ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଆଜି ବସିଲା ପଦାଧିକାରୀ ବୈଠକ

ଭୁବନେଶ୍ୱର/ପୁରୀ: ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଆଜି ଦଳର ପଦାଧିକାରୀମାନଙ୍କର ଏକ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ଦଳର ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ଆଜି ବୈଠକରେ ଦଳ ଏକ ରାଜନୈତିକ ଚିଠା ପ୍ରସ୍ତାବ ସହିତ ଏକ କୃଷି ପ୍ରସ୍ତାବ ମଧ୍ୟ ଆଗତ କରିଥିଲା। ଏହା ସହିତ ରାଜ୍ୟର ବିଜେଡି ସରକାରଙ୍କ ବିଭିନ୍ନ ବିଫଳତା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସରକାରଙ୍କର ବିଫଳତାଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ଦଳୀୟ ନେତାମାନେ କହିଛନ୍ତି।

ରବିବାର ଦଳର ଦିନିକିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସପାତ୍ର ସୂଚନା ଦେଇଥିଲେ।

ସେ କହିଥିଲେ,“ଆସନ୍ତା ୨୭ ତାରିଖରେ ରାଜ୍ୟ ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହେବ। ଏଥିରେ ଦଳର ସଂଗଠନକୁ ସୁଦୃଢ଼ ଓ ଶାଣିତ କରିବା ପାଇଁ ଆସନ୍ତା ୩ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯିବ। ବୁଥ୍‌ ସ୍ତରରେ, ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ଦଳର କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ଶାଣିତ କରିବା ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବସିବାକୁ ଯାଉଥିବା ଏହି ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ନୂଆ ଯୋଜନା ପ୍ରସ୍ତୁତ କରାଯିବ।”

ଭୃଗୁ ବକ୍ସିପାତ୍ର କହିଥିଲେ,“ରାଜ୍ୟ ସରକାରଙ୍କର ଜନ ବିରୋଧୀ ନୀତି ସଂପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ଯୋଜନା ପ୍ରସ୍ତୁତ କରାଯିବ। ଗାଁ ଗହଳିରେ ପାଣି, ବିଦ୍ୟୁତ୍, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ରାଜନୈତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ଏବଂ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଯିବ।”

ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରମୁଖତା ଓ ପ୍ରାଧ୍ୟାନ୍ୟ ଦେଉଥିବା ନେଇ ମଧ୍ୟ ଆଲୋଚନା ହେବ ବୋଲି କହିଥିଲେ ବକ୍ସିପାତ୍ର।

ସେ କହିଥିଲେ,“ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର କେନ୍ଦ୍ରୀୟ ସାଧାରଣ ସଂପାଦକ ସୁଧାନ ସିଂ, ଦଳର ରାଜ୍ୟ ପ୍ରଭାରୀ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ବିଧାୟକ, ବରିଷ୍ଠ ନେତା, ଜିଲ୍ଲା ସଭାପତି ଓ ବିଭିନ୍ନ ମୋର୍ଚ୍ଚାର ସଭାପତିମାନେ ଯୋଗ ଦେବେ।”