ଖୋର୍ଦ୍ଧା: ବାର୍ଡ ଫ୍ଲୁ ଚିହ୍ନଟ ପରେ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ କୁକୁଡା ମରା ଅଭିଯାନ ସ୍ଥାନୀୟ ଲୋକ ବିରୋଧ ଯୋଗୁଁ ଆଜି ଆରମ୍ଭ ହୋଇପାରିନାହିଁ। କେରଙ୍ଗ ଗାଁ ପାଖରେ ଥିବା ଏକ ଫାର୍ମରୁ ପ୍ରଥମେ କୁକୁଡା ମରାଯିବାକୁ ଲୋକେ ଜିଦ୍ ଧରିଥିଲେ। ଘଟଣାସ୍ଥଳକୁ ଜିଲ୍ଲାପାଳ ଯାଇ ବୁଝାଶୁଝଶ କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା।
ପ୍ରଶାସନ ପକ୍ଷରୁ ୪ଟି ରାପିଡ୍ ରେସ୍ପନ୍ସ ଟିମ୍ କୁକୁଡା ମରା ଅଭିଯାନରେ ସାମିଲ କରାଯାଇଛି। ପ୍ରତି ଟିମ୍ରେ ୩ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଟିମ୍ ସଦସ୍ୟମାନେ ଘଣ ଘର ବୁଲି ପକ୍ଷୀ ସଂଗ୍ରହ କରିବା ବେଳେ ବିରୋଧ ଆରମ୍ଭ ହୋଇଥିଲା। ଗାଁ ନିକଟ ଫାର୍ମରେ ଥିବା କୁକୁଡା ପ୍ରଥମେ ମାରିବାକୁ ସେମାନେ ଦାବି କରିଥିଲେ। ଏ ଖବର ପାଇ ଜିଲ୍ଲାପାଳ ଗାଁରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିଲେ। ସରକାରୀ ମୂଲ୍ୟଠାରୁ ୨୫ ଟଙ୍କା ଅଧିକ କ୍ଷତିପୂରଣ ଦିଆଯିବାକୁ ସ୍ଥିର ହୋଇଥିଲା। ହେଲେ ଗ୍ରାମବାସୀ ସେମାନଙ୍କ ଜିଦ୍ରୁ ଓହରି ନ ଥିଲେ।
ସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ଟି ଟିମ୍ ଗଠନ କରାଯାଇ କେରଙ୍ଗ ଅଞ୍ଚଳରେ ସର୍ଭେ କରାଯାଉଛି। । ପ୍ରାୟ ୨୦୦୦ କୁକୁଡା ମରାଯିବ ବୋଲି ସୂଚନା ମିଳିଛି। ଏହି ୩ଟି ଟିମ୍କୁ ଗତକାଲି ରାତିରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ତାଲିମ ଦିଆଯାଇଥିଲା। ସେମାନେ ସ୍ୱତନ୍ତ୍ର ପୋଷାକ ଓ ମାସ୍କ ପିନ୍ଧି କୁକୁଡା ମରା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଅନ୍ୟପକ୍ଷରେ କେରଙ୍ଗ ଗାଁଠାରୁ ୧୦ କିଲୋମିଟର ପରିଧି ଭିତରେ ଥିବା ସବୁ ଗାଁ ଉପରେ ନଜର ରଖାଯାଉଛି। ଏଥିସହ ଖୋର୍ଦ୍ଧା ମେଡିକାଲ, କ୍ୟାପିଟାଲ ହସପିଟାଲ ଓ ଏସସିବିରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା କରାଯାଇଛି।
ଗତ ୩ ଦିନ ଭିତରେ କେରଙ୍ଗ ଅଞ୍ଚଳରେ ଶହଶହ କୁକୁଡା, ବତକ, ପାରା ଓ ଅନ୍ୟନ୍ୟ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲା। ସେଥିରୁ ୫ଟି କୁକୁଡା ଓ ୪ଟି କାଉଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି।
୨୦୧୨ ମସିହାରେ ମଧ୍ୟ କେରଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବାରୁ ୪୦ ହଜାର କୁକୁଡା ମରାଯିବ ସହ ୬୨ ହଜାର ଅଣ୍ଡା ନଷ୍ଟ କରାଯାଇଥିଲା।
ପଶୁସମ୍ପଦ ସଚିବ କହିଛନ୍ତି,“ବାର୍ଡ ଫ୍ଲୁ ହୋଇଥିବା ଅଞ୍ଚଳର କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି। ୪ ବର୍ଷ ପୂର୍ବେ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିଲା। ଚିହ୍ନଟ ଅଞ୍ଚଳରେ ପ୍ରତିକାର ଓ ପ୍ରତିଷାଧକ ବ୍ୟବସ୍ଥା କରାଯାଇଛି। ୩ଟି ରାପିଡ୍ ରେସପନ୍ସ ଟିମ୍ ଗଠନ ହୋଇଛି। ଚିହ୍ନଟ ହୋଇଥିବା କେନ୍ଦ୍ରସ୍ଥଳର ୧ କି.ମି. ପରିଧି ମଧ୍ୟରେ ୨୦୦୦ କୁକୁଡା ମରାଯିବ।”
ଚିହ୍ନଟ ଅଞ୍ଚଳ ମଧ୍ୟରେ କୌଣସି କୁକୁଡା ଫାର୍ମ ନ ଥିବା ପଶୁସମ୍ପଦ ସଚିବ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।