kalahandi-seed-
ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ମହିପାଲ, ଗୋଡିକାବରୀ, କଲକତି, ବୈଦ୍ୟରାଜ, ଗିଧନପଯୀ, ଧଙ୍ଗଡାକାନ୍ତି ପରି ଭଳିକିଭଳି ପ୍ରାୟ ୬୨ ପ୍ରକାରର ଧାନ। ଏସବୁ ଧାନର ନାଁ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି? ଏସବୁ ଧାନ ଏବେ ବିଲୁପ୍ତ ପ୍ରାୟ। କିନ୍ତୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଗୋତୋମୁଣ୍ଡା ଅଞ୍ଚଳର ଚାଷୀମାନେ ଏବେ ଏଭଳି ଧାନଗୁଡିକୁ ପାରମ୍ପାରିକ ତରିକାରେ ପୁଣିଥରେ ଚାଷ କରିବା ଆରମ୍ଭ କରିଛନ୍ତି। ଏହି ଅଞ୍ଚଳରେ ପ୍ରାୟ ୧୦୦୦ ଏକରରେ ଚାଷୀ ବିଭିନ୍ନ କିସମର ଧାନ ଚାଷ କରିଛନ୍ତି। ଏହି ଜୈବିକ ଉପରେ ଚାଷ ହେଉଛି। କୌଣସି ରାଶାୟନିକ ସାର ବା କୀଟନାଶକ ବ୍ୟବହାର କରାଯାଉନାହିଁ।
ଚାଷୀ ତ୍ରିନାଥ ମାଝୀ କହିଛନ୍ତି-“ମହିପାଲ, ଗୋଡିକାବରୀ, କଲକତି, ବୈଦ୍ୟରାଜ, ଗିଧନପଯୀ, ଧଙ୍ଗଡାକାନ୍ତି ଆଦି ଧାନ ଚାଷ କଲେ ପୋକ ଲାଗିବ ନାହିଁ। ଧାନ ଭଲ ମଧ୍ୟ ହେଉଛି। ଏହି ଧାନରେ ପ୍ରସ୍ତୁତ ଚାଉଳର ଭାତ ଖାଇବାକୁ ଭଲ ଲାଗୁଛି। ସେଥିପାଇଁ ଆମ ବାପା-ଅଜା ଚାଷ କରୁଥିଲେ। ଏବେ ଆମେ ସେହି ଧାନକୁ ଚାଷ କରିବାକୁ ଅଣ୍ଟା ଭିଡିଛୁ।”
ଆଉ ଜଣେ ଚାଷୀ କହିଛନ୍ତି-“ଶୀଘ୍ର ଅମଳ ପାଇଁ ଆମେ ଚାଷରେ ସାର ଓ କୀଟନାଶକ ପ୍ରୟୋଗ କରୁଛୁ। ଏହାଦ୍ୱାରା ଜମି ଉର୍ବରତା ହରାଉଛି। ମାଟି ପଥର ହୋଇଯାଉଛି। ସେଥିପାଇଁ ଆମେ ଗତବର୍ଷଠାରୁ ଗୋବର ଖତ ବ୍ୟବହାର କରି ଚାଷ କରୁଛୁ।”
<a href="">(image) </a>ସରକାରଙ୍କ ପରମ୍ପରାଗତ କୃଷି ବିକାଶ ଯୋଜନା ଅନୁସାରେ ଚାଷୀଙ୍କୁ ଦେଶୀ ଧାନ, ମକା, ମାଣ୍ଡିଆ, ବାଜରା, ଡାଲି ଜାତୀୟ ଫସଲର ଦେଶୀ ବିହନ ପ୍ରଦାନ କରାଯାଉଛି। ଏପରିକି ଜୈବିକ ସାର ବ୍ୟବହାର ଉପରେ ତାଲିମ୍ ଦିଆଯାଉଛି। ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ବଜାର ବ୍ୟବସ୍ଥା କଲେ ଏଭଳି ପାରମ୍ପାରିକ କୃଷିର ବିକାଶ ହୋଇପାରିବା ସହ ଜୈବିକ କୃଷି ପ୍ରତି ଅଧିକରୁ ଅଧିକ ଯୁବ ଚାଷୀ ଆକୃଷ୍ଟ ହେବେ ବୋଲି ଆଶା କରିଛନ୍ତି ଚାଷୀ।
ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି-“ରାସାୟନିକ ସାର ଜନିତ ଖାଦ୍ୟ ଖାଇବା ଦ୍ୱାରା ଲୋକେ ରୋଗଗ୍ରସ୍ତ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ପରମ୍ପରାଗତ କୃଷି ବିକାଶ ଯୋଜନା ମାଧ୍ୟମରେ ଚଷୀଙ୍କୁ ସଚେତନତା କରାଯାଉଛି। ଏହାଛଡ଼ା ଆଗାମୀ ଦିନରେ ଚାଷୀଙ୍କ ଉତ୍ପାଦିତ ଖାଦ୍ୟ ଶଷ୍ୟକୁ କିପରି ବଜାରରେ ବିକ୍ରି କରାଯିବ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି।”
ଜିଲ୍ଲାପାଳ ଅଞ୍ଜନ କୁମାର ମାନିକ୍ କହିଛନ୍ତି-“ଜୈବିକ କୃଷିର ପୁନରୁଦ୍ଧାର ପାଇଁ ୧୦୦୦ ହେକ୍ଟର ଜମିରେ ଚାଷ କରାଯାଇଛି। ଏଥିପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଚାଷୀ ନିଶ୍ଚିତ ଲାଭବାନ ହେବେ।”
[vc_video link=" align="center"]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
