/odisha-reporter/media/post_attachments/uploads/2015/05/Estimated-port-place-1.jpg)
Estimated port place-1
ବାଲେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେଉ କିମ୍ୱା ବନ୍ଦର ପ୍ରତିଷ୍ଠା ହେଉ ସବୁଠି ଦେଖାଦେଇଛି ଭୂମି ଅଧିଗ୍ରହଣ ତଥା ବିସ୍ଥାପନ ଜନିତ ସମସ୍ୟା । ଓଡ଼ିଶାର ଅନ୍ୟତମ ପ୍ରସ୍ତାବିତ ବୃହତ୍ତ ଶିଳ୍ପାନୁଷ୍ଠାନ ଦକ୍ଷିଣ କୋରିଆର ‘ପୋସ୍କୋ’ ସହ ରାଜ୍ୟ ସରକାରଙ୍କର ଏମଓୟୁକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଓ ବିସ୍ଥାପନ ଜନିତ ସମସ୍ୟା ଏହାର ପିଛା ଛାଡ଼ୁ ନଥିବା ବେଳେ ବାଲେଶ୍ୱର ଜିଲ୍ଲାର ପ୍ରସ୍ତାବତି ସୁବର୍ଣ୍ଣରେଖା ବନ୍ଦର ନିର୍ମାଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କଠାରୁ ବାଣିଜ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପ୍ରତିମାସରେ ସମୀକ୍ଷା କରି ଚାଲିଥିଲେ। ତାରିଖ ପରେ ତାରିଖ ବଦଳି ଚାଲିଥିଲେ ବି ଫଳ ଥିଲା ଶୂନ । ବୁଝାମଣା ପତ୍ର ସ୍ୱାକ୍ଷରକୁ ସାଢ଼େ ଚାରିବର୍ଷ ବିତି ଯିବା ପରେ ମଉଳି ଯାଇଥିଲା ବନ୍ଦର ହେବାର ସମ୍ଭାବନା । ଏହା ବ୍ୟତୀତ କୋଲକାତା ବନ୍ଦର ସୀମା ସଂପ୍ରସାରଣ ପ୍ରସଙ୍ଗ ଆଉ ଏକ ବାଧକ ସୃଷ୍ଟି କରିଥିଲା । ଫଳରେ ସୁବର୍ଣ୍ଣରେଖା ବନ୍ଦରର ଭବିଷ୍ୟତ ଅନିଶ୍ଚତତା ମଧ୍ୟକୁ ଠେଲି ହୋଇଯାଇଥିଲା ।
ତେବେ ୨୦୦୬ ମସିହା ଡିସେମ୍ୱର ୧୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଗସ୍ତରେ ଆସି ସୁବର୍ଣ୍ଣରେଖା ମୁହାଣରେ ଖୁବଶୀଘ୍ର ବନ୍ଦର ନିର୍ମାଣ ସହ ସଚିବାଳୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଘୋଷଣା କଲେ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ସେହି ବର୍ଷ ଡିସେମ୍ୱର ୧୮ ତାରିଖରେ ଚେନ୍ନାଇର ‘କ୍ରିଏଟିଭ୍ ଡେଭଲପ୍ମେଣ୍ଟ ଲିମିଟେଡ୍’ କମ୍ପାନୀ ସହିତ ଚୁକ୍ତିପତ୍ର ସ୍ୱାକ୍ଷର କରାଗଲା । ୧୦ ବର୍ଷ ବିଶିଷ୍ଟ ତଥା ବାର୍ଷିକ ୧୪ ରୁ ୫୦ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ଥିବା ଏହି ସୁବର୍ଣ୍ଣରେଖା ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରସ୍ତାବିତ ବନ୍ଦରଟି ପ୍ରଥମେ କୀର୍ତ୍ତନିଆ ବଦଳରେ ବାଲିଆପାଳ ବ୍ଲକର ଚୌମୁଖଠାରେ ଏବଂ ଭୋଗରାଇର କୀର୍ତ୍ତନିଆ ଅଞ୍ଚଳରେ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ଏହି ବୁଝାମଣା ପତ୍ର ସ୍ୱାକ୍ଷରକୁ ୨ବର୍ଷ ବିତିଯିବା ପରେ ଓଏସ୍ଟି ବିଲ୍ଡ୍, ୱାଗନ୍ ଅପରେଟ ଓ ଅଂଶଧନ ଜନିତ ସମସ୍ୟା ଯୋଗୁଁ କଥା ଆଗକୁ ଯାଇପାରି ନ ଥିଲା । ୨୦୦୮ ଜାନୁଆରୀ ୧୧ତାରିଖରେ ସରକାର ଓ କମ୍ପାନୀ ମଧ୍ୟରେ ଆଉ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା । ଜିଲ୍ଲାର ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ବହୁ ଶୀତଳ ଯୁଦ୍ଧ ପରେ ଭୋଗରାଇର କୀର୍ତ୍ତନିଆ ବଦଳରେ ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ମୁହାଣଠାରେ ବନ୍ଦର ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ଠାରୁ ସବୁଜ ସଂକେତ ମିଳିଲା । ଏହି ପରିପ୍ରେକ୍ଷୀରେ ବନ୍ଦର ସ୍ଥାପନ ପାଇଁ ୧୨୧୫ ଏକର ଜମିର ଆବଶ୍ୟକତା ରହିଥିବା କମ୍ପାନୀ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇବା ପରେ ଜମି ଅଧିଗ୍ରହଣ ପାଇଁ ସ୍ଥାନୀୟ ତହସିଲଦାର ସର୍ଭେ ଆରମ୍ଭ କଲେ । ତେବେ ରାଜ୍ୟ ସରକାରଙ୍କର ୧୯୬୧/୭୨ ନମ୍ୱର ବିଜ୍ଞପ୍ତି ଅନୁସାରେ ଉକ୍ତ ଅଞ୍ଚଳରେ ୨୫୪ ଏକର ଗ୍ରାମ୍ୟ ଜଙ୍ଗଲ ଥିବା ଯୋଗୁଁ ବନ୍ଦର ପାଇଁ କମ୍ପାନୀକୁ ଆଇନତଃ କେବଳ ୯୬୧ ଏକର ୧୮ ଡିସିମିଲ ଜମି ପ୍ରଦାନ କରି ହେବ ବୋଲି ସର୍ଭେ ରିପୋର୍ଟରେ ସ୍ଥାନୀୟ ତହସିଲଦାର ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଥିବା ୯୬୧ଏକର ୧୮ଡେସିମିଲ ପରିମିତ ଜମି ମଧ୍ୟରୁ ୬୯୨ ଏକର ଜମି ନିକଟରେ ବୋର୍ଡ ଅଫ୍ ରେଭିନ୍ୟୁର ମଞ୍ଜୁର ପାଇଁ ଯାଇଥିବା ଜଣାପଡ଼ିଛି । ସେଥିରୁ ୧୨୮ ଏକର ସରକାରୀ ଜମିକୁ ସ୍ଥାନୀୟ ୮୯ଟି ପରିବାରଙ୍କ ଦ୍ୱାରା ଜବରଦଖଲ ହୋଇଥିବାବେଳେ ସେମାନଙ୍କୁ ଉଚ୍ଛେଦ କରିବା, ପ୍ରଶାସନ ପାଇଁ ଏବେ ବଡ଼ ସମସ୍ୟା ହୋଇଛି।/odisha-reporter/media/post_attachments/wp-content/uploads/2015/05/Subarnarekha-port-mao.jpg)
ବିସ୍ଥାପତି ହେଉଥିବା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ଗାଁର ୮୯ଟି ପରିବାରକୁ ସରକାରଙ୍କ ବିସ୍ଥାପିତ ନୀତି-୨୦୦୬ ଅନୁଯାୟୀ ଥଇଥାନ କରିବାକୁ ଚିନ୍ତା କରୁଥିବାବେଳେ ସ୍ଥାନୀୟ ଲୋକମାନେ ‘ଉପକୂଳ ଭିଟାମାଟି ସୁରକ୍ଷା ପରିଷଦ’ ଗଠନ କରି ୨୭ଦଫା ଦାବି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ଏପରିକି ୨୦୧୦ ମସିହା ଡିସେମ୍ୱର ୩୦ ତାରିଖରେ ଜିଲ୍ଲାପାଳଙ୍କ ଜନଶୁଣାଣିକୁ ମଧ୍ୟ ଏହି କମିଟି ବିରୋଧ କରିଥିଲା । ସ୍ଥାନୀୟ ଗ୍ରାମବାସୀମାନେ ସାଧାରଣତଃ ପାନ, କାଜୁ, ଚିନାବାଦାମ ଆଦି ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥା’ନ୍ତି । ବନ୍ଦର ତିଆରି ହେଲେ ଆଉ କାହାରି କିଛି ହେଉ ବା ନହେଉ, ପୁରୁଷ ପୁରୁଷ ଧରି ସରକାରୀ ଜମିରେ ରହୁଥିବା ଏହି ଗାଁ ଲୋକଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବା ନେଇ ସେମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏ ବାବଦରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିସ୍ଥାପିତ ହେଉଥିବା ଲୋକଙ୍କୁ କ୍ଷତିପୂରଣ ବାବଦକୁ ପ୍ରତ୍ୟେକ ପରିବାର ପ୍ରତି ୨୫ଲକ୍ଷ ଟଙ୍କା ସାଙ୍ଗକୁ ୧୦ଡିସିମିଲ୍ ଜମି, ପରିବାରର ଜଣଙ୍କୁ ଚାକିରି ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଚାଷକରି ନିଜର ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ଚାଷ ବାବଦରେ କ୍ଷତିପୂରଣ, ରାସ୍ତାଘାଟର ଉନ୍ନତିକରଣ, ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଆଦି ବିଭିନ୍ନ ସମସ୍ୟା ମଧ୍ୟ ଉପସ୍ଥାପନ କରାଯାଇଛି । ଏନେଇ ସୁରକ୍ଷା କମିଟି ସହ ବନ୍ଦର କର୍ତ୍ତୃପକ୍ଷ ଓ ସରକାରଙ୍କର ବହୁବାର ଆଲୋଚନା ହୋଇଥିଲେ ବି ସେମିତି କିଛି ଉନ୍ନତି ପରିଲକ୍ଷିତ ହୋଇପାରିନାହିଁ ।
ଗ୍ରାମବାସୀଙ୍କ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଦାବିଗୁଡିକୁ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷ ନ ମାନିଲେ ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବା ଅପେକ୍ଷା ଅନ୍ୟ ଅଞ୍ଚଳର ବିସ୍ଥାପିତଙ୍କ କାର୍ଯ୍ୟକଳାପ ତଥା ଆନ୍ଦୋଳନ ପନ୍ଥାକୁ ସେମାନେ ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି ।
‘ଆମେ ଏବେ କରିବୁ କ’ଣ ? ବାପ, ଗୋସାପ ଅମଳରୁ ଆମେ ନିଜ ଜମି ବୋଲି ଭାବି ଚାଷ କରି ପରିବାର ପୋଷୁଛୁ । ଏବେ ବନ୍ଦର ହେବ ବୋଲି କହି ଆମ ଠାରୁ ଜମି ଛଡ଼ାଇ ନେବାକୁ ତହସିଲଦାର କହୁଛନ୍ତି । ଆମେ ମଧ୍ୟ ଛାଡ଼ି ଦେବୁ । ହେଲେ, ମୁଣ୍ଡ ଉପରେ ଖଣ୍ଡେ ଛପର ଆଉ ପେଟକୁ ଦାନା ପାଇଁ ଯୋଗାଡ଼ ନ କରି ଦେଲେ ରକ୍ତ ଦେବାକୁ ପଡ଼ିଲେ ମଧ୍ୟ ଆମେ ପଛାଇବୁ ନାହିଁ ବୋଲି କହିଛନ୍ତି କଙ୍କଡ଼ାପାଳ ଗାଁର ଚୈତନ୍ୟ ମଣ୍ଡଳ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
