କୋଲକାତା: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତି ସିରିଜ୍ କବଜା କରିଛି ଭାରତ। ଆଜି କୋଲକାତାରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଦଳ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରାସ୍ତ କରିଛି। ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ କରିଥିବା ବେଳେ ଭାରତ ୬ ୱିକେଟ୍ ହରାଇ ୪୩.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
୨୧୬ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ୧୦ ଓଭର ଭିତରେ ଦଳର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା।
ପ୍ରଥମ ଦିନିକିଆରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍ଙ୍କ ବ୍ୟାଟରୁ ଅର୍ଦ୍ଧଶତକ ବାହାରିଥିବା ବେଳେ ଆଜି ଯଥାକ୍ରମେ ୧୭ ଓ ୨୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଚମିକା କରୁଣାରତ୍ନେଙ୍କ ବଲ୍ରେ କୁଶଲ ମେଣ୍ଡିସ୍ଙ୍କ ହାତରେ ରୋହିତ କ୍ୟାଚ୍ ଆଉଟ୍ ହୋଇଥିଲେ। ଲହିରୁ କୁମାରାଙ୍କ ବଲ୍ରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶୁବମନ।
ସେହିଭଳି ଗତ ମ୍ୟାଚ୍ରେ ଶତକ ମାରିଥିବା ବିରାଟ କୋହଲି ମାତ୍ର ୪ ରନ୍ରେ ଆଉଟ୍ ହୋଇଯାଇଥିଲେ। ଲହିରୁ କୁମାରାଙ୍କ ଦ୍ୱାରା ସେ ବୋଲ୍ଡ ହୋଇଯାଇଥିଲେ। ୯.୩ ଓଭରରେ ଭାରତ ୩ଟି ୱିକେଟ୍ ହରାଇ ୬୨ ରନ୍ କରିଥିଲା। ଏହା ପରେ କେଏଲ ରାହୁଲଙ୍କ ସହିତ ମିଶି ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ ଶ୍ରେୟସ ଆୟର। ତେବେ ୩୩ଟି ବଲ୍ରେ ୨୮ ରନ୍ (୫ ଚୌକା) କରିଥିବା ବେଳେ କସୁନ ରଜିତାଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
୮୬ ରନ୍ରେ ୪ଟି ୱିକେଟ୍ ପଡ଼ିବା ପରେ କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟର ସହିତ ଖେଳିଥିଲେ। ସେମାନେ ଦେଖିଚାହିଁ ଖେଳିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ୭୫ ରନ୍ର ପାର୍ଟରଶିପ୍ ହୋଇଥିଲା। ଏହା ଦଳର ବିଜୟରେ ବଡ଼ ସହାୟକ ହୋଇଥିଲା। ତେବେ ଦଳର ସ୍କୋର ୧୬୧ରେ ପହଞ୍ଚିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଯାଇଥିଲେ। ସେ ୫୩ଟି ବଲ୍ରୁ ୪ଟି ଚୌକା ସହାୟତାରେ ୩୬ ରନ୍ କରି ଆଉଟ୍ ହୋଇଥିଲେ। ଚମିକା କରୁଣାରତ୍ନେଙ୍କ ବଲ୍ରେ କୁଶଲ ମେଣ୍ଡିସ୍ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ହାର୍ଦ୍ଦିକ ଯିବା ପରେ ଆସିଥିଲେ ଅକ୍ଷର ପଟେଲ। ସେ ୨୧ଟି ବଲ୍ରୁ ୨୧ ରନ୍ କରିଥିଲେ। ତା’ ମଧ୍ୟରେ ଗୋଟିଏ ଚୌକା ଓ ଗୋଟିଏ ଛକା ରହିଛି। କିନ୍ତୁ ସେ ମ୍ୟାଚ୍କୁ ଶେଷ କରିବା ପର୍ଯ୍ୟନ୍ତ ରହିପାରିଲେ ନାହିଁ। ଧନଞ୍ଜୟ ଡି’ସିଲ୍ଭାଙ୍କ ବଲ୍ରେ ଚମିକା କରୁଣାରତ୍ନେଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଅନ୍ୟପକ୍ଷରେ ଆଜି ଧୈର୍ଯ୍ୟର ସହ ଖେଳିଥିଲେ କେଏଲ ରାହୁଲ। ଫର୍ମ ସହିତ ସଂଘର୍ଷ କରୁଥିବା ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ସେ ୧୦୩ଟି ବଲ୍ରୁ ୬୪ ରନ୍ (୬ ଚୌକା) କରିଥିଲେ। ସେହିଭଳି କୁଲଦୀପ ଯାଦବ ୧୦ ବଲ୍ରେ ୧୦ ରନ୍ କରି ଅପରାଜିତ ରହିଥିଲେ। ସେଥିମଧ୍ୟରେ ଥିଲା ୨ଟି ଚୌକା।
ଶ୍ରୀଲଙ୍କା ପକ୍ଷରୁ ଲହିରୁ କୁମାରା ଓ ଚମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଧନଞ୍ଜୟ ଡି’ସିଲ୍ଭା ଓ କସୁନା ରଜିତା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ସୂଚନାଯୋଗ୍ୟ, ୧୫ ଜାନୁଆରୀରେ ତିରୁଅନନ୍ତପୁରମରେ ଦୁଇ ଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।