ଆବୁ ଧାବି: ଚଳିତ ଆଇପିଏଲର ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ରବିବାର ଟୁର୍ଣ୍ଣାମେଣ୍ଟର ୨ କ୍ୱାଲିଫାୟର୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମଥର ଫାଇନାଲରେ ପ୍ରବେଶ କରିଛି।
ଏହି ମୁକାବିଲାର ଶେଷ ପର୍ଯ୍ୟନ୍ତ ଜଣାପଡ଼ିନଥିଲା ଯେ ମ୍ୟାଚ୍ କାହା ସପକ୍ଷରେ ଯିବ। କିନ୍ତୁ ଇନିଂସର ୧୯ତମ ଓଭରରେ କାଗିସୋ ରବାଡା ଦିଲ୍ଲୀର ବିଜୟକୁ ନିଶ୍ଚିତ କରିଥିଲେ। ଏହି ଓଭରରେ ରବାଡା ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ ତିନୋଟି ୱିକେଟ୍ ନେଲେ, ତଥାପି ତାଙ୍କୁ ହ୍ୟାଟ୍ରିକ୍ ମିଳିଲା ନାହିଁ। ତେବେ କାହିଁକି ରବାଡାଙ୍କ ଖାତାରେ ହ୍ୟାଟ୍ରିକ୍ ହେଲା ନାହିଁ, ଆସନ୍ତୁ ଜାଣିବା। ଅନ୍ତିମ ୨ ଓଭରରେ ହାଇଦ୍ରାବାଦକୁ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିଲା।
୧୯ତମ ଓଭରରେ ରବାଡାଙ୍କ ପ୍ରଥମ ବଲରେ ରଶିଦ୍ ଖାନ୍ ୧ ରନ୍ ନେଇ ଅବଦୁଲ୍ ସମଦଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ସମଦ ୨ୟ ବଲରେ ଛକା ମାରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ତେବେ ତୃତୀୟ ବଲରେ ଆଉଏକ ଛକା ମାରିବା ଚକ୍କରରେ ସମଦ ରବାଡାଙ୍କୁ ୱିକେଟ୍ ଦେଇ ବସିଥିଲେ। ପରବର୍ତ୍ତୀ ଅର୍ଥାତ୍ ଚତୁର୍ଥ ବଲରେ ରବାଡା ରଶିଦଙ୍କୁ ଆଉଟ୍ କରିଥିଲେ।
ଲଗାତର ଦୁଇଟି ବଲରେ ୱିକେଟ୍ ନେବା ପରେ ରବାଡାଙ୍କ ପାଖରେ ହ୍ୟାଟ୍ରିକ୍ ନେବାର ସୁଯୋଗ ଥିଲା, କିନ୍ତୁ ପରବର୍ତ୍ତୀ ବଲରେ ସେ ୱାଇଡ୍ ପକାଇଥିଲେ। ଯେଉଁକାରଣରୁ ସେ ହ୍ୟାଟ୍ରିକ୍ ନେବାରୁ ବଞ୍ଚିତ ହୋଇଥିଲେ। ପରବର୍ତ୍ତୀ ବଲରେ ରବାଡା ସନରାଇଜର୍ସ ୱିକେଟକିପର ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ଆଉଟ୍ କରି ରବାଡା ଓଭରରେ ତିନୋଟି ସଫଳତା ପାଇଥିଲେ। କିନ୍ତୁ ସେହି ୱାଇଡ୍ ବଲ୍ କାରଣରୁ ରବାଡା ହ୍ୟାଟ୍ରିକ୍ ସଫଳତା ନେବାରୁ ବଞ୍ଚିତ ହୋଇଥିଲେ। ଏହି ମ୍ୟାଚରେ ରବାଡା ୪ ଓଭରରେ ୨୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।