ଯାଞ୍ଚ ହେବ ୩ ରଥର ନିର୍ମାଣ କାର୍ଯ୍ୟ:ସୂଚନା ଦେଲେ ପୂର୍ତ୍ତ ସଚିବ

ପୁରୀ: ବଦଳିବ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଭାଙ୍ଗି ଯାଇଥିବା ଅଖ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଙ୍ଗି ଯାଇଥିବା ଅଖକୁ ବାହାର କରି ତା’ ସ୍ଥାନରେ ନୂଆ ଅଖ ସଂଯୋଗ କରାଯିବ ବୋଲି ରଥ ନିର୍ମାଣ କମିଟି ସଦସ୍ୟ ଆର୍ତ୍ତତ୍ରାଣ ରଥ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ନୂଆ ଅଖ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିଛି। ଅନ୍ୟପକ୍ଷରେ ଏକ ବୈଷୟିକ କମିଟି ପୁରୀ ଯାଇ ଅଖ ଭାଙ୍ଗିବା ଘଟଣାର ଅନୁଧ୍ୟାନ କରୁଛି।  ଏହି କମିଟିରେ ରଥ ବିଶେଷଜ୍ଞ ଓ PWDର ବରିଷ୍ଠ ଯନ୍ତ୍ରୀ ଅଛନ୍ତି। ବୈଷୟିକ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ।”

ସେହିପରି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି,“କେବଳ ଦେବଦଳନ ନୁହେଁ, ସମସ୍ତ ୩ ରଥର ଯାଞ୍ଚ କରାଯିବ।”

ସୂଚନାଯୋଗ୍ୟ,ଗତକାଲି ନିର୍ମାଣାଧୀନ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଅଖ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ଆଜି ସକାଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ପଛରେ ଥିବା ଚାରିନାହାକାରେ ତ୍ରୁଟି ଥିବା ଜଣାପଡ଼ିଛି। ଚାରିନାହାକାର କାଠ ଅଧତ୍କ କଟିଥିବାରୁ କ୍ଲାମ୍ପ ଲଗାଯାଇଛି। ତା’ସହ ନଜର ହଟାଇବା ପାଇଁ ଫାଟ ସ୍ଥାନରେ କାଠଗୁଣ୍ଡ ଦେଇ ବନ୍ଦ ହୋଇଥିବା କୁହାଯାଉଛି।