ଅନୁଗୋଳ: ନିଆଁ ନେଲା ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ବଜାରରେ। ଘରେ ନିଆଁ ଲାଗି ଯିବାରୁ ଶ୍ୱାସରୁଦ୍ଧ ହୋଇ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବିମଳା ଗାହାଣ ଓ ଉଜ୍ଜଳା ଗାହାଣ। ରାତି ପ୍ରାୟ ୩ଟା ବେଳେ ଘରେ ନିଆଁ ଲାଗିଯାଇଥିବା କୁହାଯାଉଛି। ଡିବିରିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଆଜି ଭୋର ପ୍ରାୟ ୫ଟାରେ ମୃତ ଦୁଇ ଉଉଣୀଙ୍କ ଭାଉଜ ଶୋଇ ଉଠିବା ପରେ ଦେଖିଥିଲେ ଘର ଭିତରୁ ଧୂଆଁ ବାହାରୁଛି। ଏ ନେଇ ସେ ତାଙ୍କ ସ୍ୱାମୀ ଓ ପଡ଼ୋଶୀଙ୍କୁ ଡାକ ପକାଇ ଥିଲେ। ଏହାପରେ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ କବାଟ ନ ଭାଙ୍ଗିବାରୁ ଘରର ଆଜ୍ବେଷ୍ଟ୍ର ଭାଙ୍ଗି ଓ ଝରକା ତାଡ଼ି ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଥିଲା।
ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଡିବିରି କିମ୍ୱା ଲ୍ୟାମ୍ପରୁ ଘରେ ନିଆଁ ଲାଗି ଥିବା ପୋଲିସ୍ କହିଛି। ତେବେ ଦୁଇ ଭଉଣୀଙ୍କ ରୁମ୍ ପାଖରେ ଶୋଇଥିବା ସେମାନଙ୍କ ଭାଇ-ଭାଉଜ କିପରି ନିଆଁ ଲାଗିବା ସଂପର୍କରେ ଜାଣି ପାରିଲେ ନାହିଁ ସେ ନେଇ ପୋଲିସ୍ ତଦନ୍ତ କରୁଛି।
ମୃତ ଦୁଇ ଭଉଣୀଙ୍କ ଭାଉଜ କନକ ଗାହାଣ କହିଛନ୍ତି,“ଆଜି ଭୋର ୫ଟାରେ ମୁଁ ଉଠିବା ପରେ ଦେଖିଲି ସେମାନେ ଶୋଇଥିବା ରୁମ୍ ଭିତରୁ ଧୂଆଁ ବାହାରୁଥିଲା। ଏ ନେଇ ମୁଁ ସ୍ୱାମୀଙ୍କୁ କହିବା ସହ ପଡ଼ୋଶୀଙ୍କୁ ଖବର ଦେଇଥିଲି।”
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ଆମେ ଶୋଇ ଥିଲୁ। ବିମଳା ଓ ଉଜ୍ଜଳାଙ୍କ ଘରୁ ଧୂଆଁ ବାହାରୁଛି କହି କନକ ନାନୀ ଆମକୁ ଡାକିଥିଲେ। ଆମେ ଆସି ପହଞ୍ଚିଲା ବେଳକୁ ଘର ଭିତରେ ନିଆଁ ଜଳୁ ଥିଲା। ଝରକା ଓ ଆଜବେଷ୍ଟର ଭାଙ୍ଗି ଦୁଇ ଭଉଣୀଙ୍କୁ ବାହାରକୁ ଆଣିଥିଲୁ।”
ତଦନ୍ତକାରୀ ଅଧିକାରୀ ଟିଏସ୍ ମାଝି କହିଛନ୍ତି,“ଏହି ଦୁଇ ଭଉଣୀ ବାହାରେ କାମ ଧନ୍ଦା କରି ଚଳନ୍ତି। ଘରେ ବିଦ୍ୟୁତ୍ ନ ଥିବାରୁ ଲ୍ୟାମ୍ପ୍ ଲଗାଇ ଶୋଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଯେ ଘରେ ନିଆଁ ଲାଗିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି। ମୃତଦେହକୁ ଶବ ବ୍ୟଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।