ନୂଆଦିଲ୍ଲୀ: ଭାରତୀୟ କିଟ୍ ସୁଟର ଶାହଜର ରିଜ୍ଭୀ ମଙ୍ଗଳବାର ଆଇଏସ୍ଏସ୍ (International Shooting Sport Federation) ର ୧୦ଏମ୍ ଏୟାର ପିଷ୍ଟଲ ରାଙ୍କିଙ୍ଗ୍ରେ ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। କୋରିଆର ଚାଙ୍ଗୱନଠାରେ ଚାଲିଥିବା ବିଶ୍ୱକପ୍ରେ ସିଲ୍ଭର ମେଡାଲ୍ ଜିତି ସେ ଏହି ଗୌରବ ହାସଲ କରିଛନ୍ତି।
ଶାହଜର ୧୬୫୪ ପଏଣ୍ଟ ପାଇ ଋଷିଆର ଆର୍ଟେମ୍ ଚେର୍ନୋସଭ୍ ଓ ଜାପାନ୍ର ଟୋମୋୟୁକି ମାସ୍ତୁଡାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଛିଛନ୍ତି।
ଏଥିସହିତ ୧୦ ଏମ୍ ଏୟାର ପିଷ୍ଟଲ ରାଙ୍କିଙ୍ଗ୍ରେ ମୁଖ୍ୟ ୧୦ଜଣ ସୁଟରଙ୍କ ତାଲିକାରେ ଭାରତର ଜିତୁ ରାୟ ୬ ନମ୍ବର ସ୍ଥାନରେ ଥିବା ବେଳେ ଓମପ୍ରକାଶ ତାଲିକାରେ ୧୨ ନମ୍ବର ସ୍ଥାନରେ ରହିଛନ୍ତି। ସେହିଭଳି ୧୦ ଏମ୍ ଏୟାର ରାଇଫଲ୍ ରାଙ୍କିଙ୍ଗ୍ରେ ସୁଟର ରବି କୁମାର ୪ ନମ୍ବର ସ୍ଥାନ ଓ ଦିପକ କୁମାର ୯ ନମ୍ବରରେ ଅଛନ୍ତି।
ମହିଳା ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦ ଏମ୍ ଏୟାର ପିଷ୍ଟଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ମନୁ ଭାକର ମୁଖ୍ୟ ୧୦ ତାଲିକାରେ ୪ ନମ୍ବର ସ୍ଥାନରେ ଅଛନ୍ତି।