାସିଥ ମାଲିଙ୍ଗା ରାଜସ୍ଥାନ ରୟାଲ୍ସର ଷ୍ଟାଫ୍ଙ୍କ ସହ ମଧ୍ୟ ସାମିଲ ହୋଇଛନ୍ତି। ରାଜସ୍ଥାନର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ।