ସିଡ୍ନୀ: ଗୋଟିଏ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷ ସିରିଜ୍କୁ କବଜା କରିଛି ଅଷ୍ଟ୍ରେଲିଆ। ବ୍ୟାଟରେ ଷ୍ଟିଭ ସ୍ମିଥଙ୍କ ଦମଦାର ପ୍ରଦର୍ଶନ ପରେ ବୋଲିଂରେ ଯାଦୁ ଦେଖାଇଛନ୍ତି ସ୍ପିନର ଆଡାମ ଜାମ୍ପା ଓ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ଏହି ୩ ଖେଳାଳିଙ୍କ ଦମରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡକୁ ୭୨ ରନରେ ହରାଇଛି ଅଷ୍ଟ୍ରେଲିଆ। ଏଥିସହ କ୍ରମାଗତ ଦ୍ୱିତୀୟ ବିଜୟ ସହ ୩ ଟିକିଆ ଦିନିକିଆ ସିରିଜ୍କୁ ଘରୋଇ ଟିମ ଆଗୁଆ ୨-୦ରେ କବଜା କରି ନେଇଛି। ଏବେ ଶେଷ ଦିନିକିଆ ଆସନ୍ତା ମଙ୍ଗଳବାର ମେଲବର୍ଣ୍ଣରେ ଖେଳାଯିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ୯୪, ମାର୍ନସ ଲାବୁଶେନଙ୍କ ୫୮, ମିଚେଲ ମାର୍ଶଙ୍କ ୫୦ ଓ ଶେଷ ଭାଗରେ ଆଷ୍ଟନ ଆଗରଙ୍କ ଅପରାଜିତ ୧୨ ବଲରେ ୧୮ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରେ ୮ ୱିକେଟ ହରାଇ ୨୮୦ ରନ କରିଥିଲା।
୨୮୧ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜେସନ ରୟ(୦) ଓ ଡାୱିଡ ମଲାନ(୦)ଙ୍କୁ ମିଚେଲ ଷ୍ଟାର୍କ ପ୍ରଥମ ଓଭରରେ ଆଉଟ କରି ଡବଲ ଝଟକା ଦେଇଥିଲେ। ଫିଲ ସଲ୍ଟ(୨୩) ଅଷ୍ଟ୍ରେଲିଆର କାମ ଚଳା ଅଧିନାୟକ ଜୋଣ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୩୪ ରନରେ ୩ ୱିକେଟ ହରାଇଥିବା ଇଂଲଣ୍ଡ ପାଇଁ ଲଢ଼ୁଆ ବ୍ୟାଟିଂ କରିଥିଲେ ଜେମ୍ସ ଭିନସେ(୬୦) ଓ ସାମ ବିଲିଙ୍ଗ୍ସ(୭୧)।
ଉଭୟ ୪ ର୍ଥ ୱିକେଟ ପାଇଁ ୧୨୨ ରନ ଯୋଡ଼ି କିଛିଟା ଆଶା ସଞ୍ଚାର କରିଥିଲେ। ତେବେ ହେଜେଲଉଡ ପ୍ରଥମେ ଭିନସେ ଓ ପରେ ଆଡାମ ଜାମ୍ପା ୭୧ ରନ କରିଥିବା ବିଲିଙ୍ଗ୍ସଙ୍କୁ ଆଉଟ କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଏହାପରେ ଇଂଲଣ୍ଡର କାମଚଳା ଅଧିନାୟକ ମୋଇନ ଅଲୀ(୧୦) ଓ ସାମ କୁନ(୦)ଙ୍କୁ ମଧ୍ୟ ଜାମ୍ପା ଆଉଟ କରିଥିଲେ।
କ୍ରିସ ୱିକ୍ସ(୭) ଓ ଡାଭିଡ ୱିଲ୍ଲୀ(୬) ଷ୍ଟାର୍କଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଲିଆମ ଡାୱସନ(୨୦)ଙ୍କୁ ଆଉଟ କରି ଜାମ୍ପା ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
ଇଂଲଣ୍ଡ ତା’ର ଶେଷ ୭ ୱିକେଟ ୫୨ ରନରେ ହରାଇବାରୁ ଦଳ ୩୮.୫ ଓଭରରେ ୨୦୮ ରନରେ ହିଁ ଅଟକି ଯାଇଥିଲା। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୭୨ ରନରେ ଜିତି ଦିନିକିଆ ସିରିଜ୍ କବଜା କରିଛି।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ଜାମ୍ପା ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ହେଜେଲଉଡ ୨ଟି ସଫଳତା ପାଇଛନ୍ତି। ଅଷ୍ଟ୍ରେଲିଆର ଦିନିକିଆ ଅଧିନାୟକ ପ୍ୟାଟ କମିନ୍ସ ଓ ଇଂଲଣ୍ଡର ଅଧିନାୟକ ଜୋଶ ବଟଲର ଆଜିର ମ୍ୟାଚ୍ ଖେଳୁ ନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।