ବିରାଟ୍ କୋହଲି ଓ ଇମ୍ରାନ୍ ଖାନଙ୍କ ମଧ୍ୟରେ ଜୋରଦାର୍ ଟକ୍କର!
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମଧ୍ୟରେ ଜୋରଦାର ଟକ୍କର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। ପାକିସ୍ତାନର ପୂର୍ବତନ କ୍ରିକେଟର ଇମ୍ରାନ୍ ଓ କୋହଲି ସର୍ବଶ୍ରେଷ୍ଠ କ୍ୟାପଟେନ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଇମ୍ରାନ୍ ନିଜ ସମୟର ଶ୍ରେଷ୍ଠ ଅଲରାଉଣ୍ଡର ସହ ଜଣେ ଚତୁର କ୍ୟାପଟେନ୍ ମଧ୍ୟ ଥିଲେ। ଅନ୍ୟପକ୍ଷରେ କୋହଲି ଆଧୁନିକ କ୍ରିକେଟର ଉନ୍ନତ ବ୍ୟାଟ୍ସମ୍ୟାନ୍ ସାଙ୍ଗକୁ ଜଣେ ବଳିଷ୍ଠ କ୍ୟାପଟେନ୍।
ମଙ୍ଗଳବାର ଆଇସିସି ଏକ ପୋଲ୍ କରିଥିଲା, ଯେଉଁଥିରେ ଫ୍ୟାନଙ୍କୁ ପଚରାଯାଇଥିଲା ଯେ କେଉଁ କ୍ରିକେଟର୍ କ୍ୟାପଟେନ୍ ହେବା ପରେ ସେମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସିଛି। ଅପସନରେ ଇମ୍ରାନ୍ ଖାନ୍, ବିରାଟ୍ କୋହଲି, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ଓ ଅଷ୍ଟ୍ରେଲିଆର ମହିଳା କ୍ରିକେଟର ମେଗ୍ ଲାନିଙ୍ଗଙ୍କ ନାଁ ଦିଆଯାଇଥିଲା।
Who would you rate as the best among these giants?
— ICC (@ICC) January 12, 2021
ଏହି ପୋଲରେ ମୋଟ ୫୩୬୩୪୬ ଭୋଟ୍ ହୋଇଛି। ଏଥିରେ ଇମ୍ରାନ୍ ଓ ବିରାଟଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ଇମ୍ରାନଙ୍କୁ ୪୭.୩ ପ୍ରତିଶତ ଭୋଟ୍ ମିଳିଥିବା ବେଳେ କୋହଲିଙ୍କୁ ୪୬.୨ ପ୍ରତିଶତ ଭୋଟ୍ ମିଳିଛି। ଡି’ଭିଲିୟର୍ସଙ୍କୁ ମାତ୍ର ୬ ପ୍ରତିଶତ ଓ ଲାନିଙ୍ଗଙ୍କୁ ୦.୫ ପ୍ରତିଶତ ଭୋଟ୍ ମିଳିଛି।
ଦିନିକିଆରେ କ୍ୟାପଟେନ୍ ଭାବେ କୋହଲିଙ୍କ ବ୍ୟାଟିଂ ଆଭରେଜ୍ ୭୩.୮୮ ରହିଥିବା ଅଣକ୍ୟାପଟେନ୍ ଭାବେ ତାଙ୍କର ଆଭରେଜ୍ ୫୧ ରହିଥିଲା। ୧୯୯୨ରେ ନିଜର ବଳିଷ୍ଠ ନେତୃତ୍ୱରେ ପାକିସ୍ତାନକୁ ୱାର୍ଲ୍ଡ କପ୍ ଜିତାଇଥିବା ଇମ୍ରାନ୍ ଖାନଙ୍କର ଖେଳାଳି ଭାବେ ଟେଷ୍ଟରେ ବ୍ୟାଟିଂ ଆଭରେଜ୍ ୨୫.୪୩ ରହିଥିବା ବେଳେ ବୋଲିଂରେ ୨୫.୫୩ ଆଭରେଜ୍ ରହିଥିଲା। ତେବେ କ୍ୟାପଟେନ୍ ଭାବେ ଇମ୍ରାନଙ୍କର ବ୍ୟାଟିଂ ଆଭରେଜ୍ ୫୨.୩୪ ଏବଂ ବୋଲିଂ ଆଭରେଜ୍ ୨୦.୨୬ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।