ପେଣ୍ଠପାଳରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରସଙ୍ଗ: ଟାୟାର ଜାଳି ରାସ୍ତା ଅବରୋଧ କଲେ ପଞ୍ଚାୟତବାସୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଆଜି ପଞ୍ଚାୟତର ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ପ୍ରାୟ ୧ ଘଣ୍ଟା ରାସ୍ତାରୋକ କରିଥିଲେ। ନିଜ ପତ୍ନୀଙ୍କୁ ଜିତାଇବା ପାଇଁ ସ୍ଥାନୀୟ ବିଧାୟକ କିଶୋର ତରାଇ ଚଞ୍ଚକତା କରି ପଟ୍ଟାମୁଣ୍ଡାଇ ବିଡିଓଙ୍କ ସହାୟତାରେ ୨ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ସେମାନଙ୍କ ଅଜାଣତରେ ପ୍ରତ୍ୟାହାର କରାଇ ନେଇଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। […]

penthapala

penthapala

Rakesh Mallick
  • Published: Tuesday, 24 January 2017
  • Updated: 01 February 2017, 04:25 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଆଜି ପଞ୍ଚାୟତର ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ପ୍ରାୟ ୧ ଘଣ୍ଟା ରାସ୍ତାରୋକ କରିଥିଲେ। ନିଜ ପତ୍ନୀଙ୍କୁ ଜିତାଇବା ପାଇଁ ସ୍ଥାନୀୟ ବିଧାୟକ କିଶୋର ତରାଇ ଚଞ୍ଚକତା କରି ପଟ୍ଟାମୁଣ୍ଡାଇ ବିଡିଓଙ୍କ ସହାୟତାରେ ୨ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ସେମାନଙ୍କ ଅଜାଣତରେ ପ୍ରତ୍ୟାହାର କରାଇ ନେଇଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି।

ବିଜେଡି ଓ କଂଗ୍ରେସର ପରସ୍ପର ଆକ୍ଷେପ

ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଉଭୟ ବିଜେଡି ଓ କଂଗ୍ରେସ ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି। କଂଗ୍ରେସ କରିଥିବା ଅଭିଯୋଗ ପ୍ରମାଣ କରୁ ବୋଲି ବିଜେଡି ବିଧାୟକ କିଶୋର ତରାଇ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସହ ବିଧାୟକ ତରାଇଙ୍କ ବିରୋଧରେ ପୁଣି ଅନିୟମିତତା ଅଭିଯୋଗ ଆଣିଛି।

ତରାଇ କହିଛନ୍ତି,“ଯିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ସିଏ ଓ ବିଡିଓ ଏ ସମ୍ପର୍କରେ ଜାଣିଥିବେ। ଏନେଇ ମୁଁ ବିନ୍ଦୁବିସର୍ଗ ଜାଣିନାହାନ୍ତି। ମୋ ବିରୋଧରେ ଆସିଥିବା ଅଭିଯୋଗ ଅମୂଳକ ଓ ଅସତ୍ୟ। ନିର୍ବାଚନ କମିଶନ ଏନେଇ ରିପୋର୍ଟ ମାଗିଛନ୍ତି ଓ ଘଟଣାର ତଦନ୍ତ କରୁଛନ୍ତି। ଯାହା ସତ୍ୟ ପଦାକୁ ଆସିବ।”

ସେ ଆହୁରି କହିଛନ୍ତି,“ବିଧାୟକଙ୍କ ପତ୍ନୀ ନିର୍ବାଚନ ଲଢି ପାରିବେ ନାହିଁ ବୋଲି କେଉଁଠାରେ ଲେଖାଯାଇନାହିଁ। ଅନିୟମିତତାର ତଦନ୍ତ ଆଇନ ତା’ ବାଟରେ କରୁଛି। ଯେକୌଣସି ଘଟଣା ହେଉ, ଏଥିରେ ସତ୍ୟ ଥାଉ କି ନ ଥାଉ ଅଭିଯୋଗ ଆଣିବା କଂଗ୍ରେସର ଅଭ୍ୟାସରେ ପରିଣତ ହୋଇଗଲାଣି। କଂଗ୍ରେସ ଆଣିଥିବା ଅଭିଯୋଗର ସତ୍ୟତା ପ୍ରମାଣ କରୁ।”

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ଦୁଇ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି ଏବଂ ଅଭିଯୋଗକାରୀ ଦୁଇ ପ୍ରାର୍ଥୀ ସାମିଲ ହୋଇଥିଲେ।

ଗଣେଶ୍ୱର କହିଛନ୍ତି,“ପଟ୍ଟମୁଣ୍ଡାଇର ନିର୍ବାଚନ ଅଧିକାରୀ ଚଞ୍ଚକତା କରି ପ୍ରମିଳା ମଲ୍ଲିକ ଏବଂ ଗାୟତ୍ରୀ ସେଠୀ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବା ଘୋଷଣା କରିଥିଲେ। ଆଇନ ଅନୁସାରେ ଯିଏ ନାମାଙ୍କନପତ୍ର ପ୍ରତ୍ୟାହାର କରିବେ ନିଜେ ନିର୍ବାଚନ ଅଧିକାରୀଙ୍କ ପାଖରେ ଉପସ୍ଥିତ ହୋଇ ଦସ୍ତଖତ କରିବା ସହ ଆବଶ୍ୟକ କାଗଜପତ୍ର ଦେବେ। ହେଲେ ଏହି ଦୁଇ ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ପାଖକୁ ଯାଇ ନ ଥିଲେ କି ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ କହି ନ ଥିଲେ। ତାଙ୍କ ଦସ୍ତଖତ ଜାଲିଆତି କରାଯାଇ ନାମାଙ୍କନପତ୍ର ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରାଯାଇଛି। ଏହା ପଛରେ କେନ୍ଦ୍ରାପଡ଼ା ବିଧାୟକଙ୍କ ହାତ ରହିଛି।”

ସେ କହିଛନ୍ତି,“ଗାୟତ୍ରୀ ଏବଂ ପ୍ରମିଳାଙ୍କ ପ୍ରାର୍ଥିପତ୍ର କାଏମ ରଖାଯିବାକୁ ଆମେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରୁଛୁ। ନିର୍ବାଚନ ଅଧିକାରୀ ଏଭଳି ବେଆଇନ କାର୍ଯ୍ୟ କରିଥିବାରୁ ତୁରନ୍ତ ତାଙ୍କୁ ପଦବୀରୁ ହଟା ଯିବାକୁ ମଧ୍ୟ ଦାବି କରିଛୁ। ଏହାସହ ଜାଲିଆତି ଅପରାଧରେ ତାଙ୍କୁ ଗିରଫ କରାଯିବାକୁ ମଧ୍ୟ କହିଛୁ।”

ସେ କହିଛନ୍ତି,“ଆମର ରାଜ୍ୟ ନିର୍ବାଚନ କମିଶନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ତଦନ୍ତ ରିପୋର୍ଟ ପାଇବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ, ନ ହେଲେ ଆମେ ନ୍ୟାୟାଳୟକୁ ଯିବ।”

ଏହି ଅନିୟମିତତା ପ୍ରସଙ୍ଗ ନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ କହିଛନ୍ତି,“କଂଗ୍ରେସର ଅଭିଯୋଗ ପତ୍ର ପାଇଛୁ। ପୂର୍ବରୁ ଜିଲ୍ଲାପାଳ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପାଇଛୁ। ଅଭିଯୋଗ ଓ ରିପୋର୍ଟ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos