ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍ସେଫାଲାଇଟିସ୍ରେ ଶିଶୁ ମୃତ୍ୟୁ ନେଇ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ରାସ୍ତାରୋକ କରାଯିବ। ଦିନ ୧୦ଠାରୁ ୧୨ ଯାଏଁ ଦୁଇ ଘଣ୍ଟା ଏହି ରାସ୍ତାରୋକ କରାଯିବ ବୋଲି କଂଗ୍ରେସର ପିସିସି ଉପସଭାପତି ପ୍ରଦୀପ ମାଝି କହିଛନ୍ତି।
ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱାଘାତକତା କରିଛନ୍ତି। ଆମ ପ୍ରତି ପାତର ଅନ୍ତର କରୁଛନ୍ତି। ଭୁବନେଶ୍ୱର ସମ୍ ହସପିଟାଲ ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ୧୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ। କିନ୍ତୁ ଜାପାନୀ ଜ୍ୱରରେ ମୃତ୍ୟୁ ହୋଇଥିବା ଶିଶୁଙ୍କ ପରିବାରକୁ ୩ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଜାପାନୀ ଜ୍ୱରରେ ମୃତ୍ୟୁ ହୋଇଥିବା ଶିଶୁଙ୍କୁ ୧୨ଲକ୍ଷ ଟଙ୍କା ସହାୟତା ଦେବାକୁ ଆମେ ଦାବି କରୁଛୁ। ୩୭ଜଣ ମୃତ ଶିଶୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୩ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ୪ମାସ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ଶିଶୁ ମୃତ୍ୟୁ ବରଣ କରିଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ଲୁଚାଉଛନ୍ତି। ବନ ଚାକୁଣ୍ଡାର ରୂପ ଦେଉଛନ୍ତି। ”
ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀ ଆମକୁ ଉପହାସ କରୁଛନ୍ତି। କେବିକେ ଜିଲ୍ଲାର ପ୍ରାୟ ମେଡିକାଲରେ ଡାକ୍ତର ନାହାନ୍ତି। ସମସ୍ତ ଜିଲ୍ଲାରେ ଡାକ୍ତର ପୂରଣ ପାଇଁ ଆମେ ଦାବି କରୁଛୁ। ଏହା ସହ ଗୁମୁଡୁମାହା ଗଣ ହତ୍ୟାକାରୀଙ୍କୁ ଦଣ୍ଡ ଦିଆଯାଉ। ନଗଡାରେ ଶିଶୁମାନେ ପୃଷ୍ଟିସାର ଖାଦ୍ୟ ପାଇ ପାରୁନାହାନ୍ତି। ଫଳରେ ପୋକ ମାଛି ଭଳି ମରୁଛନ୍ତି। ସରକାର ସବୁ ଦେଖି ଚୁପ୍ ହୋଇ ରହିଛନ୍ତି। ଏଥିପାଇଁ ଜିଲ୍ଲା କଂଗ୍ରେସ, ଛାତ୍ର ଓ ଯୁବ କଂଗ୍ରେସ ଓ ମହିଳା କଂଗ୍ରେସକୁ ଅନୁରୋଧ କରୁଛୁ ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ।”
ପ୍ରଦୀପ କହିଛନ୍ତି,“ଅବହେଳିତ ଶୋଷିତ ଲୋକମାନଙ୍କର ନ୍ୟାର୍ଯ ଦାବି ପାଇଁ ଆମେ ଆନ୍ଦୋଳନ କରୁଛୁ। ଆଗାମୀ ଦିନରେ ଏହା ଜନ ଆନ୍ଦୋଳନର ରୂପ ନେବ। ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ଦଳିତ ଲୋକମାନଙ୍କ ଜୀବନର ମୂଲ୍ୟ କିଛି ନୁହଁ ବୋଲି ଭାବୁଛନ୍ତି। ତାଙ୍କର ଆମ ପ୍ରତି କୌଣସି ମମତା ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ଶାସନ କାଳରେ ଆମ ଜୀବନକୁ ଶସ୍ତା କରି ଦେଇଛନ୍ତି। ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଓ ମୁଁ ଏହି ଆନ୍ଦୋଳନର ନେତୃତ୍ୱ ନେଉଛୁ। ଆମକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ କରିବୁ। ମାହମହିମ ରାଜ୍ୟପାଳ ଆମକୁ ଆସନ୍ତାକାଲି ୧୧ଟା୩୦ରେ ଆଲୋଚନା କରିବା ପାଇଁ ଡାକିଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।