ଆସନ୍ତାକାଲି ରେଳମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଜଣାଇବେ ବିଧାନସଭା ଗୃହ କମିଟି

meetingଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଲୱେ ସଂପର୍କିତ ବିଧାନସଭା ଗୃହ କମିଟିର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରେଳ ବଜେଟରେ ଓଡ଼ିଶାର ଦାବି ନେଇ ଆସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି। ତେଣୁ ଏ ସମ୍ପର୍କରେ ଅଧିକ ଆଲୋଚନା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ଏହି ବୈଠକ ବସିଥିଲା। ଏଥିରେ ବିଧାନସଭା କମିଟି ପ୍ରସ୍ତୁତି କରିଥିବା ଡ୍ରାଫଟ୍ ମେମୋରେଣ୍ଡମକୁ ଅନୁମୋଦନ ମିଳିବା ନେଇ ଆଲୋଚନା ହୋଇଥିଲା। ଏହି ମେମୋରେଣ୍ଡମରେ ୫ ହଜାର କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି ।

ଡବଲିଂ ଓ ଥାର୍ଡ୍ ଲାଇନ୍ ବାବଦକୁ ସର୍ବାଧିକ ୨୨ଶହ ୭୦କୋଟି, ନିର୍ମାଣଧୀନ ଓ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ପାଇଁ ଏକ ହଜାର ୫୦ କୋଟି, ନୂଆ ପ୍ରକଳ୍ପ ବାବଦକୁ ୪ଶହ କୋଟି ଓ ଯାତ୍ରୀଙ୍କ ସୁବିଧା ବାବଦକୁ ୩୫୦ କୋଟି ଟଙ୍କା ଦାବି କରାଯିବ। ପୂର୍ବତଟ ରେଳପଥ ବାର୍ଷିକ ୧୪ଶହ କୋଟି ଟଙ୍କାର ରାଜସ୍ୱ ପାଉଥିବାରୁ ରେଳ ବଜେଟର ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ସଦସ୍ୟମାନେ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିବେ।