ସମ୍ବଲପୁର: କଳାଟଙ୍କାକୁ ଧଳା କରିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ସମ୍ବଲପୁର ପୋଲିସ୍ ଆଜି କୋଟିଏରୁ ଅଧିକ ନୂଆ ୨୦୦୦ ଓ ପୁରୁଣା ୫୦୦ ଟଙ୍କିଆ ନୋଟ୍ ଜବତ କରିଛି। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ପିସ୍ତଲ, ୫ ରାଉଣ୍ଡ ଗୁଳି ଓ ଗୋଟିଏ କାର ଜବତ କରିଛି। ଗିରଫଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି।
ଗତକାଲି ରାତିରେ ସମ୍ୱଲପୁର ସୁନାପାଲି ଅଞ୍ଚଳର ମଦ ବ୍ୟବସାୟୀ ଜିଆରତ ଅଲ୍ଲୀ ଓ ତାଙ୍କ ୩ ପୁଅ ଏକ କାରରେ କୋଟିଏ ୧୫ ଲକ୍ଷ ଟଙ୍କା ନେଇ ଯାଉଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ୍ର ସ୍ପେଶାଲ ଟିମ୍ ମହିଳା ମହାବିଦ୍ୟାଳୟ ନିକଟରେ କାରକୁ ଯାଞ୍ଚ କରି ଉପରୋକ୍ତ ଟଙ୍କା ଓ ଦୁଇଟି ପିସ୍ତଲ ଜବତ କରିଥିଲା। ଏପରିକି ଜିଆରତ ଓ ତାଙ୍କର ୩ ପୁଅଙ୍କୁ ଗିରଫ କରିଥିଲା। ସେମାନଙ୍କ ବୟାନ୍କୁ ଭିତ୍ତି କରି ଆଜି ପୋଲିସ୍ ସମ୍ୱଲପୁର ଏସ୍ବିଆଇ ମୁଖ୍ୟ ଶାଖାର କର୍ମଚାରୀ ରଶ୍ମିରଞ୍ଜନ ରାଉତ, ତାଙ୍କ ଭାଇ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ପରେ ପୋଲିସ୍ ଜିଆରତଙ୍କ ଘରେ ଚଢ଼ାଉ ୧୯ ଲକ୍ଷ ୩୮ ହଜାର ଜବତ କରିଥିଲା। ସେହିପରି ଅନ୍ୟ ସହଯୋଗୀଙ୍କ ଘରୁ ମଧ୍ୟ ଟଙ୍କା ଜବତ କରିଥିଲା।
ଏସ୍ପି ଅଖିଳେଶ ସିଂହ କହିଛନ୍ତି,“ସମ୍ବଲପୁର ପୋଲିସ ଦ୍ୱାରା ମୋଟ ୧,୪୨,୯୧,୫୦୦ ଟଙ୍କା ଜବତ କରାଯାଇଛି। ୮୫ ଲକ୍ଷ ୬୨ ହଜାର ଟଙ୍କା ନୂଆ ନୋଟ ସହ ୨୫ ଲକ୍ଷ ୨୯ ହଜାର ପୁରୁଣା ନୋଟ୍ଜବତ କରାଯାଇଛି। ସବୁ ଟଙ୍କା ମଦ ବ୍ୟବସାୟୀ ଜିଆରତ ଅଲ୍ଲୀଙ୍କର ଥିଲା। ସେ ପୁରୁଣା ଟଙ୍କାକୁ ବଦଳାଇବାକୁ ଦେଇଥିଲେ। ଟଙ୍କା କାରବାର ଭିତରେ ମାଓ ଲିଙ୍କ୍ଥିବା ଜଣାପଡ଼ୁନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।