ବଲଙ୍ଗିର(ସସ୍ମିତା ସାହୁ): ବେଳେବେଳେ ମଣିଷ ମଣିଷପଣିଆ ହରାଏ। ନିଜ ନିଜ ଭିତରେ ବିବାଦ ଏତେ ନିମ୍ନ ସ୍ଥରକୁ ଚାଲିଯାଏ ଯେ, ନିଜ ଲୋକର ଶବକୁ ବି ସତ୍କାର କରିବାକୁ କେହି ଆସନ୍ତି ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରରେ।
ମାମି ଆଜି ପାଲଟି ଯାଇଛି ଶବ। ଆଉ ଏମିତି ଅବସ୍ଥାରେ ତା ଉପରେ ଦାଉ ସାଧୁଛନ୍ତି ପରିବାର ଲୋକେ। ଘରେ ସମସ୍ତେ ଅଛନ୍ତି। ହେଲେ ଆଜିକୁ ଚାରିଦିନ ହେଲାଣି ମେଡିକାଲରେ ପଡିଥିବା ତା ମୃତଦେହକୁ ନେବାକୁ କେହି ଆସୁନାହାନ୍ତି। ଶେଷରେ ଗାଁ କମିଟି ମୃତଦେହ ସତ୍କାର କରିବ ବୋଲି କୁହାଯାଉଛି।
ପାଟଣାଗଡ ଥାନା ଅନ୍ତର୍ଗତ ଘୁନ୍ଘୁଟିପାଲି ଗାଁର ମାମି ବିଶି । ବୟସ ୧୯ ବର୍ଷ। ଗତ ମାର୍ଚ୍ଚ ୧୯ ତାରିଖ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ନିଳମଣୀ ପୋଢଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା। ବାହାଘର ପରେ ହସ ଖୁସିରେ ଚାଲିଥିଲା ସଂସାର। ହେଲେ ଦୁଇ ମାସ ତଳେ ହଠାତ କ’ଣ ହେଲା କେଜାଣି ମାମି ଅସୁସ୍ଥ ହୋଇପଡ଼ିଲେ। ଶାଶୁଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କଲେ। ଏନେଇ ବାପାଘର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ବାପା ଘର ଲୋକ ପହଁଞ୍ଚିଲା ବେଳକୁ ଝିଅ ଆଖିବୁଜି ସାରିଥିଲେ। ଏନେଇ ମାମିଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। “ଯୌତୁକ ପାଇଁ ଆମ ଝିଅର ତଣ୍ଟି ଚିପି ହତ୍ୟା କରାଯାଇଛି”। ପୋଲିସ୍ ଅଭିଯୋଗକୁ ଭିତ୍ତିକରି ମାମିର ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶାଶୁ ଶ୍ୱଶୁରକୁ ପଚାରା ଉଚରା କରାଯାଉଛି। ତେଣୁ ଦୁଇ ପରିବାର ବିବାଦ ଭିତରେ ଶବ ସତ୍କାର ହୋଇପାରୁନି। ବଲାଙ୍ଗିର ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହରେ ଚାରି ଦିନ ହେଲା ପଡିରହିଛି ଏହି ଶବ। ଦିନକୁ ଦିନ ପଚି ଯାଉଛି ଶବ। କିନ୍ତୁ ତୁଟୁନି ଦୁଇ ପରିବାରର ବିବାଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।