ଆଡିଲେଡ୍ ଟେଷ୍ଟର ପ୍ରଥମ ଦିବସରେ ଚମକିଲେ କୋହଲି, ଭାରତ ୨୩୩/୬

ଆଡିଲେଡ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଦିବାରାତ୍ର ବିଶିଷ୍ଟ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିବସରେ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଅଷ୍ଟ୍ରେଲିଆ ବୋଲରଙ୍କ ଜଲୱା ଦେଖିବାକୁ ମିଳିଛି। ଫଳରେ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍‌ ହରାଇ ୨୩୩ ରନ୍ କରିଛି। ପ୍ରଥମ ଦୁଇଟି ସେସନରେ ଭାରତର ପଲା ଭାରୀ ରହିଥିବା ବେଳେ ତୃତୀୟ ସେସନର ଶେଷ ଆଡ଼କୁ ଅଷ୍ଟ୍ରେଲିଆ […]

kohli

kohli

Ranjit Kumar Jena
  • Published: Thursday, 17 December 2020
  • Updated: 17 December 2020, 05:33 PM IST

Sports

Latest News

ଆଡିଲେଡ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଦିବାରାତ୍ର ବିଶିଷ୍ଟ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିବସରେ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଅଷ୍ଟ୍ରେଲିଆ ବୋଲରଙ୍କ ଜଲୱା ଦେଖିବାକୁ ମିଳିଛି। ଫଳରେ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍‌ ହରାଇ ୨୩୩ ରନ୍ କରିଛି। ପ୍ରଥମ ଦୁଇଟି ସେସନରେ ଭାରତର ପଲା ଭାରୀ ରହିଥିବା ବେଳେ ତୃତୀୟ ସେସନର ଶେଷ ଆଡ଼କୁ ଅଷ୍ଟ୍ରେଲିଆ ବୋଲର ଜବରଦସ୍ତ କମବ୍ୟାକ୍ କରିଛନ୍ତି। ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୪ ରନର ଇନିଂସ୍ ଖେଳିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ୨ଟି ସଫଳତା ହାସଲ କରିଛନ୍ତି।

ଆଡିଲେଡ୍ ଓଭାଲରେ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ପ୍ରଥମ ଓଭରରେ ଭାରତକୁ ଝଟକା ଲାଗିଥିଲା। ଖରାପ ଫର୍ମ ଦେଇ ଗତି କରୁଥିବା ଓପ୍ନର ପୃଥ୍ୱୀ ଶ' ପୁଣିଥରେ ନିରାଶ କରି ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ତାଙ୍କୁ ଘରୋଇ ଦଳର ପେସ୍ ବୋଲର ମିଚେଲ୍ ଷ୍ଟାର୍କ କ୍ଲିନ୍ ବୋଲ୍ଡ କରିଥିଲେ। ମୟଙ୍କ ଅଗ୍ରୱାଲ୍ ଭଲ ଆରମ୍ଭ କରିଥିଲେ ହେଁ, ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିଥିଲେ। ମୟଙ୍କ (୧୭)ଙ୍କୁ ଦୁନିଆର ଏକ ନମ୍ବର ବୋଲର ପ୍ୟାଟ୍‌ କମିନ୍ସ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ୨ୟ ସଫଳତା ଦେଇଥିଲେ।

Prithvi Shaw

ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ କୋହଲି ନିଜ ନିଜର ଅଭିଜ୍ଞତାର ଭରପୂର ଉପଯୋଗ କରିଥିଲେ। ପୂଜାରା ଅଷ୍ଟ୍ରେଲିଆ ବୋଲରଙ୍କୁ ୱିକେଟ୍ ନେବା ପାଇଁ କୌଣସି ସୁଯୋଗ ଦେଇନଥିଲେ। ଅନ୍ୟପକ୍ଷରେ କୋହଲି ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତର ସ୍କୋର ୨ ୱିକେଟରେ ୪୧ ରନରେ ଥିଲା। ଏହା ପରେ ଦୁହେଁ ରନ୍ ଗତି ବଢ଼ାଇଥିଲେ।

ଭାରତର ସ୍କୋର ୧୦୦ ଥିବା ବେଳେ ପୂଜାରାଙ୍କୁ ଆଉଟ୍ କରି ନେଥୟ ଲିୟନ୍ ଅଷ୍ଟ୍ରେଲିଆକୁ ବଡ଼ ସଫଳତା ଦେଇଥିଲେ। ପୂଜାରା ୧୬୦ ବଲର ସାମ୍ନା କରି ୪୩ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ମାତ୍ର ୨ଟି ଚୌକା ସାମିଲ୍ ଥିଲେ। ପୂଜାରାଙ୍କ ଆଉଟ୍ ପରେ ଅଜିଙ୍କ୍ୟ ରାହାଣେ ମଧ୍ୟ ଭଲ ବ୍ୟାଟିଂ କରିଥିଲେ ଏବଂ କୋହଲି ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟେ କୋହଲି ଓ ରାହାଣେ କ୍ରିଜରେ ସେଟ୍‌ ହୋଇ ଅଷ୍ଟ୍ରେଲିଆ ଉପରେ ସାମାନ୍ୟ ଚାପ ପକାଇଥିଲେ। ହେଲେ ତୃତୀୟ ସେସନର ଡ୍ରିଙ୍କସ୍ ବ୍ରେକ୍ ପରେ ରାହାଣେଙ୍କ ଭୁଲ୍‌ କଲ୍ ପାଇଁ କୋହଲି ରନଆଉଟର ଶିକାର ହୋଇଥିଲେ। କୋହଲିଙ୍କ ଆଉଟ୍ ହେବା ସହ ଭାରତର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା।

କୋହଲି ୭୪ (୧୮୦ ବଲ୍, ୮ ଚୌକା) ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ। ଏହା ପରେ ରାହାଣେଙ୍କୁ ଏଲବିଡବ୍ଲ୍ୟୁ କରି ଷ୍ଟାର୍କ ଭାରତର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହାଣେ ନିଜର ୪୨ ରନର ଇନିଂସରେ ୯୨ ବଲ୍ ଖେଳି ୩ ଚୌକା ଓ ୧ ଛକା ମାରିଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ (୧୬) ସକାରାତ୍ମକ ବ୍ୟାଟିଂ ସହ ଭଲ ଷ୍ଟାର୍ଟ କରିଥିଲେ। କିନ୍ତୁ ସେ ଅଷ୍ଟ୍ରେଲୀୟ ପେସର୍ ଜୋଶ୍ ହେଜଲଉଡଙ୍କ ଜାଲରେ ଫସି ଏଲବିଡବ୍ଲ୍ୟୁ ହୋଇଥିଲେ। ୱିକେଟକିପର ଋଦ୍ଧିମାନ ସାହା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବେ ଭାରତ ପାଇଁ ସାହା ଭରସା। ଦୁହେଁ ଦିବସର ଶେଷ ୭ ଓଭରରେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ଆଉ କ୍ଷତି ସହିବାକୁ ଦେଇନାହାନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍, ଲିୟନ୍ ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos