ଦିନକ ପରେ ଟି-୨୦ ସିରିଜ୍: ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପଲା ଭାରୀ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ସଫଳତାର ନୂଆ ଶିଖର ଛୁଇଁଥିବା ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଜାନୁଆରୀ ୨୪ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ କରିବ। କିୱି ମାଟିରେ ଟିମ୍ ଇଣ୍ଡିଆ ପ୍ରଥମଥର ଟି-୨୦ ସିରିଜ୍ ନୂଆ ଇତିହାସ ରଚିବାକୁ ପ୍ରୟାସ କରିବ। ନ୍ୟୁଜିଲ୍ୟାଣ୍ଡରେ କିୱି ଟିମ୍ ବିପକ୍ଷରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ଟି-୨୦ ସିରିଜ୍ ଜିତିପାରି ନାହିଁ। କିନ୍ତୁ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ୨-୧ରେ ହରାଇବା ପରେ ଭାରତର ମନୋବଳ ବୃଦ୍ଧି ପାଇଛି। ଟି-୨୦ […]

virat-and-kane

virat-and-kane

Ranjit Kumar Jena
  • Published: Wednesday, 22 January 2020
  • Updated: 22 January 2020, 05:37 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ସଫଳତାର ନୂଆ ଶିଖର ଛୁଇଁଥିବା ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଜାନୁଆରୀ ୨୪ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ କରିବ। କିୱି ମାଟିରେ ଟିମ୍ ଇଣ୍ଡିଆ ପ୍ରଥମଥର ଟି-୨୦ ସିରିଜ୍ ନୂଆ ଇତିହାସ ରଚିବାକୁ ପ୍ରୟାସ କରିବ। ନ୍ୟୁଜିଲ୍ୟାଣ୍ଡରେ କିୱି ଟିମ୍ ବିପକ୍ଷରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ଟି-୨୦ ସିରିଜ୍ ଜିତିପାରି ନାହିଁ। କିନ୍ତୁ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ୨-୧ରେ ହରାଇବା ପରେ ଭାରତର ମନୋବଳ ବୃଦ୍ଧି ପାଇଛି।

ଟି-୨୦ ସିରିଜ୍ ପୂର୍ବରୁ ଭାରତ ପାଇଁ ଆହତ ସମସ୍ୟା ଚିନ୍ତାର ହୋଇଛି। ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ଉଭୟ ଟି-୨୦ ସିରିଜ୍ ଏବଂ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଧୱନଙ୍କ ଅନୁପସ୍ଥିତିରେ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବେ। ରୋହିତ୍ ଓ ରାହୁଲଙ୍କ ଓପନିଂ ଯୋଡ଼ି ନିକଟରେ ଭାରତକୁ ଅନେକ ସଫଳତା ଦେଇଛନ୍ତି। ତେଣୁ ଦୁହେଁ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଧମାକା କରିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଶେଷଥର ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଲଢ଼େଇ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ତେବେ ଟି-୨୦ ରେକର୍ଡ ଉପରେ ଯଦି ନଜର ପକାଇବା, ତାହେଲେ ନ୍ୟୁଜିଲ୍ୟାଣ୍ଡ୍ ଭାରତଠାରୁ ବହୁ ଆଗରେ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଭାରତ ଖେଳିଥିବା ୧୧ ମ୍ୟାଚରୁ ମାତ୍ର ତିନୋଟିରେ ବିଜୟୀ ହୋଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡ୍ ୮ ବିଜୟ ସହ ଭାରତ ଉପରେ ଦବଦବା କାଏମ୍ ରଖିଛି। ତେବେ ଆସନ୍ତୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ ରେକର୍ଡ ଉପରେ ନଜର ପକାଇବା।

ଦଳଗତ ସ୍କୋର: ଫେବୃଆରୀ ୬, ୨୦୧୯ରେ ୱେଲିଂଟନରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ବିପକ୍ଷରେ ୬ ୱିକେଟରେ ୨୧୯ ରନ୍ କରିଥିଲା, ଯାହା ଉଭୟ ଦଳ ମଧ୍ୟ ସର୍ବାଧିକ ଦଳଗତ ସ୍କୋର । ଏହି ମ୍ୟାଚରେ କିୱି ଓପ୍ନର ଟିମ୍ ସିଫର୍ଟ ୪୩ ବଲରେ ୮୪ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଏହାର ଜବାବରେ ଭାରତ ୧୩୯ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ୮୦ ରନରେ ମ୍ୟାଚ୍ ହାରିଯାଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଭାରତର ସର୍ବୋଚ୍ଚ ସ୍କୋର ୬ ୱିକେଟରେ ୨୦୮ ରନ୍ ରହିଛି। ଫେବୃଆରୀ ୧୦, ୨୦୧୯ରେ ହାମିଲଟନରେ ଭାରତ ଏହି ସ୍କୋର କରିଥଲା। ତେବେ ଦୁର୍ଭାଗ୍ୟବଶତଃ ଭାରତ ଏହି ମ୍ୟାଚରେ ମଧ୍ୟ ପରାସ୍ତ ହୋଇଥିଲା।

ସର୍ବାଧିକ ରନ୍‌: ପୂର୍ବତନ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ନାଁରେ ସର୍ବାଧିକ ରନର ରେକର୍ଡ ରହିଛି। ମ୍ୟାକକୁଲମ୍ ଭାରତ ବିପକ୍ଷରେ ୪ଟି ମ୍ୟାଚ୍ ଖେଳି ୧୩୦.୫୦ ହାରରେ ୨୬୧ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ୍ ୧୩୭.୩୬ ରହିଛି, ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ସାମିଲ୍ ଅଛି। ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ରନ୍ କଲିନ୍ ମୁନରୋଙ୍କ ନାମରେ ରହିଛି। ମୁନରୋ ୭ ମ୍ୟାଚରେ ୪୧.୩୩ ହାରରେ ୨୪୮ ରନ୍ କରିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ରନର ରେକର୍ଡ ମହେନ୍ଦ୍ର ସିଂ ଧୋନିଙ୍କ ନାଁରେ ରହିଛି। ଧୋନି ୧୧ ମ୍ୟାଚରେ ୩୭.୧୬ ହାରରେ ୨୨୩ ରନ୍ କରିଛନ୍ତି।

ସର୍ବାଧିକ ବ୍ୟକ୍ତିଗତ ସ୍କୋର: ଭାରତ-ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ମ୍ୟାଚରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନରୋଙ୍କ ନାମରେ ରହିଛି। ୨୦୧୭, ନଭେମ୍ବର ୪ ତାରିଖରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ମୁନରୋ ୫୮ ବଲରେ ୧୦୯ ରନର ଇନିଂସ୍ ଖେଳିଥିଲେ। ଏହି ମ୍ୟାଚରେ ମୁନରୋ ୭ ଚୌକା ଓ ସମାନ ସଂଖ୍ୟକ ଛକା ମାରିଥିଲେ। ତାଙ୍କର ଶତକୀୟ ଇନିଂସ୍ ବଳରେ ନ୍ୟୁଜିଲ୍ୟାଣ୍ଡ୍ ୨ ୱିକେଟରେ ୧୯୬ ରନ୍ କରିଥିଲା। ଜବାବରେ ଭାରତ ମାତ୍ର ୧୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ସର୍ବାଧିକ ରନ୍ ମ୍ୟାକକୁଲମଙ୍କ ନାମରେ ରହିଛି। ମ୍ୟାକକୁଲମ୍ ୨୦୧୨, ସେପ୍ଟେମ୍ବର ୧୧ ତାରିଖରେ ଚେନ୍ନାଇରେ ୯୧ ରନ୍ କରିଥିଲେ। ସେହିପରି ଭାରତୀୟଙ୍କ ମଧ୍ୟ ରୋହିତ୍ ଶର୍ମା (୮୦) ଓ ଶିଖର ଧୱନ୍ (୮୦) ଯୁଗ୍ମ ଭାବେ ସର୍ବାଧିକ ରନ୍ କରିଛନ୍ତି। ଦୁହେଁ ନଭେମ୍ବର ୧, ୨୦୧୭ରେ ଦିଲ୍ଲୀରେ ଖେଳାଯାଇଥିବା ଏହି ସ୍କୋର କରିଥିଲେ। ଭାରତ ଏହି ମ୍ୟାଚରେ ୩ ୱିକେଟ୍ ହରାଇ ୨୦୨ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୧୪୯ ରନ୍ କରି ପରାସ୍ତ ହୋଇଥିଲା।

ସର୍ବାଧିକ ଛକା: ନ୍ୟୁଜିଲ୍ୟାଣ୍ଡ୍ ଓପ୍ନର କଲିନ୍ ମୁନରୋ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି । ସେ ଭାରତ ବିପକ୍ଷ ଖେଳିଥିବା ୭ ମ୍ୟାଚରେ ମୋଟ ୧୭ ଛକା ମାରିଛନ୍ତି। ତାଙ୍କ ପରେ କିୱି ଟିମର ଟିମ୍ ସିଫର୍ଟ ୧୦ଟି ଛକା ମାରିବାର ରେକର୍ଡ କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ରୋହିତ୍ ଶର୍ମା ସର୍ବାଧିକ ୯ଟି ଛକା ସହ ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ରୋହିତ୍ ୯ ମ୍ୟାଚରେ ୧୯୮ ରନ୍ କରିଛନ୍ତି।

ସଫଳ ବୋଲର: ନ୍ୟୁଜିଲ୍ୟାଣ୍ଡ୍ ଲେଗ୍ ସ୍ପିନରୀ ଈଶ ସୋଢୀ ସଫଳ ବୋଲର ଭାବେ ୭ ମ୍ୟାଚରେ ୧୬.୧୮ ହାରରେ ୧୧ ୱିକେଟ୍ ଦଖଲ କରିଛନ୍ତି। ମାର୍ଚ୍ଚ ୧୫, ୨୦୧୬ରେ ନାଗପୁରରେ ଖେଳାଯାଇଥିବା ମ୍ୟାଚରେ ସେ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ, ଯାହା ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର୍। ତାଙ୍କ ପରକୁ ନ୍ୟୁଜିଲ୍ୟାଣ୍ଡର ମିଚେଲ୍ ସାଣ୍ଟନର୍ (୯ ୱିକେଟ୍‌) ଏବଂ ଟିମ୍ ସାଉଦି (୭ ୱିକେଟ୍‌) ରହିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଛନ୍ତି ଇରଫାନ୍ ପଠାନ୍‌, ଯିଏ ୪ଟି ମ୍ୟାଚରେ ୫ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos